ଭୁବନେଶ୍ବର: ୧୪ ବିଶ୍ବବିଦ୍ୟାଳୟର କୁଳପତି ଦୌଡ଼ରେ ୩୭୫ ପ୍ରଫେସର ସାମିଲ ହୋଇଛନ୍ତି। ସେଥିମଧ୍ୟରୁ ୨୧୭ ଜଣ ପ୍ରଫେସର ଓଡ଼ିଶାରେ କାର୍ଯ୍ୟରତ ରହିଛନ୍ତି। ବାକି ପ୍ରଫେସରମାନେ ରାଜ୍ୟ ବାହାରର। ଉତ୍କଳ ସମେତ ରେଭେନ୍ସା, ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଅଧିକ ସଂଖ୍ୟକ ପ୍ରଫେସର କୁଳପତି ଦୌଡ଼ରେ ରହିଛନ୍ତି। କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଦିଲ୍ଲୀ ବିଶ୍ବବିଦ୍ୟାଳୟ, ଜେଏନ୍ୟୁ, ଆଇଆଇଟି ପରି ଜାତୀୟ ସ୍ତରୀୟ ଶିକ୍ଷାନୁଷ୍ଠାନର କିଛି ପ୍ରଫେସର ମଧ୍ୟ କୁଳପତି ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ନିୟମ ଅନୁଯାୟୀ ଯେଉଁମାନେ ଆବେଦନ କରିବେ ସେମାନଙ୍କର ୧୦ ବର୍ଷର ପ୍ରଫେସର ଅଭିଜ୍ଞତା ଏବଂ ଯଥେଷ୍ଟ ପ୍ରଶାସନିକ ଓ ଶୈକ୍ଷିକ ଦକ୍ଷତା ରହିଥିବା ନିତାନ୍ତ ଆବଶ୍ୟକ। ବିଶ୍ବବିଦ୍ୟାଳୟ ବ୍ୟତୀତ ଅନ୍ୟ ଗବେଷଣାଭିତ୍ତିକ ଅନୁଷ୍ଠାନରେ ଗବେଷକ ବା ବୈଜ୍ଞାନିକ ହିସାବରେ ୧୦ ବର୍ଷର ଅଭିଜ୍ଞତା ଓ ପ୍ରଫେସରବର୍ଗର ସମାନ ପଦରେ ରହିଥିବା ନିତାନ୍ତ ଜରୁରି। ମାତ୍ର ଯୋଗ୍ୟତା ମାପଦଣ୍ଡ ପୂରଣ କରି ନ ଥିବା କେତେଜଣ ପ୍ରଫେସର କୁଳପତି ପଦବି ପାଇଁ
ଆବେଦନ କରିଥିବା ଉଚ୍ଚଶିକ୍ଷା ବିଭାଗ ନଜରକୁ ଆସିଛି।
ପ୍ରଥମ ପର୍ଯ୍ୟାୟରେ ପୁରୀଜିଲ୍ଲା ସତ୍ୟବାଦୀସ୍ଥିତ ଓଡ଼ିଆ ବିଶ୍ବବିଦ୍ୟାଳୟ କୁଳପତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଦେଢ଼ ମାସ ତଳୁ ଆବେଦନ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ କୁଳପତି ଚୟନ ନେଇ ପ୍ରକ୍ରିୟା ଆଗେଇ ପାରିନାହିଁ। ରାଜ୍ୟ ଭିତର ଓ ବାହାରର ପ୍ରାୟ ୨୮ଜଣ ପ୍ରଫେସର ଏହି ବିଶ୍ବବିଦ୍ୟାଳୟର କୁଳପତି ହେବାକୁ ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ ଚୟନ ପ୍ରକ୍ରିୟା ଠପ୍ ହୋଇଯାଇଛି। ତିନିଜଣିଆ ଚୟନ କମିଟି ଗଠନ ହୋଇ ପାରିନାହିଁ। କେବେ କମିଟି ଗଠନ ହେବ, ସେ ନେଇ କାହା ପାଖରେ ଖବର ନାହିଁ। ଦ୍ବିତୀୟ ପର୍ଯ୍ୟାୟରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ରାଜ୍ୟର ୧୩ଟି ସରକାରୀ ବିଶ୍ବବିଦ୍ୟାଳୟର କୁଳପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଜଣେ ପ୍ରଫେସର ଏକାଥରେ ୧୩ଟି ଯାକ ବିଶ୍ବବିଦ୍ୟାଳୟ ପାଇଁ କ୍ରମାନ୍ବୟରେ ଆବେଦନ କରିଛନ୍ତି। ଜୁଲାଇ ୫ ସୁଦ୍ଧା ଆବେଦନ ପ୍ରକ୍ରିୟା ଶେଷ ହୋଇଥିଲା। ଏହାପରେ ପହଞ୍ଚିଥିବା ଆବେଦନପତ୍ରକୁ ଗ୍ରହଣ କରାଯାଇ ନାହିଁ। ତା’ସତ୍ତ୍ବେ ମଧ୍ୟ ୩୪୭ଜଣ ପ୍ରଫେସର ୧୩ଟି ବିଶ୍ବବିଦ୍ୟାଳୟର କୁଳପତି ଦୌଡ଼ରେ ରହିଛନ୍ତି। ଏବେ ଆବେଦନଗୁଡ଼ିକର ଯାଞ୍ଚ ଚାଲିଛି। ସେଥିରୁ ଯୋଗ୍ୟତା ଅର୍ଜନ କରିପାରି ନ ଥିବା ଅଧିକାଂଶ ପ୍ରଫେସରଙ୍କ ଆବେଦନପତ୍ର କଟିବାର ସମ୍ଭାବନା ରହିଛି। ଅଧିକ ସଂଖ୍ୟକ ଫର୍ମ ଆସିଥିବାରୁ ଟିକିନିଖି ଯାଞ୍ଚ ହେଉଥିବା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଗଠନ ହୋଇପାରୁନି ତିନିଜଣିଆ ଚୟନ କମିଟି
ବାଧକ ସାଜିଛି ବିଶ୍ବବିଦ୍ୟାଳୟର ପୂର୍ଣ୍ଣାଙ୍ଗ ସିଣ୍ଡିକେଟ୍
ବିଳମ୍ବ ହେଉଛି ଓଡ଼ିଆ ବିଶ୍ବବିଦ୍ୟାଳୟ କୁଳପତି ଚୟନ
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆବେଦନ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ଚୟନ କମିଟି ଗଠନ ହୋଇପାରି ନାହିଁ। ଚୟନ କମିଟିରେ କୁଳାଧିପତି ତଥା ରାଜ୍ୟପାଳଙ୍କ ପ୍ରତିନିଧି, ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପ୍ରତିନିଧି ଓ ସିଣ୍ଡିକେଟ୍ ପ୍ରତିନିଧି ସଦସ୍ୟ ରହିବେ। ଏବେ ସୁଦ୍ଧା କେବଳ କୁଳାଧିପତିଙ୍କ ପ୍ରତିନିଧି ଚୟନ ଶେଷ ହୋଇଛି। ୟୁଜିସି ପ୍ରତିନିଧି ଏପର୍ଯ୍ୟନ୍ତ ହୋଇପାରି ନ ଥିବା ବେଳେ ସିଣ୍ଡିକେଟ୍ ପ୍ରତିନିଧି ପ୍ରକ୍ରିୟା ଅଧା ରହିଛି। କିଛି ବିଶ୍ବବିଦ୍ୟାଳୟରେ ପୂର୍ଣ୍ଣାଙ୍ଗ ସିଣ୍ଡିକେଟ୍ ଗଠନ ହୋଇପାରି ନ ଥିବାରୁ ପ୍ରତିନିଧିଙ୍କ ନାଁ ଆସିପାରି ନାହିଁ। ଯେଉଁଥିପାଇଁ ଏବେ କୁଳପତି ଚୟନ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ ଯେ ଉତ୍କଳ ସମେତ ରେଭେନ୍ସା, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, ଫକୀରମୋହନ ବିଶ୍ବବିଦ୍ୟାଳୟ, ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ, ଧରଣୀଧର ବିଶ୍ବବିଦ୍ୟାଳୟ, ବିକ୍ରମଦେବ ବିଶ୍ବବିଦ୍ୟାଳୟ ମଧୁସୂଦନ, ଆଇନ ବିଶ୍ବବିଦ୍ୟାଳୟ ଓ ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ କୁଳପତି ପାଇଁ ଏହି ଚୟନ ପ୍ରକ୍ରିୟା ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/11/utkal-university-750x375-2025-07-11-22-17-22.jpg)