ବାଲେଶ୍ବର: କରୋନା ସଂକ୍ରମଣ ରୋକିବା ଲକ୍ଷ୍ୟରେ ଦେଶବାସୀଙ୍କୁ ମାଗଣାରେ ଟିକାକରଣ କଲେ ସରକାର। ପ୍ରଥମ ପର୍ଯ୍ୟାୟରେ ସମ୍ମୁଖ ଯୋଦ୍ଧା, ବୟସ୍କ ନାଗରିକ ଓ ପରବର୍ତ୍ତୀ ସମୟରେ ବିଭିନ୍ନ ବର୍ଗର ଲୋକମାନଙ୍କୁ ସଂଜିବନୀ ଟିକା ଦିଆଗଲା। ଜାନୁଆରି ୩ ତାରିଖରୁ ୧୫ରୁ ୧୮ ବର୍ଷ ବୟସ୍କଙ୍କୁ ଟିକା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ପୂର୍ବରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ କରାଯାଇଥିଲା। କରୋନାର ତୃତୀୟ ଲହର ମୁକାବିଲା ପାଇଁ କେନ୍ଦ୍ର ସରକାର ଜାନୁଆରି ୧୦ ତାରିଖରୁ ସାରା ଦେଶରେ ବୁଷ୍ଟର ଡୋଜ୍ ଟିକାକରଣ ପାଇଁ ଘୋଷଣା କରିଥିଲେ।
ପ୍ରଥମେ ସମ୍ମୁଖ ଯୋଦ୍ଧା ଅର୍ଥାତ ସ୍ବାସ୍ଥ୍ୟକର୍ମୀ, ଡାକ୍ତର, ୬୦ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ସମେତ ରୋଗୀଙ୍କୁ ମାଗଣା ବୁଷ୍ଟର ଡୋଜ୍ ଦିଆଯିବ ବୋଲି କୁହାଗଲା। ହେଲେ ଏହାରି ମଧ୍ୟରେ ବୁଷ୍ଟର୍ ଡୋଜ୍ ଟିକାକରଣ ଲାଗି ନିୟମରେ ପରିବର୍ତ୍ତନ କରିଦିଆଯାଇଛି। ୧୮ ବର୍ଷ ବୟସରୁ ଊର୍ଦ୍ଧ୍ବ ବ୍ୟକ୍ତି ବେସରକାରୀ ହସ୍ପିଟାଲ, କିମ୍ବା ବେସରକାରୀ ଟିକାକରଣ କେନ୍ଦ୍ରରେ ନିର୍ଦ୍ଧାରିତ ଶୁଳ୍କ ଦେଇ ବୁଷ୍ଟର ଡୋଜ୍ ନେଇ ନେଇପାରିବେ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ବର୍ତ୍ତମାନ କେବଳ ୬୦ ବର୍ଷ ବା ତହିଁରୁ ଊର୍ଦ୍ଧ୍ବ ବୟସର ଲୋକଙ୍କ ପାଇଁ ବୁଷ୍ଟର ଡୋଜ୍ ମାଗଣା ଦେବାର ବ୍ୟବସ୍ଥା ରହିଛି।
କରୋନା ମୁକାବିଲା ପାଇଁ ସରକାର ପୂର୍ବରୁ ଜନସାଧାରଣଙ୍କୁ ମାଗଣା ଟିକା ପ୍ରଦାନ କରି ବାହାବା ନେଇଥିବା ବେଳେ ବର୍ତ୍ତମାନ ବୁଷ୍ଟର୍ ଡୋଜ୍ ପାଇଁ କାହିଁକି ୩୭୫ ଶହ ଟଙ୍କା ଧାର୍ଯ୍ୟ କଲେ, ତାହା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଛି। ଜନମଙ୍ଗଳ ରାଷ୍ଟ୍ରରେ ନିଃଶୁଳ୍କ ଟିକାକରଣ ସରକାରଙ୍କ କର୍ତ୍ତବ୍ୟ ହୋଇଥିବାବେଳେ ବୁଷ୍ଟର ଡୋଜ୍ ଆଳରେ ଟିକା ଖର୍ଚ୍ଚ ଭରଣା କରାଯିବା କେତେ ସମୀଚୀନ ବୋଲି ସଚେତନ ନାଗରିକ ପ୍ରଶ୍ନ କରିଛନ୍ତି।
ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଲସେନ ଜଗଦେବଙ୍କୁ ପଚାରିବାରୁ ସେ କହିଥିଲେ, ସରକାରଙ୍କ ନିୟମ ଅନୁସାରେ କେବଳ ୬୦ ବର୍ଷ କିମ୍ବା ତହିଁରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ମାଗଣା ବୁଷ୍ଟର ଡୋଜ୍ ଦିଆଯାଉଛି। ଅନ୍ୟମାନେ ଟଙ୍କା ଦେଇ ବୁଷ୍ଟର ଡୋଜ୍ ଟିକା ନେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/35-21.jpg)