ପଦୋନ୍ନତି ପାଇଲେ ୩୭୭ ସହକାରୀ ଶିକ୍ଷକ

ଭୁବନେଶ୍ୱର : ୩୭୭ ଜଣ ସହକାରୀ ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ପଦବିକୁ ପଦୋନ୍ନତି ଦିଆଯାଇଛି। ପୂର୍ବରୁ ସେପ୍ଟେମ୍ବର ୧୧ରେ ୨୧୭୩ ଜଣ ସହକାରୀ ଶିକ୍ଷକ ପଦୋନ୍ନତି ପାଇଥିଲେ। ଏବେ ୩୭୭ ଜଣଙ୍କୁ ମିଶାଇ ଚଳିତବର୍ଷ ମୋଟ ୨୫୫୦ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦବି ପୂରଣ ହୋଇଛି ଏବଂ ଆଉ ୨୫୦୦ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦ ଖାଲି ରହିଛି।

ପଦବି ପୂରଣ ଦିଗରେ ପଦକ୍ଷେପ ନିଆଯାଇଥିବାରୁ ଓଷ୍ଟା(ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ) ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ ରାଜ୍ୟରେ ପ୍ରାୟ ୫ ହଜାର ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ନ ଥିବାରୁ ଶିକ୍ଷାଦାନ ସହିତ ଶୈକ୍ଷିକ ପରିବେଶ ବାଧାପ୍ରାପ୍ତ ହେଉଥିଲା। ଏନେଇ ଓଷ୍ଟା ପକ୍ଷରୁ ବାରମ୍ବାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲା। କେତେଜଣ ଶିକ୍ଷକ ବରିଷ୍ଠତା ନିର୍ଦ୍ଧାରଣ ଉପରେ ତ୍ରୁଟି ଦର୍ଶାଇ ଅଦାଲତରେ ମାମଲା କରିଥିଲେ। ମାନ୍ୟବର ଅଦାଲତ ପଦୋନ୍ନତି ଉପରେ ରହିତାଦେଶ ଦେଇଥିଲେ। ଉକ୍ତ ରହିତାଦେଶ ଥିବାରୁ ସରକାର ପଦୋନ୍ନତି ଦେଇପାରୁ ନଥିଲେ। ତେବେ ଓଷ୍ଟା ପକ୍ଷରୁ ଉଚ୍ଚ ଅଦାଲତରେ ଏନେଇ ଆପତ୍ତି କରାଯାଇ ପଦୋନ୍ନତି ଦେବା ପାଇଁ ଅନୁମତି ଲୋଡ଼ା ଯାଇଥିଲା। ଯେଉଁଥିପାଇଁ ପ୍ରଥମ ପର୍ଯ୍ୟାୟରେ ୨୧୭୩ ଓ ଦ୍ୱିତୀୟ ପର୍ଯ୍ୟାୟରେ ୩୭୭ ପ୍ରଧାନଶିକ୍ଷକ ପଦବି ପୂରଣ ହୋଇଛି। ଯେଉଁଥିରୁ ସାଧାରଣ ବର୍ଗର ୩୩୭ ଓ ଅନୁସୂଚିତ ଜାତି ବର୍ଗର ୪୦ ଜଣ ସହକାରୀ ଶିକ୍ଷକ ରହିଛନ୍ତି।

ସମ୍ବନ୍ଧିତ ଖବର