କୃଷି ବିଶ୍ୱବିଦ୍ୟାଳୟ ଭିତ୍ତିଭୂମି ଲାଗି ୧୦୭୨ କୋଟି

ଓୟୁଏଟି ୩୭ତମ ସମାବର୍ତନ ଉତ୍ସବ

ଆଇସିଏଆର ପକ୍ଷରୁ ଆରମ୍ଭ ହେଲା ଏନ୍‌ଏଏଚ୍‌ଇପି
ଦେଶର ୯ କୋଟି ଚାଷୀଙ୍କୁ ମିଳିଛି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ
ପ୍ରଫେସର ସ୍ୱାମୀନାଥନ୍‌ ଓ ଡ. ଏଲ୍‌.ଏନ୍‌. ଆଚାର୍ଯ୍ୟଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌

ଭୁବନେଶ୍ୱର : ଦେଶର ବିଭିନ୍ନ ରାଜ୍ୟରେ ଥିବା କୃଷି ବିଶ୍ୱବିଦ୍ୟାଳୟଗୁଡ଼ିକ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ତାହାକୁ ଦୃଷ୍ଟିରେ ରଖି ଭାରତୀୟ କୃଷି ଗବେଷଣା ପରିଷଦ(ଆଇସିଏଆର) ପକ୍ଷରୁ ୧୦୭୨ କୋଟି ଟଙ୍କାରେ ଜାତୀୟ କୃଷି ଉଚ୍ଚଶିକ୍ଷା ପ୍ରକଳ୍ପ(ଏନ୍‌ଏଏଚ୍‌ଇପି) କରାଯାଇଛି। ଏହା ମାଧ୍ୟମରେ ବିଶ୍ୱବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶ ସହ ସର୍ବାଧୁନିକ କେନ୍ଦ୍ର ପ୍ରତିଷ୍ଠା କରିବା ଦିଗରେ ପଦକ୍ଷେପ ନିଆଯିବ। ଗବେଷଣା, ଶିକ୍ଷା ଓ ସମ୍ପ୍ରସାରଣ ଉପରେ ଭବିଷ୍ୟତର କୃଷି ନିର୍ଭର କରେ ବୋଲି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ୩୭ତମ ସମାବର୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଆଇସିଏଆର ମହାନିର୍ଦେଶକ ଡ. ତ୍ରିଲୋଚନ ମହାପାତ୍ର କହିଛନ୍ତି।

ପ୍ରଫେସର ମହାପାତ୍ର ଦୀକ୍ଷାନ୍ତ ଭାଷଣ ଦେଇ କହିଲେ, ୨୦୧୬-୧୭ ଆର୍ଥିକ ବର୍ଷରେ ଭାରତର ଖାଦ୍ୟଶସ୍ୟ ଉତ୍ପାଦନ ୨୭୧.୯୮ ମିଲିଅନ୍‌ ଟନ୍‌ ରହିଥିଲା। ଦୁଗ୍ଧ, ଡାଲି, ମସଲା ଉତ୍ପାଦନ ବୃଦ୍ଧି ପାଇଥିଲେ ମଧ୍ୟ ଭାରତୀୟ ଅର୍ଥନୀତିରେ କୃଷିର ଭାଗ କ୍ରମାଗତ ଭାବେ ହ୍ରାସ ପାଇ ୧୭.୨ ପ୍ରତିଶତରେ ପହଞ୍ଚିଛି। ବର୍ତମାନ ସମୟରେ ଦେଶର ୧୨୮ କୋଟି ଲୋକଙ୍କ ଲାଗି ଖାଦ୍ୟଶସ୍ୟ ଉତ୍ପାଦନ କରିବା କୃଷି କ୍ଷେତ୍ର ଲାଗି ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏହାର ମୁକାବିଲା ସହ ଚାଷୀଙ୍କ ଆୟକୁ ୨୦୨୨ ସୁଦ୍ଧା ଦ୍ୱିଗୁଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏବେବି ଦେଶର ୫୮ ପ୍ରତିଶତ ପରିବାର କୃଷି ଓ ଏହି ସମ୍ପର୍କିତ କ୍ଷେତ୍ର ଉପରେ ନିର୍ଭରଶୀଳ ରହିଛନ୍ତି। ଯୁବଗୋଷ୍ଠୀଙ୍କୁ କୃଷିକ୍ଷେତ୍ର ପ୍ରତି ଆକୃଷ୍ଟ କରିବା ଲାଗି ଆଧୁନିକ ଜ୍ଞାନକୌଶଳରେ ଶିକ୍ଷା ଦେବାର ଆବଶ୍ୟକତା ରହିଛି। ତାହାକୁ ଦୃଷ୍ଟିରେ ରଖି ଆଇସିଏଆର ପକ୍ଷରୁ ‘ରେଡ୍ଡି’ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳର କୃଷି ସମ୍ପର୍କିତ ଉଦ୍ୟୋଗୀକରଣ ସଚେତନତା ବୃଦ୍ଧି କରାଯାଇ ପାରିଛି। ଆଜି ସୁଦ୍ଧା ଦେଶର ୧୨ କୋଟି ଚାଷୀଙ୍କ ମଧ୍ୟରୁ ୯ କୋଟି ଚାଷୀଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିବା ସେ ସୂଚନା ଦେଇଥିଲେ।

ଡିଗ୍ରି ହାସଲ କରୁଥିବା ଛାତ୍ରଛାତ୍ରୀଙ୍କୁ କହିଥିଲେ ତୁମମାନଙ୍କ ଜୀବନରେ ସମାବର୍ତନ ଉତ୍ସବ ଏକ ପ୍ରମୁଖ ଦିବସ। ଶିକ୍ଷାନୁଷ୍ଠାନ, ଶିକ୍ଷକ ଏବଂ ଅଭିଭାବକମାନେ ତୁମମାନଙ୍କୁ ଯେଉଁ ସହଯୋଗ ଦେଇଛନ୍ତି ତାହାକୁ ଚାଲେଞ୍ଜ ଭାବେ ଗ୍ରହଣ କର। ଯାହା ଶିକ୍ଷା ଲାଭ କରିଛ ତାହାକୁ କାର୍ଯ୍ୟରେ ଲଗାଅ। ତୁମମାନଙ୍କ ହାତରେ ଦେଶର ଭବିଷ୍ୟତ କୃଷି। କୃଷକଙ୍କ ବିକାଶ ସହ ଭାରତୀୟ କୃଷିକୁ ନୂଆ ଦିଶା ଦେଖାଇବା କ୍ଷେତ୍ରରେ ତୁମେମାନେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ।

ସମାବର୍ତନ ଉତ୍ସବରେ ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ଏସ୍‌.ସି. ଜମିର ଅଧ୍ୟକ୍ଷତା କରି କହିଲେ, ବିଭିନ୍ନ କାରଣ ଲାଗି ଭାରତର କୃଷି ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। ତାହାକୁ ଦୃଷ୍ଟିରେ ରଖି ଲୋକଙ୍କ ପାଇଁ ଦୀର୍ଘମିଆଦି ଖାଦ୍ୟ ସୁରକ୍ଷା ଓ ଲାଭଦାୟକ, ପୋଷଣ ଓ ପରିବେଶ ଉପଯୋଗୀ କୃଷି ପ୍ରଣାଳୀ ଉପରେ ଦୃଷ୍ଟି ହେବାକୁ ହେବ। ବର୍ତମାନର କୃଷି ବିଜ୍ଞାନ ଓ ବୈଷୟିକ ଜ୍ଞାନ ଉପରେ ନିର୍ଭରଶୀଳ। ଗବେଷଣା ଓ ଅଭିନବୀକରଣ ମାଧ୍ୟମରେ ବିଶ୍ୱର ସମସ୍ତ ଦେଶ କୃଷିକୁ ଏକ ନୂତନ ସ୍ତରକୁ ନେଇପାରିବେ। ଓଡ଼ିଶାର ସାମଗ୍ରିକ ବିକାଶ କ୍ଷେତ୍ରରେ କୃଷି ପ୍ରମୁଖ ଭୂମିକା ଗ୍ରହଣ କରିଛି। ମୋଟ ଭୌଗଳିକ ଅଞ୍ଚଳ ମଧ୍ୟରୁ ୩୫%ରେ ଚାଷ ହେଉଛି। ରାଜ୍ୟର ୬୦% ଲୋକ କୃଷି ଉପରେ ନିର୍ଭରଶୀଳ। ତାହାକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ଗବେଷଣା କରିବାକୁ ସେ ଆହ୍ଵାନ ଦେଇଥିଲେ।

ବିଶ୍ୱବିଦ୍ୟାଳୟ ଉପକୁଳାଧିପତି ତଥା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, କୃଷି ଓ କୃଷକଙ୍କ ଉନ୍ନତି ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସଫଳ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି, କୃଷି ସମ୍ବନ୍ଧୀୟ ନୂତନ ଜ୍ଞାନକୌଶଳର କ୍ଷେତ୍ର ପ୍ରଦର୍ଶନ, ପ୍ରତି ଜିଲ୍ଲାରେ ମାଟି ଗବେଷଣା କେନ୍ଦ୍ର ସ୍ଥାପନ, ଭ୍ରାମ୍ୟମାଣ ମାଟି ପରୀକ୍ଷା ଗାଡ଼ି ମାଧ୍ୟମରେ ଚାଷୀଙ୍କ ଜମିରୁ ମାଟି ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି। ବର୍ତମାନ ସମୟରେ ଆଳୁ ଓ ପିଆଜର ଉତ୍ପାଦନ ବୃଦ୍ଧି କରିବା ଅତ୍ୟନ୍ତ ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ।

ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ବାର୍ଷିକ ବିବରଣୀ ପାଠ କରି ଓୟୁଏଟିର ସଫଳତା ସହ ଭବିଷ୍ୟତର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଶିଷ୍ଟ ବୈଜ୍ଞାନିକ ବିଶିଷ୍ଟ କୃଷିବିଜ୍ଞାନୀ ପଦ୍ମ ବିଭୂଷଣ ପ୍ରଫେସର ଏମ୍‌.ଏସ୍‌. ସ୍ୱାମୀନାଥନ୍‌ ଓ ବିଶିଷ୍ଟ ବନ୍ୟପ୍ରାଣୀ ଚିକିତ୍ସାବିତ୍‌ ଡ. ଏଲ୍‌.ଏନ୍‌. ଆଚାର୍ଯ୍ୟଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ଉତ୍ସବରେ ୧୪ ଜଣ ଛାତ୍ରଛାତ୍ରୀଙ୍କୁ ପିଏଚ୍‌ଡି ଡିଗ୍ରି, ୧୧୩ ଜଣଙ୍କୁ ସ୍ୱର୍ଣ୍ଣ ପଦକ, ୩ ଜଣ ଲେଖାଏ ଛାତ୍ରଛାତ୍ରୀଙ୍କୁ କୁଳାଧିପତି ଓ କୁଳପତି ଟ୍ରଫି, ୪୫୨ ଜଣଙ୍କୁ ସ୍ନାତକୋତ୍ତର ଡିଗ୍ରି ଓ ୭୫୨ ଜଣଙ୍କୁ ସ୍ନାତକ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର