ସରକାରୀ ଜମି ବନ୍ଧା ଦେଇ ଋଣ ନେଇଛନ୍ତି ୩୮ ଶିଳ୍ପ

ଭୁବନେଶ୍ବର : ରାଜ୍ୟରେ ଶିଳ୍ପ ସ୍ଥାପନ ପାଇଁ ଇଡ୍‌କୋ ଜରିଆରେ ସରକାରୀ ଜମି ନେଇ ୩୮ଟି ଶିଳ୍ପ ସଂସ୍ଥା ଜମିକୁ ବ୍ୟାଙ୍କରେ ବନ୍ଧା ପକାଇ ଋଣ ନେଇଛନ୍ତି। ଏହି ଶିଳ୍ପ ସଂସ୍ଥା ମଧ୍ୟରେ ଜିନ୍ଦଲ ଷ୍ଟିଲ ଓ ପାୱାର, ଭୂଷଣ ପାୱାର, ବେଦାନ୍ତ ଓ ହିଣ୍ଡାଲ୍‌କୋ ସର୍ବାଧିକ ସଂଖ୍ୟା ଜମି ବନ୍ଧା ପକାଇଛନ୍ତି। ଏସବୁ ଜମି ବନ୍ଧା ରଖିବା ପାଇଁ ଇଡ୍‌କୋ ମଧ୍ୟ ବିନା ଆପତ୍ତି ପ୍ରମାଣପତ୍ର(ଏନ୍‌ଓସି) ଦେଇଥିବା ସୂଚନା ଦେଇଛନ୍ତି ରାଜ୍ୟ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଦେବ କହିଛନ୍ତି ଯେ ଅନୁଗୁଳସ୍ଥିତ ପ୍ରକଳ୍ପ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ଆବଣ୍ଟିତ ୪୩୫୧ ଏକରରରୁ ୨୬୯୬ ଏକର ଜମିକୁ ବନ୍ଧା ରଖିବା ପାଇଁ ଇଡ୍‌କୋ ପକ୍ଷରୁ ଏନ୍‌ଓସି ଦିଆଯାଇଛି। ଭୂଷଣ ପାୱାର ଏଣ୍ଡ ଷ୍ଟିଲକୁ ସମ୍ବଲପୁର ଜିଲ୍ଲାରେ ଆବଣ୍ଟିତ ୨୨୬୬ ଏକର ଜମିରୁ ୨୬୬୫.୮୫ ଏକର ଜମିକୁ ବନ୍ଧା ରଖିବାକୁ ଏନ୍‌ଓସି ମିଳିଛି। କଳାହାଣ୍ଡି ଜିଲ୍ଲରେ ବେଦାନ୍ତକୁ ପ୍ରକଳ୍ପ ପାଇଁ ଦିଆଯାଇଥିବା ୨୨୧୯.୦୯୦ ଏକରରୁ ୧୯୩୩.୧୧ ଏକର ଓ ଝାରସୁଗୁଡ଼ା ଜିଲ୍ଲାରେ ୨୧୭୨.୭୪୦ ଏକର ମଧ୍ୟରୁ ୨୧୫୬.୬୩ ଏକର ଜମି, ହିଣ୍ଡାଲ୍‌କୋକୁ ରାୟଗଡ଼ାରେ ଆବଣ୍ଟିତ ୨୧୭୬.୪୩୦ ଏକର ଜମିରୁ ୨୦୯୮.୭୪୦ ଏକର ଜମିକୁ ବନ୍ଧା ରଖିବାକୁ ଇଡ୍‌କୋ ପକ୍ଷରୁ ଏନ୍‌ଓସି ଦିଆଯାଇଛି। ଅନ୍ୟ ଶିଳ୍ପ ସଂସ୍ଥା ମଧ୍ୟରେ ମନେଟ୍‌ ଇସ୍ପାତ ଏଣ୍ଡ ଏନର୍ଜି, ଟାଟା ଷ୍ଟିଲ, ବ୍ରାହ୍ମଣୀ ରିଭିର ପେଲେଟ, ପଟ୍ଟନାୟକ ଷ୍ଟିଲ ଏଣ୍ଡ ଆଲଏଜ୍, ଓସିଏଲ ସିମେଣ୍ଟ, ମୋନେଟ ପାୱାର, ଜିଏମ୍‌ଆର ଏନର୍ଜି, ଷ୍ଟେରଲାଇଟ୍‌ ଏନର୍ଜି, ଜେକେ ଲକ୍ଷ୍ମୀ ସିମେଣ୍ଟ, ସରାଫ ଏଜେନ୍ସି, କେଟିଏଲ ଲଜିଷ୍ଟିକ୍, ପାରାଦୀପ ଫସଫେଟ, ସ୍ବସ୍ତି ଇନଷ୍ଟିଚ୍ୟୁଟ୍‌ ଅଫ ମ୍ୟାନେଜମେଣ୍ଟ ଏଣ୍ଡ ସୋସିଆଲ ଷ୍ଟଡିଜ, ଓପିଜିସ, ଏସେଲ ମାଇନିଂ, ସିଦ୍ଧିବିନାୟକ ଆଗ୍ରୋ ଇଣ୍ଡଷ୍ଟ୍ରି ଓ ବଲାରପୁର ଇଣ୍ଡଷ୍ଟ୍ରିଜ୍ ଆଦି ରହିଛନ୍ତି।

ଶ୍ରୀ ଦେବ ଆହୁରିମଧ୍ୟ କହିଛନ୍ତି ଯେ ଯଦି କୌଣସି ଶିଳ୍ପ ସଂସ୍ଥା ଋଣ ପରିଶୋଧ ନ କରି ବନ୍ଦ ହୋଇଥାଏ ତେବେ ଆବଶ୍ୟକ ସ୍ଥଳେ ଜମିକୁ ନିଲାମ କରିବା ପୂର୍ବରୁ ସଂପୃକ୍ତ ବ୍ୟାଙ୍କ ଇଡ୍‌କୋଠାରୁ ଏନ୍‌ଓସି ନେଇ ଆବଣ୍ଟିତ ଜମିକୁ କେବଳ ଶିଳ୍ପ ପ୍ରତିଷ୍ଠା ପାଇଁ ପୁନଃ ବିନିଯୋଗ କରିବାର ନିୟମ ରହିଛି।

ସମ୍ବନ୍ଧିତ ଖବର