ଚିକିଟି : ଓଡ଼ିଶାରେ ଲକ୍‌ଡାଉନ୍ କଟକଣାକୁ କଡ଼ାକଡ଼ି କରିବା ଲାଗି ଜଳପଥ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସରକାର ଚେଷ୍ଟା କରୁଥିଲେ ବି କୌଣସି ସୁଫଳ ମିଳୁନି। ବିଭିନ୍ନ ରାଜ୍ୟରେ ଫସି ରହିଥିବା ଦାଦନ ଶ୍ରମିକ ମନେ ଅନାୟାସରେ ଡଙ୍ଗା ଯୋଗେ ଭିଟାମାଟିକୁ ଫେରୁଥିବାରୁ ଏହା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ଗଞ୍ଜାମ ଜିଲ୍ଲାରେ ଏଭଳି ଘଟଣାର ପୁନରାବୃତ୍ତି ହୋଇଛି।

Advertisment

୩ ଦିନ ତଳେ ଚେନ୍ନାଇରୁ ଏକଲକ୍ଷ ୬୫ ହଜାର ଟଙ୍କାରେ ଡଙ୍ଗା କିଣି ୧୫ ଜଣ ଯୁବକ ଚିକିଟି ବ୍ଲକ୍ ପାତିସୁନାପୁର ଗାଁରେ ପହଞ୍ଚୁଥିବା ବେଳେ ମାତ୍ର ୫ କିଲୋମିଟର ପୂର୍ବରୁ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଇଚ୍ଛାପୁର ପୁଲିସ ହାତରେ ଡ଼ଙ୍କୁରୁ ଉପକୂଳରେ ଧରାପଡ଼ିଥିଲେ। ଆଉ ପୁସ୍ତପୁର ସଙ୍ଗରୋଧ ଗୃହରେ ସେମାନଙ୍କୁ ରଖାଯାଇଥିଲା। ଦିନ କେଇଟା ନଯାଉଣୁ ପୁଣି ୩୮ଜଣ ଚେନ୍ନାଇରୁ ଜଳପଥ ଯୋଗ‌େ ଡଙ୍ଗାରେ ଆସି ସନ୍ଧ୍ୟା ପ୍ରାୟ ୬ଟାରେ ପାତିସୁନାପୁରରେ ପହଞ୍ଚିଛନ୍ତି। ଏହି ଡଙ୍ଗାକୁ ସେମାନେ ୨ଲକ୍ଷ ଟଙ୍କାରେ କିଣିଥିଲେ। ସେମାନଙ୍କୁ ସେଠାରେ ଥିବା ସଙ୍ଗରୋଧ ଗୃହରେ ରଖାଯିବ ବୋଲି ଚିକିଟି ତହସିଲଦାର ହରପ୍ରସାଦ ଭୋଇ ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରେ ପାତିସୁନାପୁର ଗ୍ରାମର ୨୪ ଜଣ ମତ୍ସଜୀବୀ ରହିଥିବା ବେଳେ ଏକସିଂ ପଞ୍ଚାୟତର ୩ ଓ ଗୋପାଳପୁରର ୨ଜଣ ଅଛନ୍ତି। ଅନ୍ୟ ୬ଜଣ ଯୁବକ ସୀମାନ୍ତ ଆନ୍ଧ୍ରପ୍ରଦେଶର ବୋଲି ସୂଚନା ମିଳିଛି।

ମିଳିଥିବା ସୂଚନାନୁସାରେ, ଏହି ୩୮ ଜଣ ମତ୍ସ୍ୟଜୀବୀ ଚେନ୍ନାଇରେ କାମ କରୁଥିଲେ। କିନ୍ତୁ ଲକ୍‌ଡାଉନ୍ କଟକଣା ପରଠୁ ସେଠାରୁ ଆଉ ଫେରି ପାରୁ ନଥିଲେ। ରାଜପଥରେ ଫେରିବା ପାଇଁ ଅନ୍ୟ କୌଣସି ସାଧନ ନଥିବାରୁ ସେମାନେ ଶେଷରେ ସମୁଦ୍ରପଥକୁ ବାଛି ନେଇଥିଲେ। ଏଥିପାଇଁ ଚାନ୍ଦା କରି ୨ଲକ୍ଷ ଟଙ୍କା ସଂଗ୍ରହ କରି ଏକ ଡଙ୍ଗା କିଣି ଗତ ୨୦ ତାରିଖରୁ ଚେନ୍ନାଇରୁ ବାହାରିଥିଲେ। ଆଜି ଅର୍ଥାତ୍ ୫ ଦିନ ପରେ ସେମାନେ ସନ୍ଧ୍ୟା ୬ଟାରେ ଡଙ୍ଗା ପାତିସୁନାପୁର ଉପକୂଳରେ ଲାଗିବା ପରେ ପ୍ରଶାସନ ସମସ୍ତଙ୍କୁ ଉଦ୍ଧାର କରିଛି। ସୁନାପୁର ସାମୁଦ୍ରିକ ଥାନାଧିକାରୀ, ଚିକିଟି ତହସିଲଦାର ହରପ୍ରସାଦ ଭୋଇ, ବିଡିଓ ଫାଲଗୁନି ମାଝି, ସରପ‌ଞ୍ଚ ମଂଜୁଳା ବେହେରା ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲୋକନାଥ ପତି ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତଙ୍କୁ ପାତିସୁନାପୁର ସ‌ଙ୍ଗରୋଧ ଗୃହରେ ରଖିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆବଶ୍ୟକସ୍ଥଳେ ସମସ୍ତଙ୍କ ସ୍ବାସ୍ଥ୍ୟ ଯାଞ୍ଚ ହେବ ବୋଲି ସୂଚନା ମିଳିଛି। ତେବ‌େ ଜଳପଥରେ ସୁରକ୍ଷା ଓ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରା ନଗଲେ ସଂକ୍ରମିତ ଇଲାକାରୁ ଫେରନ୍ତା ଆଗାମୀ ଦିନରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି।