ଭୁବନେଶ୍ୱର: ଚଳିତ ବର୍ଷ ଖରିଫ ଧାନ କିଣିବା ପାଇଁ ରାଜ୍ୟରେ ୩୮ଟି ଆଦର୍ଶ ଧାନମଣ୍ଡି ଖୋଲିବ। ଏହି ମଣ୍ଡିଗୁଡ଼ିକରେ ଧାନଚାଷୀଙ୍କୁ ସମସ୍ତ ସୁବିଧାସୁଯୋଗ ଯୋଗାଇ ଦିଆଯିବ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ କୁମାର ବଳସାମନ୍ତ ଆଜି କହିଛନ୍ତି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସବିଶେଷ ପ୍ରସ୍ତାବ ଦିଆଯାଇଛି। ଏହି ପ୍ରସ୍ତାବ ଅନୁଯାୟୀ ଆଦର୍ଶ ଧାନମଣ୍ଡିରେ ଚାଷୀମାନଙ୍କର ରହଣି ସମୟରେ ଶୌଚାଳୟ, ଖାଦ୍ୟପେୟ ବ୍ୟବସ୍ଥା, ମହିଳା ଏସ୍‌ଏଚ୍‌ଜିଙ୍କର ପ୍ରଦର୍ଶନୀ ମଣ୍ଡପ ଇତ୍ୟାଦି ବ୍ୟବସ୍ଥା କରାଯିବ। ଆଦର୍ଶ ଧାନମଣ୍ଡି ପାଇଁ ଆବଶ୍ୟକ ଜାଗ‌ା ସମସ୍ୟା ରହିଛି। ଜମିକୁ ନେଇ ମଣ୍ଡିଗୁଡ଼ିକର କଳେବର ହେବ ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ ଗଣମାଧ୍ୟମକୁ କହିଛନ୍ତି।  

Advertisment

ପ୍ରକାଶଥାଉକି, ଚଳିତ ଖରିଫ ଧାନ କ୍ରୟ ପାଇଁ ଚାଷୀ ପଞ୍ଜୀକରଣ ଗତମାସ ୧୯ ତାରିଖରୁ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଚାଷୀମାନେ ନିକଟସ୍ଥ ପ୍ରାଥମିକ କୃଷି ସମବାୟ ସମିତି ପ୍ୟାକସ୍‌, ଲ୍ୟାମ୍ପସ୍‌ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କିମ୍ବା ପାଣି ପଞ୍ଚାୟତରେ ଆଗୁଆ ପଞ୍ଜୀକରଣ କରୁଛନ୍ତି। ଆଜି ସୁଦ୍ଧା ୩ ଲକ୍ଷ ୯୫ ହଜାର ୯୪୯ ଜଣ ଚାଷୀ ପଞ୍ଜୀକରଣ କରିଥିବାବେଳେ ଗତବର୍ଷ ଆଜି ଦିନ ସୁଦ୍ଧା ୩ ଲକ୍ଷ ୮୭ ହଜାର ୧୦୪ ଜଣ ଚାଷୀ ପଞ୍ଜୀକରଣ କରିଥିଲେ। ଚଳିତ ବର୍ଷ ୫ ଦିନ ବିଳମ୍ବରେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଅଧିକ ଚାଷୀ ପଞ୍ଜୀକରଣ କରିଛନ୍ତି। ସମସ୍ତ ପଞ୍ଜୀକୃତ ଚାଷୀମାନଙ୍କର ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ସଂଯୋଗୀକରଣ କରିବା ସହ ଇ-କେୱାଇସି ବାଧ୍ୟତାମୂଳକ ଭାବେ କରାଯାଇଛି।

ଯୋଗ୍ୟ ଚାଷୀମାନଙ୍କୁ ଧାନକିଣା ପ୍ରକ୍ରିୟାରେ ସାମିଲ କରିବା ଏବଂ ନକଲି ଚାଷୀମାନଙ୍କୁ ଏହି ପ୍ରକ୍ରିୟାରୁ ବାଦ ଦେବା ଉଦ୍ଦେଶ୍ୟରେ ଚଳିତ ବର୍ଷ ଆଧାରଭିତ୍ତିକ ଇ-କେୱାଇସି କରାଯାଉଛି। ଏତଦ୍‌ବ୍ୟତୀତ ଭାଗଚାଷୀ ଏବଂ ଅଧିକରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ମଧ୍ୟ ଉପକୃତ ହୋଇପାରିବେ। ଚାଷୀଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରେକର୍ଡଧାରୀ ତଥା ଜମିମାଲିକଙ୍କ ସହମତିପତ୍ର ମଧ୍ୟ ସଂଲଗ୍ନ କରାଯାଉଛି। ଏହା ଦ୍ୱାରା ଧାନ ସଂଗ୍ରହବେଳେ କୌଣସି ସ୍ତରରେ ଯୋଗ୍ୟଚାଷୀ ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ଧାନ ବିକ୍ରୟ ଉଦ୍ଦେଶ୍ୟରେ ଚାଷ ଅନୁପଯୋଗୀ ଜମି କିମ୍ବା ଅଣଧାନ ଚାଷ ହୋଇଥିବା ଜମିକୁ ପଞ୍ଜୀକରଣ ପ୍ରକ୍ରିୟାରୁ ବାଦ ଦେବା ପାଇଁ ସମିତି ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ତ୍ରୁଟିଶୂନ୍ୟ ଚାଷୀ ତାଲିକା ପ୍ରସ୍ତୁତ କରାଯାଇ ଯୋଗ୍ୟ ଚାଷୀମାନଙ୍କଠାରୁ ଧାନ କ୍ରୟ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। କୌଣସି ସମସ୍ୟା ଥିଲେ ଚାଷୀମାନେ ଦେୟମୁକ୍ତ ନମ୍ବର ୧୯୬୭ରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।