୩୮ ଆହାର କେନ୍ଦ୍ର ଲୋକାର୍ପିତ

ସବୁ ସହରାଞ୍ଚଳରେ ଆହାର କେନ୍ଦ୍ର

ଭୁବନେଶ୍ବର : ରାଜ୍ୟର ସହରାଞ୍ଚଳରେ ଆଉ ୩୮ଟି ଆହାର କେନ୍ଦ୍ର ଆଜି ଲୋକାର୍ପିତ ହୋଇଛି। ଫଳରେ ରାଜ୍ୟରେ ଆହାର କେନ୍ଦ୍ର ସଂଖ୍ୟା ୧୫୭କୁ ବୃଦ୍ଧି ପାଇଛି। ଏହା ସହ ରାଜ୍ୟର ସମସ୍ତ ୧୧୪ଟି ପୌରାଞ୍ଚଳରେ ଆହାର କେନ୍ଦ୍ର ଖୋଲିଛି। ୫୬ଟି ଡାକ୍ତରଖାନା କ୍ୟାମ୍ପସ୍‌ରେ ଥିବା ଆହାର କେନ୍ଦ୍ରରେ ଏହି ସୁବିଧା ରାତିରେ ମଧ୍ୟ ଉପଲବ୍ଧ ହେଉଛି।

ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆହାର କେନ୍ଦ୍ରଗୁଡ଼ିକୁ ଲୋକାର୍ପିତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଖାଦ୍ୟର ଗୁଣବତ୍ତା ଓ ପରିଷ୍କାର ପରିଚ୍ଛନ୍ନତା ଏହି କାର୍ଯ୍ୟକ୍ରମର ବିଶେଷତ୍ବ। ବର୍ତ୍ତମାନ ରାଜ୍ୟର ସବୁ ପୌରାଞ୍ଚଳ ଏହି କାର୍ଯ୍ୟକ୍ରମରେ ‌ସାମିଲ ହେଲା। ଏହା ଦ୍ବାରା ପ୍ରତିଦିନ ୧ ଲକ୍ଷ ଲୋକ ସୁଲଭ ଖାଦ୍ୟ ଖାଇବାର ସୁଯୋଗ ପାଇପାରିବେ। ସମସ୍ତଙ୍କ ସହଯୋଗରେ ଆଗକୁ ଏହିପରି ଭଲ ସେବା ଲୋକଙ୍କୁ ଯୋଗାଇ ଦିଆଯାଇପାରିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହାର ଓଡ଼ିଶାର ୱେବ୍‌ ପୋର୍ଟାଲ ମଧ୍ୟ ଉନ୍ମୋଚନ କରିଥିଲେ।

୨୦୧୫ ଏପ୍ରିଲ୍ ପହିଲାରେ ରାଜ୍ୟର ୫ଟି ମହାନଗର ନିଗମ ଅଞ୍ଚଳରେ ୨୧ଟି ଆହାର କେନ୍ଦ୍ର ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୭.୨ କୋଟି ମିଲ୍ ଲୋକଙ୍କୁ ଦିଆଯାଇସାରିଛି। ଏହି କାର୍ଯ୍ୟକ୍ରମରେ ଖାଦ୍ୟ ପଦାର୍ଥ ପରିବହନ ପାଇଁ ୬୫ଟି ଗାଡ଼ି ଓ ୨୦୦୦ ଲୋକ ନିଯୁକ୍ତି ହୋଇଛନ୍ତି। ଆଜି ଉନ୍ମୋଚିତ ହୋଇଥିବା ୱେବ୍‌ସାଇଟ୍‌ ଦ୍ବାରା ଆହାର କାର୍ଯ୍ୟକ୍ରମ ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ଦାନ କରିପାରିବେ। ଏହି କାର୍ଯ୍ୟକ୍ରମ ନିମନ୍ତେ ନିଜର ଅବଦାନ ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ଜନ୍ମଦିନ, ବିବାହ ବାର୍ଷିକୀ, ଶ୍ରାଦ୍ଧ ବା ଅନ୍ୟ କୌଣସି ସ୍ମରଣୀୟ ଦିନରେ ସ୍ବେଚ୍ଛାକୃତ ଭାବେ ଯେ କୌଣସି ଆହାର କେନ୍ଦ୍ରକୁ ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ ଖାଦ୍ୟପ୍ରଦାନର ବ୍ୟବସ୍ଥା କରିପାରିବେ। ଆଜିର କାର୍ଯ୍ୟକ୍ରମରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ଉଷା ଦେବୀ, ଉନ୍ନୟନ କମିସନର ଅସିତ ତ୍ରିପାଠୀଙ୍କ ସମେତ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ। ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ମାଥିଭାଥାନନ୍ ସ୍ବାଗତ ଭାଷଣ ଦେଇଥିଲା ବେଳେ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର