ନିର୍ବାଚନ ପରିଚାଳନା ପାଇଁ ୩୮ ପର୍ଯ୍ୟବେକ୍ଷକ, ୩୪ ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ ଏବଂ କୋଭିଡମୁକ୍ତ କରିବାକୁ ବିଭିନ୍ନ ଜିଲ୍ଲା ପାଇଁ ନିଯୁକ୍ତ ହୋଇଥିବା ନିର୍ବାଚନ ପର୍ଯ୍ୟବେକ୍ଷକ ଏବଂ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନଙ୍କ ଏକ ବୈଠକ ସୋମବାର ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଗୀତଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀ ପାଢ଼ୀ କହିଥିଲେ ଯେ ନିର୍ବାଚନ ସମୟରେ ନିର୍ବାଚନ ପର୍ଯ୍ୟବେକ୍ଷକମାନେ ଆୟୋଗଙ୍କ ଆଖି ଓ କାନ ଭାବେ ସଂପୂର୍ଣ୍ଣ ରାଜ୍ୟ ଉପରେ ତୀକ୍ଷ୍ଣ ନଜର ରଖିବେ ଏବଂ ନିୟମିତ ଅନ୍ତରରେ ରାଜ୍ୟ ନିର୍ବାଚନ କମିସନରଙ୍କୁ ରିପୋର୍ଟ ପ୍ରଦାନ କରିବେ। ଜିଲ୍ଲାରେ ନିର୍ବାଚନ ଆଚରଣ ବିଧିର ଠିକ୍ ପାଳନ ହେଉଛି କି ନାହିଁ ସେ ଉପରେ ସେମାନେ ମୁଖ୍ୟତଃ ଦୃଷ୍ଟି ରଖିବେ। ନିର୍ବାଚନରେ ସମସ୍ତ ପ୍ରକାରର ରାଲିକୁ ନିଷେଧ କରାଯାଇଥିବା ବେଳେ ଏଥିପ୍ରତି ପର୍ଯ୍ୟବେକ୍ଷକମାନେ ସଜାଗ ରହିବେ। ଏଥର ଭୋଟ୍‌ ଗଣତି ବୁଥ୍‌ ବଦଳରେ ବ୍ଲକ୍ ମୁଖ୍ୟାଳୟରେ ହେବାକୁ ଥିବାରୁ ପର୍ଯ୍ୟବେକ୍ଷକମାନେ ଆୟୋଗ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ମଧ୍ୟରେ ଯୋଗସୂତ୍ର ରଖି କାର୍ଯ୍ୟ କରିବାକୁ କମିସନ ପ୍ରସ୍ତାବ ଦେଇଛନ୍ତି। ସେହିପରି ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ପ୍ରାର୍ଥୀ ଏବଂ ରାଜନୈତିକ ଦଳଗୁଡ଼ିକର ଖର୍ଚ୍ଚ, ନିର୍ବାଚନରେ ବ୍ୟବହୃତ ଯାନ ଆଦି ତଦାରଖ କରିବା ସହ ନିୟମିତ ଖର୍ଚ୍ଚ ତାଲିକାକୁ ଯାଞ୍ଚ କରିବାକୁ ଶ୍ରୀ ପାଢୀ ନିର୍ଦ୍ଦେଶ ଦେଇଛନ୍ତି। ଯଦି କୌଣସି ପ୍ରାର୍ଥୀ ଧାର୍ଯ୍ୟ ଖର୍ଚ୍ଚ ଠାରୁ ଅଧିକ ଖର୍ଚ୍ଚ କରିଥିବା ନଜରକୁ ଆସେ ତେବେ ଏ ସମ୍ପର୍କରେ ତୁରନ୍ତ ଆୟୋଗଙ୍କ ନଜରକୁ ଆଣିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ନିୟମିତ ନିର୍ବାଚନ ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ଯୋଗସୂତ୍ରରେ ରହି ଆୟୋଗଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିବେ। ସୂଚନାଯୋଗ୍ୟ ଯେ, ରାଜ୍ୟ ନିର୍ବା‌ଚନ କମିସନର ୩୦ଜିଲ୍ଲା ନିମନ୍ତେ ୩୮ଜଣ ନିର୍ବାଚନ ପର୍ଯ୍ୟବେକ୍ଷକ ଏବଂ ୩୪ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର