ପୁରୀ: ରଥଖଳାରେ ରଥ ନିର୍ମାଣକୁ ଆଜି ୨୨ ଦିନ ପୂରିଛି। ଆଜି କାମ ଶେଷ ସୁଦ୍ଧା ତିନି ରଥର ୪୨ଟି ଚକରୁ ୩୮ଟି ଚକ ନିର୍ମାଣ ଶେଷ ହୋଇଛି। ତିନିରଥର ୫ଟି ନାହାକା ଅଖ ନିର୍ମାଣ ଶେଷ ହୋଇଛି। ଏଥିସହ ତାଳଧ୍ୱଜ ରଥର ୨ଟି, ଦର୍ପଦଳନ ଓ ନନ୍ଦିଘୋଷ ରଥର ଗୋଟିଏ ଲେଖାଁଏ ପଡ଼ିନାହାକା ଅଖ ନିର୍ମାଣ ଶେଷ ହୋଇଛି। ନନ୍ଦିଘୋଷ ରଥ ଓ ଦର୍ପଦଳନ ରଥର ଦୁଇଟି ଲେଖାଁଏ ୨୦ ଫୁଟିଆ ନିରାଡ଼ି କାଠର ଚଉପଟ କାର୍ଯ୍ୟ ଶେଷ ହୋଇଛି। ନନ୍ଦିଘୋଷ ରଥର ୧୬ଟି ଚକରୁ ୧୫ଟି ଚକର ନିର୍ମାଣ ଶେଷ ହୋଇଛି। ଶେଷ ଚକର ତୁମ୍ବରେ ଅର ସଂଯୋଗ, ସିଙ୍ଗଡ଼ା ବାଡ଼ିଆ, ଅରରେ କଣ୍ଟା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି। ଦୁଇଟି ନାହାକା ଅଖ ଓ ଗୋଟିଏ ପଡି ନାହାକା ଅଖ ନିର୍ମାଣ ଶେଷ ହୋଇଛି। ୪ଟି ନିରାଡ଼ିରୁ ୨ଟି ନିରାଡ଼ିର ଚଉପଟ କାର୍ଯ୍ୟ ଶେଷ ହୋଇଛି।
୧୨ଟି ଚଉତା କାଠରୁ ୧୦ଟିର ଚଉପଟ ସରି ଶେଷ ଦୁଇଟିର ଚଉପଟ ଜାରି ରହିଛି। ତାଳଧ୍ବଜ ରଥର ମୋଟ ୧୪ଟି ଚକରୁ ଆଜି ସୁଦ୍ଧା ୧୨ଟି ଚକର ନିର୍ମାଣ ଶେଷ ହୋଇଥିବାବେଳେ ବାକି ଦୁଇଟି ଚକର ତୁମ୍ବରେ ଅର ସଂଯୋଗ ସହ ଅରରେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି। ଦର୍ପଦଳନ ରଥର ୧୨ଟି ଚକରୁ ୧୧ଟି ଚକ ନିର୍ମାଣ ସରିଛି। ଶେଷ ଚକର ତୁମ୍ବରେ ଅର ସଂଯୋଗ ଓ ସିଙ୍ଗଡ଼ା ବାଡ଼ିଆ ଶେଷହୋଇଛି। ରୂପକାର ସେବକମାନେ ଗୁଜଗୁଡ଼ିକର ରୂପ ଖୋଦେଇ ଜାରି ରଖିଛନ୍ତି। କରତି ସେବକମାନେ ତାଳଧ୍ବଜ ରଥର ୨୦ ଫୁଟିଆ ପୋଲ ଗୟଳ ଚିରଟ କାର୍ଯ୍ୟ ଜାରି ରଖିଛନ୍ତି। ଓଝା ସେବକମାନେ କମାରଶାଳରେ ତିନି ରଥର ଦଣ୍ଡା କଣ୍ଟା, ଗୟଳ କଣ୍ଟା, ଯୋଖା କଣ୍ଟା ଓ କଇଁଚି କଣ୍ଟା ନିର୍ମାଣ ଜାରି ରଖିଛନ୍ତି।