ରାଉରକେଲା: ବିଭିନ୍ନ ଦାବି ନେଇ ରାଜ୍ୟର ସମସ୍ତ ଅଙ୍ଗନବାଡିକର୍ମୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ରାଜଧାନୀ ଭୁବନେଶ୍ବରରେ ଧାରଣାରେ ଦିନରାତି ସେମିତି ବସି ରହିଛନ୍ତି। ଗତ ୨୧ ନଭେମ୍ବରରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଆଜି ୨୬ ଦିନରେ ପହଞ୍ଚିଥିଲେ ହେଁ ସେମାନଙ୍କ ଦାବି ପୂରଣ ହୋଇନି। ଯାହାର ସିଧାସଳଖ ପ୍ରଭାବ ପଡିଛି ଅଙ୍ଗନବାଡି କେନ୍ଦ୍ରରେ ପାଠ ପଢ଼ୁଥିବା ୩ ବର୍ଷରୁ ୬ ବର୍ଷର କୋମଳମତି ଶିଶୁଙ୍କ ଉପରେ। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରାୟ ୩ ହଜାର ୮୦୯ କେନ୍ଦ୍ରରେ ଏବେ ତାଲା ଝୁଲୁଛି। ଗୋଟିଏ ହେଲେ ବି ଅଙ୍ଗନବାଡି କେନ୍ଦ୍ର ଖୋଲୁନି। ଫଳରେ କୋମଳମତି ଶିଶୁମାନେ କେବଳ ପ୍ରାଥମିକ ଶିକ୍ଷାଦାନରୁ ବଞ୍ଚିତ ହେଉନାହାନ୍ତି ବରଂ ସେମାନଙ୍କୁ ପୁଷ୍ଟିକର ରନ୍ଧାଖାଦ୍ୟ ଓ ଜଳଖିଆ ମଧ୍ୟ ମିଳୁନି।
ପ୍ରତ୍ୟେକ କୋମଳମତି ଶିଶୁଙ୍କ ପିଛା ସକାଳ ଜଳଖିଆ ଓ ମଧ୍ୟାହ୍ନ ଭୋଜନ ବାବଦରେ ମାସକୁ ହାରାହାରି ୧୮୮ ଟଙ୍କା ସରକାର ବହନ କରୁଛନ୍ତି। ଏମିତି ଭାବେ ଜିଲ୍ଲାରେ ମୋଟ ପ୍ରାୟ ୮୬ ହଜାର ୮୪୪ ଶିଶୁଙ୍କ ବାବଦରେ ଦୈନିକ ୬ ଲକ୍ଷ ୫୧ ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ ହେଉଛି। ମାସକୁ ୧ କୋଟି ୭୦ ଲକ୍ଷରୁ ଅଧିକ ସରକାର ବହନ କରୁଛନ୍ତି। ଏଥିସହ ଅନ୍ୟାନ୍ୟ ଖର୍ଚ୍ଚ ବନ୍ଦ ରହିଛି। ୨୬ ଦିନ ଧରି ଶିଶୁମାନଙ୍କୁ ଖାଇବାକୁ ମିଳି ନଥିବାରୁ ପାଖାପାଖି ୨ କୋଟି ଟଙ୍କା ଜିଲ୍ଲାର ବିଭାଗୀୟ ଅଧିକାରୀ ପାଖରେ ପଡିରହିଛି।
ସେପଟେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକୁ ଖୋଲୁ ନଥିବାରୁ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧିପାଇଛି। ସରକାର ଅଙ୍ଗନବାଡି କର୍ମଚାରୀମାନଙ୍କ ଦାବି ଓ ଅନ୍ୟାନ୍ୟ ସମସ୍ୟାଗୁଡ଼ିକ ତୁରନ୍ତ ସମାଧାନ କରି ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ ଉଦ୍ୟମ କରନ୍ତୁ ବୋଲି ଅଭିଭାବକଙ୍କ ପକ୍ଷରୁ କୁହାଯାଇଛି। ଯଦି ଆଗାମୀ ଦିନରେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ନ ଖୋଲେ, କିଛି କୋମଳମତି ଶିଶୁ ଅପପୁଷ୍ଟିର ଶିକାର ମଧ୍ୟ ହୋଇପାରନ୍ତି। କାରଣ ସୁନ୍ଦରଗଡ଼ ଜିଲ୍ଲାର ଅଧିକାଂଶ ଉପାନ୍ତ ବ୍ଲକର ବସ୍ତି ଓ ରାଉରକେଲା ଆଖପାଖ ବସ୍ତିର କୋମଳମତି ଶିଶୁମାନେ ସକାଳ ଓ ମଧ୍ୟାହ୍ନ ଭୋଜନ ପାଇଁ କେବଳ ଅଙ୍ଗନବାଡି କେନ୍ଦ୍ର ଉପରେ ନିର୍ଭରଶୀଳ। କୋମଳମତି ଶିଶୁଙ୍କ ସ୍ବାର୍ଥ ଦୃଷ୍ଟିରୁ ସରକାର ଅଙ୍ଗନବାଡି କର୍ମଚାରୀଙ୍କ ସହ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାର ଆବଶ୍ୟକତା ରହିଛି। ଉଲ୍ଳେଖଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ୮୦୯ ଟି ଅଙ୍ଗନବାଡି କେନ୍ଦ୍ର ରହିଛି। ସିଭିଲଟାଉନ୍ସିପ୍, ସହରାଞ୍ଚଳ ଓ ଶିଳ୍ପାଞ୍ଚଳ ପ୍ରକଳ୍ପ ଅଧୀନରେ ମୋଟ ୩୯୦ ଟି କେନ୍ଦ୍ର ରହିଛି। ଜିଲ୍ଲାରେ ମୋଟ ୩୦୧୦ ମୁଖ୍ୟ, ୭୯୯ ମିନି ଅଙ୍ଗନବାଡି କେନ୍ଦ୍ର ରହିଛି। ସେଠାରେ ୩ ବର୍ଷରୁ ୬ ବର୍ଷ ବୟସର ମୋଟ ୮୬ ହଜାର ୮୪୪ କୋମଳମତି ଶିଶୁଙ୍କୁ ପ୍ରାଥମିକ ଶିକ୍ଷା ଦିଆଯାଉଛି। ସହରାଞ୍ଚଳରେ ମୋଟ ୧୬୦ଟି କେନ୍ଦ୍ରରେ ପ୍ରାୟ ୫ ହଜାର ୬୪୧, ସିଭିଲଟାଉସିପ୍ରେ ୩ ହଜାର ୯୨୩, ଶିଳ୍ପାଞ୍ଚଳରେ ୩ ହଜାର ୬୬୭ ଶିଶୁ ପଢ଼ୁଛନ୍ତି। ଦୁଇଟି ପ୍ରକଳ୍ପ ଅଧୀନରେ ମୋଟ ୧୧୫ଟି କେନ୍ଦ୍ର ରହିଛି।