ବ୍ରହ୍ମପୁର: ଗଜପତି ଜିଲ୍ଲାରୁ ବିହାରକୁ ଗଂଜେଇ ଚାଲାଣ ପାଇଁ ହୋଇଥିଲା ଯୋଜନା। ଏକ ଟ୍ରକ୍ରେ ବିପୁଳ ପରିମାଣ ଗଂଜେଇ ଆସୁଥିବା ନେଇ ଆଗୁଆ ସୂଚନା ମିଳିଥିଲା। ସେ ନେଇ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ୍ ଆଜି ସକାଳେ ସଦର ଥାନା ପଦରବାଲି ଛକରେ ବ୍ଲକିଂ କରିଥିଲା। ଗାଡ଼ି ଯାଞ୍ଚ ସମୟରେ ପଶ୍ଚିମବଙ୍ଗ ନମ୍ବର ଥିବା ଏକ ଟ୍ରକ୍(ଡବ୍ଲୁବି୨୫ଜି ୮୬୮୪)କୁ ସନ୍ଦେହରେ ଅଟକ ରଖି ଯାଞ୍ଚ କରାଯାଇଥିଲା। ଟ୍ରକ୍ ଡାଲା ଖାଲିଥିବା ଦେଖିବାକୁ ମିଳିଥିଲା। ଅଧିକ ଯାଞ୍ଚ ପରେ ଟ୍ରକ୍ରେ ଏକ ଗୁପ୍ତ ଚାମ୍ବର ଥିବା ଜଣାପଡ଼ିଥିଲା। ତାହା ଖୋଲି ଯାଞ୍ଚ କରିବା ପରେ ଟ୍ରକ୍ ଡାଲାରୁ ୧୧ଟି ପ୍ଲାଷ୍ଟିକ୍ ବସ୍ତାରେ ଭର୍ତ୍ତି ରହିଥିବା ଗଂଜେଇ ଜବତ ହୋଇଥିଲା। ଓଜନ ପରେ ତାହା ୩୮୫ କେଜି ହୋଇଥିବା ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ।
ଏ ସଂକ୍ରାନ୍ତରେ ବିହାର ବୈଶାଳୀ ଜିଲ୍ଲା ଜୁରାୱାନପୁର ଥାନା ଅନ୍ତର୍ଗତ ବୀରପୁର ଗ୍ରାମର ଅରବିନ୍ଦ କୁମାର(୨୮) ଓ ନୀତିଶ କୁମାର(୨୩)ଙ୍କୁ ଗିରଫ କରାଯାଇଥିବା ବିଭାଗୟୀ ସୂତ୍ରରୁ ପ୍ରକାଶ। ଜବତ ଗଞ୍ଜେଇ ଗଜପତି ଜିଲ୍ଲାର ଚାନ୍ଦିପୁଟ ଅଞ୍ଚଳରୁ ଏକ ଟ୍ରକ୍ରେ ଅଣାଯାଇ ବ୍ରହ୍ମପୁର ଦେଇ ବିହାର ଚାଲାଣ ହୋଇଥାନ୍ତା ବୋଲି ତଦନ୍ତରେ ଜଣାପଡ଼ିଛି। ଅବକାରୀ ବିଭାଗ କମିସନର୍ ଆଶିଷ ସିଂ ଓ ଡେପୁଟି କମିସନର୍ ରାଜେନ୍ଦ୍ର ଭତ୍ରାଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ପଦରବାଲି ଛକରେ ବ୍ଲକିଂ କରି ଏହି ଗଂଜେଇ ଚାଲାଣ ରାକେଟ ଠାବ କରିଛି। ଜବତ ଗଞ୍ଜେଇ ଓ ଟ୍ରକ୍ର ଆନୁମାନିକ ମୂଲ୍ୟ ପ୍ରାୟ ୩୯ ଲକ୍ଷ ୨୫ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ଚଢ଼ଉରେ ଅବକରୀ ଗୁଇନ୍ଦା ବିଭାଗ ଇନ୍ସ୍ପେକ୍ଟରର୍ ହୃଦୟ ଚନ୍ଦ୍ର ସାମନ୍ତ, ଏସ୍ଆଇ ବିଶ୍ବଜିତ ଦାଶ, ଏଏସ୍ଆଇ ବ୍ରଜବିହାରୀ ନାୟକ ପ୍ରମୁଖ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/ganja-1.jpg)