ଓୟୁଏଟିର ୩୮ତମ ସମାବର୍ତନ ଉତ୍ସବ : ଜଳ, କୃଷି ଶ୍ରମିକ ଓ ବଜାର ଅଭାବ ବଡ଼ ଆହ୍ୱାନ

ଖଣ୍ଡଗିରି : ଆମ ଦେଶର କୃଷି ୫ ହଜାର ବର୍ଷ ତଳର ଏକ ସମୃଦ୍ଧ ସଂସ୍କୃତି। ମାତ୍ର ଗତ ୨୦ ବର୍ଷ ଭିତରେ ଏହି ସଂସ୍କୃତିରେ ବିରାଟ ବିଲକ୍ଷଣ ପରିଲକ୍ଷିତ ହେଉଛି। ମୌସୁମୀର ଅନିୟମିତତା, ଜଳବାୟୁ ପରିବର୍ତ୍ତନ, ଜଳାଭାବ ଭଳି ପ୍ରାକୃତିକ ବିଲକ୍ଷଣ ସହ କୃଷି ଶ୍ରମିକ ଓ ବଜାର ଅଭାବ ଆଗକୁ କୃଷି ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିବ। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବଳରେ ବଳିୟାନ ଆଧୁନିକ କୃଷି ପଦ୍ଧତି ଦ୍ବାରା ଖାଦ୍ୟ ଉତ୍ପାଦନ ବୃଦ୍ଧି ପାଉଥିଲେ ବି ଏହି ସବୁ ନୂତନ ସମସ୍ୟା ପାଇଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ। ଏହାର ନିରାକରଣ ପାଇଁ କୃଷି ବିଜ୍ଞାନର ଛାତ୍ରମାନଙ୍କର ବଡ଼ ଭୂମିକା ରହିଛି। ସହରମୁହାଁ ହେଉଥିବା ଲୋକଙ୍କ ମନରେ ପୁଣି କୃଷି ପ୍ରତି ଆଗ୍ରହ ସୃଷ୍ଟି କରିବା ହେଉଛି କୃଷି ବିଜ୍ଞାନୀମାନଙ୍କ ମୁଖ୍ୟ କାମ। ତାହା ହେଲେ ମାନବ ସଭ୍ୟତାର ଅଶେଷ କଲ୍ୟାଣ ହୋଇପାରିବ। ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ର ୩୮ତମ ସମାବର୍ତନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଇମ୍ଫାଲ କେନ୍ଦ୍ରୀୟ କୃଷି ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ଏସ୍ ଆୟାପ୍ପାନ ତାଙ୍କ ଦୀକ୍ଷାନ୍ତ ଭାଷଣରେ ଏହା କହିଛନ୍ତି।

ସେ ପୁଣି କହିଥିଲେ, ସମ୍ପ୍ରତି ଦେଶର କୃଷି ଉତ୍ପାଦନ ବୃଦ୍ଧି ପାଇଛି। ଖାଦ୍ୟ ଶସ୍ୟ, ମତ୍ସ୍ୟ ଓ ଦୁଗ୍‌ଧ ଉତ୍ପାଦନ ୮ ଶହ ମିଲିଅନ୍‌ ଟନ୍‌କୁ ଟପି ପାରିଛି। ତେବେ ଆଗାମୀ ଆହ୍ବାନ ସବୁକୁ ମୁକାବିଲା କରିବାକୁ ପଡ଼ିବ। ଅମଳ ପରବର୍ତ୍ତୀ ଖାଦ୍ୟଦ୍ରବ୍ୟ ନଷ୍ଟକୁ ରୋକିବା ସହ କୃଷକକୁ ଅଧିକ ସଶକ୍ତ କରିବାକୁ ପଡ଼ିବ। ‘ନୋ କଲ୍‌ଚର ୱିଦାଉଟ୍‌ ଏଗ୍ରିକଲ୍‌ଚର (କୃଷି ବିନା ସଂସ୍କୃତି ନାହିଁ) କଥାକୁ ଗୁରୁତ୍ବ ଦେବାକୁ ପଡ଼ିବ ବୋଲି କୃଷି ବିଜ୍ଞାନର ଡିଗ୍ରିଧାରୀମାନଙ୍କୁ ସେ ଦୀକ୍ଷାନ୍ତ ଉଦ୍‌ବୋଧନ ଛଳରେ କହିଥିଲେ। ଉତ୍ସବରେ ପୌରୋହିତ୍ୟ କରୁଥିବା ରାଜ୍ୟପାଳ ତଥା ଓୟୁଏଟିର କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ ଶିକ୍ଷାକୁ ମଣିଷର ଜୀବନ ଭାବେ ଅଭିହିତ କରିଥିଲେ। ଡିଗ୍ରିଧାରୀମାନଙ୍କ ଉଦ୍ଦେଶ୍ୟରେ ସେ କହିଲେ, ଏହି ଖୁସିର ଦିନ ସେମାନଙ୍କୁ ମାନବବାଦ ଆଡ଼କୁ ଆକର୍ଷିତ କରିବ। କୁଳପତି ଡ. ପୱନ କୁମାର ଅଗ୍ରୱାଲ୍‌ ବିଶ୍ବବିଦ୍ୟାଳୟର ଗବେଷଣା ସଂକ୍ରାନ୍ତୀୟ ନୂତନ କାର୍ଯ୍ୟକ୍ରମ ବାବଦରେ ସୂଚନା ଦେଇ କହିଲେ, ରାଜ୍ୟରେ ଅଦା ଓ ହଳଦୀ ଚାଷର ଉନ୍ନତି ପାଇଁ ୩ଟି ନୂତନ ବିହନ ବିଜ୍ଞପିତ ହୋଇଛି। ଆଗକୁ ୧୦ଟି ନୂଆ ପ୍ରକାର ଧାନ ଓ ଡାଲି ଜାତୀୟ ଫସଲର ଉନ୍ନତ ଓ ଅଧିକ ଅମଳକ୍ଷମ ବିହନ ବିଜ୍ଞପିତ ହେବାକୁ ଯାଉଛି। ବନରାଜ କୁକୁଡ଼ା ଭଳି ନୂତନ ଜାତୀୟ କୁକୁଡ଼ା ‘ପଲ୍ଲିଶ୍ରୀ’ ଚାଷ ଏକ ନୂତନ ଅଧ୍ୟାୟ ହୋଇଛି। ଶିକ୍ଷାଦାନକୁ ଅଧିକ ଉନ୍ନତ କରିବା ଲକ୍ଷ୍ୟରେ ଅଧ୍ୟାପକମାନଙ୍କୁ ବିଦେଶ କୃଷି ବିଶ୍ବବିଦ୍ୟାଳୟକୁ ପଠାଯାଉଛି। ୫ ଜଣ ପିଏଚ୍‌ଡି ଛାତ୍ର ଫିଲ୍‌ପାଇନ୍‌ସ ଯାଇଥିବା ବେଳେ ୧୦ ଜଣଙ୍କୁ ଆମେରିକାର ନେଭ୍‌ରାଜ୍‌ ବିଶ୍ବବିଦ୍ୟାଳୟ ପଠାଯିବା ପାଇଁ ପ୍ରସ୍ତୁତି ଚାଲିଛି।

ଏହି ଉତ୍ସବ‌ରେ ୧୧୪ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଥିଲା। ୭୪୦ ଜଣଙ୍କୁ ସ୍ନାତକ, ୪୮୨ ଜଣଙ୍କୁ ସ୍ନାତକୋତ୍ତର ଓ ୩୦ ଜଣଙ୍କୁ ପିଏଚ୍‌ଡି ଡିଗ୍ରି ପ୍ରଦାନ କରାଯାଇଥିଲା। ନାଲ୍‌କୋର ପୂର୍ବତନ ଅକ୍ଷ୍ୟଧ ଓ ପରିଚାଳନା ନିର୍ଦେଶକ ଇଂ ଅଂଶୁମାନ ଦାସଙ୍କୁ ସମ୍ମାନସୂଚକ ଡିଏସ୍‌ସି ଉପାଧି ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର