କବିସୂର୍ଯ୍ୟନଗର: ଆନୁଷଙ୍ଗିକ ଭିତ୍ତିଭୂମି ଅଭାବ ଏବଂ ବିଭିନ୍ନ ଅବ୍ୟବସ୍ଥା ଅସହ୍ୟ ହେଲା। ଅଭିଯୋଗ କେହି ଶୁଣିଲେନି। ଏହାର ପ୍ରତିବାଦରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରସ୍ଥିତ କବିସୂର୍ଯ୍ୟ ବିଦ୍ୟାପୀଠ (ସଂସ୍କୃତ ଟୋଲ୍) ସେବାଶ୍ରମରୁ ୩୯ ଜଣ ଅନ୍ତେବାସୀ (ଛାତ୍ର) ଗତକାଲି ରାତିରେ ଘରକୁ ପଳାଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଏହାର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ କବିସୂର୍ଯ୍ୟନଗର ବ୍ଲକ୍ ଶିକ୍ଷାଧିକାରୀଙ୍କୁ ନି‌ର୍ଦ୍ଦେଶ ଦେଇଛନ୍ତି। କବିସୂର୍ଯ୍ୟନଗର ସହରର ପରିବାପାଲି ସାହିରେ ଥିବା କବିସୂର୍ଯ୍ୟ ବିଦ୍ୟାପୀଠ ୧୧୪ ବର୍ଷ ପୁରୁଣା। ଯାହାକି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ବାରା ପରିଚାଳିତ ହେଉଥିବା ବେଳେ ବିଭିନ୍ନ ଜିଲ୍ଲାରୁ ଛାତ୍ର ଆସି ଏଠାରେ ପଢ଼ୁଛନ୍ତି। ଏହି ଅନୁଷ୍ଠାନ ୨୦୧୬ ମସିହାରୁ ଆବାସିକ ଅନୁଷ୍ଠାନ ଭାବେ ପରିଚାଳିତ ହୋଇ ଆସୁଥିଲା। ତେବେ ବିଦ୍ୟାଳୟଟି ରାଜ୍ୟ ସରକାରଙ୍କ ରୂପାନ୍ତରୀକରଣ ତାଲିକାରେ ସାମିଲ ହୋଇଥିବାରୁ ଏଠାରେ ଭିତ୍ତିଭୂମି ଓ ନୂତନ କୋଠା ନିର୍ମାଣ କାର୍ଯ୍ୟ ଜାରି ରହିଛି। ଫଳରେ ଅନ୍ତେବାସୀଙ୍କୁ ଏକବର୍ଷ ହେଲା ଅସ୍ଥାୟୀ ଭାବେ ନାରାୟଣପୁରଶାସନ ନିକଟ ନାରାୟଣପୁର ପ୍ରାଥମିକ ବିଦ୍ୟାଳୟରେ ଅସ୍ଥାୟୀ ଭାବେ ଶିକ୍ଷାଦାନ କରାଯାଉଥିବା ବେଳେ ଏଠାରେ ହିଁ ସେବାଶ୍ରମ ଚାଲିଛି।

Advertisment

କିନ୍ତୁ ଗତ କିଛିମାସ ହେଲା ଅନୁଷ୍ଠାନ ଓ ସେବାଶ୍ରମ ନାନାବିଧ ସମସ୍ୟା ମଧ୍ୟ ଦେଇ ଗତି କରୁଛି। ନିମ୍ନମାନର ମଧ୍ୟାହ୍ନଭୋଜନ ଦିଆଯାଉଥିବା ସହ ୧୧୫ ଜଣ ଛାତ୍ରଙ୍କ ପାଇଁ ଗୋଟିଏ ପାଇଖାନା ଓ ଗୋଟିଏ ନଳକୂପ ରହିଛି। ବିଦ୍ୟାଳୟ ପରିବେଶ ମଧ୍ୟ ଅତ୍ୟନ୍ତ କଦର୍ଯ୍ୟ ହୋଇଥିବା ବେଳେ ପାଣି ଜମି ରହୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଛାତ୍ରଙ୍କ ଅଭିଭାବକମାନେ ବହୁବାର ଅସନ୍ତୋଷ ଜାହିର କରିଥିଲେ। ଏପରିକି ୧୦ ଦିନ ତଳେ ୧୦ ଜଣ ଛାତ୍ର ସେମାନଙ୍କ ପରିବାର ସଦସ୍ୟଙ୍କୁ ଡାକି ଏଠାରୁ ପଳାଇଥିଲେ। ଆଉ ଗତକାଲି ଆଉ ୩୯ ଜଣ ଛାତ୍ର କାହାକୁ କିଛି ନକହି ସେବାଶ୍ରମ ଛାଡ଼ି ପଳାଇଥିଲେ। ଏହି ଘଟଣା ଆଜି ସକା‌ଳେ ସାମ୍ନାକୁ ଆସିଥିଲା। ତନାଘନା ପରେ ସେମାନେ ନିଜ ନିଜର ଘରକୁ ପଳାଇଥିବା ଜଣାପଡ଼ିଥିଲା। ଏନେଇ ପ୍ରଧାନଶିକ୍ଷକ କହିଛନ୍ତି, ଛାତ୍ରମାନେ ପାଣି ଟ୍ୟାପ୍ ଭାଙ୍ଗିବାରୁ ସେମାନଙ୍କୁ ତାଗିଦ୍ କରାଯିବାରୁ ସେମାନେ ଏଭଳି ପଦକ୍ଷେପ ନେଇଛନ୍ତି। ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଅମିତା ପଟ୍ଟନାୟକ କହିଛନ୍ତି, କିଛି ସମସ୍ୟା କାରଣରୁ ଛାତ୍ରମାନେ ନିଜ ଘରକୁ ପଳାଇଛନ୍ତି। ତଦନ୍ତ ପାଇଁ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ।