ଭୁବନେଶ୍ବର : ଚକାଚକ୍‌ ବିଲ୍‌ଡିଂ ସାଙ୍ଗକୁ ଅତ୍ୟାଧୁନିକ ଯନ୍ତ୍ରପାତି। ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପାଇଁ ବ୍ୟାପକ ସୁବିଧା ରହିଛି। ରହିବା ଲାଗି ହଷ୍ଟେଲ କରାଯାଇଛି। ଏତେ ସବୁ ସୁବିଧା ପରେ ବି ଆଇଟିଆଇରେ ପଢ଼ିବାକୁ ଛାତ୍ରଛାତ୍ରୀ ଆଗ୍ରହ ଦେଖାଉନାହାନ୍ତି। ଯେଉଁଥିପାଇଁ ଏକାଧିକଥର ନାମଲେଖା ପ୍ରକ୍ରିୟା କରାଯିବା ପରେ ମଧ୍ୟ ହଜାର ହଜାର ସିଟ୍‌ ଖାଲି ପଡ଼ିଛି। କେଉଁଠି ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏକ ଅଙ୍କରେ ଅଟକି ରହିଛି ତ ଆଉ କେଉଁଠି ଅଧ‌ା ସିଟ୍‌ ବି ପୂରଣ ହୋଇନି। ଘରୋଇ ଆଇଟିଆଇ ଦୂରେ ଥାଉ, ଖୋଦ୍‌ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ସରକାରୀ ଆଇଟିଆଇରେ ବି ୫୦୦ରୁ ଅଧିକ ସିଟ୍‌ ଖାଲି ପଡ଼ିଛି।

Advertisment

ଅନ୍ୟପକ୍ଷରେ ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ରାଜ୍ୟ ସରକାର ୩୯ଟି ଆଇଟିଆଇର ନାମଲେଖା ବନ୍ଦ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର ୫୧୬ଟି ଆଇଟିଆଇରେ ନାମଲେଖା ନିଷ୍ପତ୍ତି ହୋଇଥିଲା। ଯେଉଁଥିରେ ୬୦ଟି ସରକାରୀ ଓ ୪୫୫ଟି ଘରୋଇ ଆଇଟିଆଇ ଥିଲେ। ଯାଞ୍ଚ ପରେ ଜଣାପଡ଼ିଥିଲା ଯେ ଉକ୍ତ ଶିକ୍ଷାନୁଷ୍ଠାନର ଆବଶ୍ୟକ ଭିତ୍ତିଭୂମି ନାହିଁ। ତେଣୁ ସେମାନଙ୍କ ସିଟ୍‌ କାଟି ଦେବାକୁ ରାଜ୍ୟ ସରକାରଙ୍କୁ ସୁପାରିସ୍‌ କରାଯାଇଥିଲା। ୨୦୨୦-୨୧ ଶିକ୍ଷାବର୍ଷରେ ବହୁ ସିଟ୍‌ ଖାଲି ପଡ଼ିଥିବାରୁ ୨୦୨୧-୨୨ରେ ଓଡ଼ିଶାର ୪୯ଟି ସରକାରୀ ଓ ୪୫୭ଟି ଘରୋଇ ଆଇଟିଆଇର ୧୪ ହଜାର ସିଟ୍ ହ୍ରାସ କରିଥିଲେ। ଏବେ ପୁଣି ପାଖାପାଖି ଦୁଇ ହଜାର ସିଟ୍‌ କଟା ଯାଇଛି। ପରିଣାମ ସ୍ବରୂପ ଚଳିତବର୍ଷ ମୋଟ ୪୭୭ଟି ଆଇଟିଆଇରେ ନାମଲେଖା କରାଯାଉଛି।

ସାମ୍‌ସ କର୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ୨୦୨୨-୨୩ ଶିକ୍ଷାବର୍ଷରେ ୪୭୭ଟି ଆଇଟିଆଇର ୭୭ହଜାର ୧୭୪ ସିଟ୍‌ରେ ନାମଲେଖା ହେଉଛି। ଏଥିପାଇଁ ୭୮ହଜାର ୩୭୮ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୬୬ହଜାର ୯୩୭ଜଣ ଛାତ୍ରଛାତ୍ରୀ ଆବଶ୍ୟକ ଫି’ ଦାଖଲ କରି ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ରାଜ୍ୟ ବାହାରର ରେକର୍ଡ ସଂଖ୍ୟକ ୩ ହଜାର ୫୭୨ଜଣ ଆବେଦନକାରୀ ରହିଥିଲେ। ୨୦୧୪ରୁ ୨୦୨୨ ମଧ୍ୟରେ ମାଟ୍ରିକ୍‌ ପାସ୍‌ କରିଥିବା ୫୯ହଜାର ୮୭୯ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ଏହା ପୂର୍ବରୁ ମାଟ୍ରିକ୍‌ ପାସ୍‌ କରିଥିବା ୩ ହଜାର ୪୯୭ଜଣ ଛାତ୍ରୀ ଆଇଟିଆଇ ପଢ଼ିବା ଲାଗି ଆଗ୍ରହ ପ୍ରକାଶ କରି ଆବେଦନ କରିଥିବା ସାମ୍‌ସ ପକ୍ଷରୁ ସୂଚନ‌ା ଦିଆଯାଇଛି। ଏତେ ସବୁ ଆବେଦନ ପରେ ବି ଆଜି ସୁଦ୍ଧା ୪୯ହଜାର ୧୦୦ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ଏବଂ ୨୮ ହଜାର ସିଟ୍‌ ଖାଲି ରହିଛି। ସ୍ପଟ୍‌ ନାମଲେଖା ଚାଲିଥିବାରୁ ଆଉ କିଛି ସିଟ୍‌ ପୂରଣ ହେବାର ସମ୍ଭାବନା ରହିଛି।

ସରକାରୀ ଆଇଟିଆଇ, ପଲିଟେକ୍‌ନିକ୍‌ ଓ ଯାନ୍ତ୍ରିକ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ରୀମାନଙ୍କ ଉପସ୍ଥାନ ବୃଦ୍ଧି ପାଇଁ ‘ସୁଦକ୍ଷା’ ସ୍ବତନ୍ତ୍ର ଯୋଜନା ପ୍ରଣୟନ ହୋଇଛି। ଯେଉଁଥିପାଇଁ ଛାତ୍ରୀଙ୍କ ସଂଖ୍ୟା ୧୦ ହଜାର ୬୫୯ରେ ପହଞ୍ଚିଛି। ସେଥିମଧ୍ୟରୁ ୨୨୭ଜଣ ବାହାର ରାଜ୍ୟର ଛାତ୍ରୀ ରହିଥିବା ଜଣାପଡ଼ିଛି। ଘରୋଇ ଆଇଟିଆଇରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବହୁତ କମ୍‌ ରହିଛି। ୩୨ଟି ଆଇଟିଆଇରେ ସିଟ୍‌ ଅନୁମୋଦନ ହୋଇଥିଲେ ମଧ୍ୟ ଜଣେ ବି ହେଲେ ପିଲା ନାମ ଲେଖାଇ ନାହାନ୍ତି। ଏମିତି ଦୁଇଟି ଆଇଟିଆଇ ରହିଛି ଯେଉଁଠାରେ ମାତ୍ର ଜଣେ ଲେଖାଏଁ ପିଲା ନାମ ଲେଖାଇଛନ୍ତି। ୨୫ରୁ ଅଧିକ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି। ୬୦ଟି ସରକାରୀ ଆଇଟିଆଇରେ ଥିବା ୧୯ ହଜାର ୫୦୦ରୁ ଅଧିକ ସିଟ୍‌ ରହିଛି। ସେଥିମଧ୍ୟରୁ ୧୯ ହଜାର ସିଟ୍‌ ପୂରଣ ହୋଇଥିବା ସାମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା‌ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଗତବର୍ଷ ଦେଶର ଶ୍ରେଷ୍ଠ ଶହେ ଆଇଟିଆଇ ମଧ୍ୟରେ ଓଡ଼ିଶାରୁ କେବଳ ୧୧ଟି ସ୍ଥାନ ପାଇଥିଲେ, ଯାହାକି ଖୁସି ଖବର। ଏହାଦ୍ବାରା ପିଲାମାନେ ଆଇଟିଆଇ ଶିକ୍ଷା ପ୍ରତି ଆଗ୍ରହ ଦେଖାଇଛନ୍ତି। ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ସିଟ୍‌ ପୂରଣ ହୋଇଛି। କାଁ ଭାଁ ଅଳ୍ପ କିଛି ସ୍ଥାନରେ ଖାଲି ପଡ଼ିଛି। ଭିତ୍ତିଭୂମି ନ ଥିବାରୁ ଘରୋଇ ଆଇଟିଆଇରେ ପିଲାଙ୍କ ସଂଖ୍ୟା କମ୍‌ ରହିଛି। ଆଇଟିଆଇ ପାଠ୍ୟକ୍ରମରେ ନିଯୁକ୍ତି ସୁଯୋଗ ରହିଥିବା ଛାତ୍ରୀଙ୍କର ବି ଆଗ୍ରହ ବଢ଼ୁଥିବା ପରିଲକ୍ଷିତ ହେଉଛି।