ଦୁର୍ଦ୍ଦାନ୍ତ ମାଓବାଦୀ ଅଶୋକଠାରୁ ୩୯ ଲକ୍ଷ ଜବତ: ଗିରଫ ପ‌ରେ ୬୦ ଜଣ ସହଯୋଗୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ଉଭୟ ଓଡ଼ିଶା ଏବଂ ଆନ୍ଧ୍ରରେ ନିଜର ପ୍ରାଧାନ୍ୟ ବିସ୍ତାର କରିଥିବା ମାଓନେତା ଅଶୋକ ଆନ୍ଧ୍ରପ୍ରଦେଶ ପୁଲିସ ହାତରେ ଧରାପଡ଼ିଛନ୍ତି। ତାଙ୍କ ନିକଟରୁ ନଗଦ ୩୯ ଲକ୍ଷ ଟଙ୍କା ଏବଂ ଲ୍ୟାଣ୍ଡମାଇନ୍ ଜବତ କରାଯାଇଥିବା ଜଣାପଡ଼ିଛି। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ହେଉଛି, ଅଶୋକଙ୍କ ଗିରଫ ପରେ ପୁଲିସ ନିକଟରେ ୬୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଦୁର୍ଦ୍ଦାନ୍ତ ମାଓବାଦୀ ଅଶୋକ ଓରଫ ରାମକ୍ରିଷ୍ଣା ଓରଫ ପ୍ରଭାକର ଓରଫ ରାୟୁଡୁ ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା ଏବଂ ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀ ଓ ଆଲୁରି ସୀତାରାମାରାଜୁ ଜିଲ୍ଲାରେ ଚଳଚଞ୍ଚଳ ଥିଲେ। ସେ ନିଜ ଗ୍ରାମ କୋଣ୍ଡରୁମରୁ ଇଞ୍ଜରି ଗ୍ରାମକୁ ଯାଉଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଆନ୍ଧ୍ରପ୍ରଦେଶର ନୂତନ ଜିଲ୍ଲା ଆଲୁରୁ ସୀତାରାମାରାଜୁ ପୁଲିସ ତାଙ୍କୁ ଘେରିଯିବା ସହିତ ଗିରଫ କରିଥିଲା। ତାଙ୍କ ନିକଟରୁ ନଗଦ ୩୯ ଲକ୍ଷ ଟଙ୍କା ସହ ୫ କିଲୋ ଓଜନର ଲ୍ୟାଣ୍ଡମାଇନ୍, ଡିଟୋନେଟର, ବ୍ୟାଟେରି, ୯ ଏମଏମ ପିସ୍ତଲ, ମାଓ ପୋଷାକ ଏବଂ ପୋଷ୍ଟର ଇତ୍ୟାଦି ଜବତ କରିଛି।

ଗିରଫ ଅଶୋକଙ୍କ ବୟସ ମାତ୍ର ୩୫ ବର୍ଷ। ସେ ଆନ୍ଧ୍ର ଓଡ଼ିଶା ବୋର୍ଡର ଡିଭିଜନ ଏବଂ ପେଦାବାୟଲୁ-କୋରୁକୋଣ୍ଡା ଡିଭିଜନର ସଚିବ ଥିଲେ। ପୁଲିସ ତାଙ୍କ ନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ତାଙ୍କ ନାମରେ ମାଲକାନଗିରି, କୋରାପୁଟ ଏବଂ ଇଷ୍ଟ ଗୋଦାବରି ଜିଲ୍ଲାରେ ୧୨୪ଟି ମାମଲା ରହିଛି। ସେଥିମଧ୍ୟରେ ୧୪ଟି ହତ୍ୟା ମାମଲା ବି ଅନ୍ତର୍ଭୁକ୍ତ। ବିଶେଷକରି, ଇଷ୍ଟ ଗୋଦାବରୀ ଅଞ୍ଚଳର ବହୁ ନିରୀହ ଲୋକଙ୍କୁ ସେ ହତ୍ୟା କରିଥିବା ପୁଲିସ କହିଛି। ଅନ୍ୟପକ୍ଷରେ, ସୀତାରାମାରାଜୁ ଜିଲ୍ଲା ପୁଲିସ ନିକଟରେ ୬୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ମାଓବାଦୀମାନେ ଆନ୍ଧ୍ରର ପାଦାବାୟଲୁ ଏବଂ କୋରୁକୋଣ୍ଡା ଏରିଆ କମିଟିର ସଚିବ ଅଶୋକଙ୍କ ସହଯୋଗୀ ଥିଲେ। ପୁଲିସ ଅଶୋକଙ୍କୁ ଗିରଫ କରିବାୟପରେ ଏହି ମାଓବାଦୀମାନେ ନିଜକୁ ସୁରକ୍ଷିତ ମଣିନଥିଲେ। ତେଣୁ ଏମାନେ ମଧ୍ୟ ଆନ୍ଧ୍ର ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା କହିଛନ୍ତି।

ସମ୍ବନ୍ଧିତ ଖବର