୩୯% ଛାତ୍ରଛାତ୍ରୀ ଦେଲେନି ଓଜେଇଇ, ବି.ଟେକ୍‌ରେ ସର୍ବାଧିକ ଅନୁପସ୍ଥିତ ରହିଲେ

୨୨ରେ ପରୀକ୍ଷା ଦେବେ ୨୫୦୦ ଛାତ୍ରଛାତ୍ରୀ

ଭୁବନେଶ୍ବର: ବି.ଟେକ୍‌ ସମେତ ବି.ଫାର୍ମା, ଏମ୍‌ବିଏ, ଏମ୍‌ସିଏ, ଏମ୍‌.ଟେକ୍‌, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ଲାଟେରାଲ୍‌ ଏଣ୍ଟ୍ରି ଟେକ୍ନୋଲୋଜି(ଡିପ୍ଲୋମା) ଆଦି ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(‌ଓଜେଇଇ) ଶେଷ ହୋଇଛି। ଅକ୍ଟୋବର ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ୩ଟି ସିଟିଂରେ ଅନୁଷ୍ଠିତ ଏହି ପରୀକ୍ଷାରେ ୪୮ ହଜାର ୫୮୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ୨୦୧୯ ତୁଳନାରେ ଏଥର ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରିଛନ୍ତି। ତେବେ ଯେ‌ତିକି ସଂଖ୍ୟାରେ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ ସେହି ଅନୁଯାୟୀ ଅଂଶଗ୍ରହଣ କରି ନ ଥିବା ଜଣାପଡ଼ିଛି। ପରୀକ୍ଷା ଲାଗି ୭୯ ହଜାର ୭୮୮ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥି‌ଲେ। ସେମାନଙ୍କ ମଧ୍ୟରୁ ମାତ୍ର ୬୧% ଛାତ୍ରଛାତ୍ରୀ ପରୀକ୍ଷାରେ ଭାଗ ନେଇଛନ୍ତି। ଅର୍ଥାତ୍‌ ୩୯% ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସିନାହାନ୍ତି।

ବି.ଟେକ୍‌ ପାଠ୍ୟକ୍ରମରେ ସବୁଠାରୁ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ପ୍ରାରମ୍ଭିକ ସୂଚନା ମିଳିଛି। ଓଜେଇଇ ଦେବା ଲାଗି ୧୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ତେବେ ମାତ୍ର ୬୪୦୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଅର୍ଥାତ୍‌ ଅଧାରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସି ନାହାନ୍ତି। ଅନ୍ୟ ପାଠ୍ୟକ୍ରମରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି। ବି.ଫାର୍ମାରେ ବି ବହୁ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଛନ୍ତି। ଲାଟେରାଲ ଏଣ୍ଟ୍ରି ଟେକ୍ନୋଲୋଜି(ଡିପ୍ଲୋମା)ରେ ବି ୪୦ ପ୍ରତିଶତ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଛନ୍ତି। ଏମ୍‌ବିଏ, ଏମ୍‌ସିଏ ପାଠ୍ୟକ୍ରମ ଲାଗି ଯେତିକି ପରିମାଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ ସେହି ଅନୁଯାୟୀ ଉପସ୍ଥାନ ହୋଇ ନାହିଁ। ବହୁ କମ୍‌ ପିଲା ଭାଗ ନେଇଥିଲେ। ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ୍‌ ଲାଗି ବିଭିନ୍ନ କାରଣ ଦାୟୀ ବୋଲି ଶିକ୍ଷାବିତ୍‌ମାନେ ମତପ୍ରକାଶ ପାଇଛି। ସେମାନଙ୍କ ମତରେ କୋଭିଡ୍‌-୧୯ ସଂକ୍ରମଣ ଉପର ମୁହାଁ ରହିଥିବାରୁ ଅଧିକାଂଶ ଛାତ୍ରଛାତ୍ରୀ ଭୟରେ ପରୀକ୍ଷା ଦେବାକୁ ଆସି ନାହାନ୍ତି। କେତେକ ଛାତ୍ରଛାତ୍ରୀ ଜେଇଇ ମେନ୍‌ ପରୀକ୍ଷା‌ ଦେଇଥିଲେ ମଧ୍ୟ ଓଜେଇଇ‌ ପାଇଁ ପୁଣିଥରେ ଆବେଦନ କରିଥିଲେ। ପରିଣାମସ୍ବରୂପ ଜେଇଇ ‌ମେନ୍‌ରେ ଭଲ ରୢାଙ୍କ ପାଇବା ପରେ ଆଉ ‌ଓଜେଇଇ ଦେବାକୁ ଆଗ୍ରହ ପ୍ରକାଶ କରିନାହାନ୍ତି। ଗୋଟିଏ ସମୟରେ ଏକାଧିକ ପାଠ୍ୟକ୍ରମ ଲାଗି ନାମଲେଖା ଚାଲିଥିବାରୁ ବହୁ ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ ରହିଛନ୍ତି। କେଉଁ ପ୍ରବେଶିକା ପରୀକ୍ଷାରେ ଭାଗନେବେ ଓ କ’ଣ ପଢ଼ିବେ ତାହାକୁ ନେଇ ଚିନ୍ତାରେ ପଡ଼ି ଓଜେଇଇ ପରୀକ୍ଷାରେ ଭାଗନେଇ ନାହାନ୍ତି। ଅନ୍ୟ ଏକ କାରଣ ହେଉଛି ଯେ କୋଭିଡ୍‌-୧୯ ସଂକ୍ରମଣ ଯୋଗୁଁ ଯୋଗା‌ଯୋଗର ମାଧ୍ୟମ ଠିକ୍‌ ନ ଥିବାରୁ କିଛି ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସି ପରି ନ ଥିବା ଅନୁମାନ କରାଯାଉଛି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପରୀକ୍ଷା କେନ୍ଦ୍ର ସମସ୍ୟା ଯୋଗୁଁ ପାଖାପାଖି ୨୫୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିନାହାନ୍ତି। ସେମାନଙ୍କ ଲାଗି ଆସନ୍ତା ୨୨ ତାରିଖରେ ସ୍ବତନ୍ତ୍ର ସିଟିଂରେ ପରୀକ୍ଷା କରାଯିବ। ଫର୍ମ ପୂରଣ ସମୟରେ ସେମାନେ ଦେଇଥିବା ଚଏସ୍‌ ଅନୁସାରେ ଘର ନିକଟ ସହରରେ ପରୀକ୍ଷା କେନ୍ଦ୍ର କରାଯିବ। ଏଥିସହ ଗତ ୧୫ ତାରିଖରେ ଗଜପତି ଜିଲ୍ଲାରେ ଦୁର୍ଘଟଣାର ଶିକାର ହୋଇଥିବା ୨୫ ଜଣ ଓଜେଇଇ ପରୀକ୍ଷାର୍ଥୀ ୨୨ ତାରିଖରେ ପରୀକ୍ଷା ଦେବେ। ଏଥିପାଇଁ ପାରଳାଖେମୁଣ୍ଡିରେ ପରୀକ୍ଷା କେନ୍ଦ୍ର ହେବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ୍‌ କୁମାର ଚାନ୍ଦ କହିଛନ୍ତି।

ସମ୍ବନ୍ଧିତ ଖବର