୩୯ ବର୍ଷ ପୁରୁଣା ହୋମିଓପାଥିକ୍ କଲେଜ୍‌ରେ ତାଲା ପଡ଼ିବ

କୋଟିଏ ଖର୍ଚ୍ଚ କରୁନାହାନ୍ତି, ନଷ୍ଟ ହେବ ୫୦ କୋଟି

 

କଟକ-ବିଦ୍ୟାଧରପୁର : କଟକରେ ଥିବା ୩୯ ବର୍ଷର ହୋମିଓପାଥିକ୍ କଲେଜ ଆଣ୍ଡ ହସ‌୍ପିଟାଲ୍‌ରେ ଆସନ୍ତା ମାର୍ଚ ମାସରୁ ତାଲା ପଡିବ। ସରକାରୀ ଉଦାସୀନତା ଯୋଗୁଁ ଅବିଭକ୍ତ କଟକ ଜିଲ୍ଲାର ଏହି ଏକମାତ୍ର ହୋମିଓପାଥି କଲେଜ ବନ୍ଦ ହେବାକୁ ଯାଉଛି। ଏଥିପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବିଭିନ୍ନ ଫୋରମ୍‌ରେ ବାରମ୍ବାର ଦାବି ହୋଇ ଆସିଥିଲେ ବି ସବୁ କିଛି ବିଫଳ ହୋଇଛି। ସରକାର ଭିତ୍ତିଭୂମି ବିକାଶ ପାଇଁ କୋଟିଏ ପାଖାପାଖି ଟଙ୍କା ଖର୍ଚ୍ଚ କରୁ ନଥିବାରୁ କଲେଜର ୫୦ କୋଟିର ସଂପତ୍ତି ଏବେ ଭୂତକୋଠିରେ ପରିଣତ ହେବାକୁ ଯାଉଛି।

ସୂଚନା ଅନୁଯାୟୀ ୧୯୮୨ ମସିହାରେ କଟକର ବିଦ୍ୟାଧରପୁର ଠାରେ ଏହି କଲେଜ ପ୍ରତିଷ୍ଠା କରାଯାଇଥିଲା। କଲେଜର ୨ ଏକର ୮୯ ଡିସିମିଲ ଜମିରେ ୧୭ ହଜାର ୫ ଶହ ବର୍ଗଫୁଟର କୋଠା ଘର ରହିଛି। ଛାତ୍ରଛାତ୍ରୀମାନଙ୍କ ପାଇଁ କେନ୍ଦ୍ରୀୟ ପାଠାଗାର ସହିତ ୧୬ଟି ବିଭାଗୀୟ ପାଠାଗାର ରହିଛି। ଏଥିସହିତ ୪ଟି ପରୀକ୍ଷାଗାର ସୁବିଧା ରହିଛି। କିନ୍ତୁ ଦୀର୍ଘ ୬ ବର୍ଷ ହେବ କଲେଜରେ ନାମଲେଖା ବନ୍ଦ ଅଛି। ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟର ସେଣ୍ଟ୍ରାଲ କାଉନସିଲ ଅଫ ହୋମିଓପାଥି ଇଣ୍ଡିଆ ଅଧୀନରେ ଏହି ଅନୁଷ୍ଠାନ ପରିଚାଳିତ ହେଉଥିବା ବେଳେ ନାମଲେଖା ପାଇଁ ନିର୍ଦ୍ଦିଷ୍ଟ ନିୟମାବଳୀ ରହିଛି। ନିୟମ ପୂରଣ ହେଲେ ନାମଲେଖା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଅନୁମତି ଦିଅନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ପରିଚାଳନା କରନ୍ତି। କିନ୍ତୁ ନିୟମ ଅନୁସାରେ ପୂର୍ଣ୍ଣାଙ୍ଗ ବର୍ହି ବିଭାଗ, ୨୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ପ୍ରତି ବିଭାଗ ପାଇଁ ୪ଟି ଗୃହ ସହ ସରଞ୍ଜାମ, ନିର୍ଦ୍ଦିଷ୍ଟ ସଂଖ୍ୟକ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ନଥିବାରୁ ନାମଲେଖା ପାଇଁ ଅନୁମତି ମିଳୁନାହିଁ। କଲେଜରେ ରହିଛି ୧୨ଟି ବିଭାଗ। ପ୍ରତି ବିଭାଗ ପାଇଁ ଅତି କମ୍‌ରେ ଜଣେ ପ୍ରଫେସର ଓ ଜଣେ ଅଧ୍ୟାପକ ରହିବା କଥା। କିନ୍ତୁ କଲେଜରେ ୧୦ ଜଣ ଅଧ୍ୟାପକ/ଅଧ୍ୟାପିକା ଥିବା ବେଳେ ନିକଟରେ ଜଣେ ପ୍ରଫେସର ଓ ୩ ଜଣ ଆସୋସିଏଟ ପ୍ରଫେସର ଭୁବନେଶ୍ବର, ସମ୍ବଲପୁର, ରାଉରକେଲା ସରକାରୀ ହୋମିଓପାଥିକ ମେଡିକାଲ କଲେଜକୁ ଚାଲିଯାଇଛନ୍ତି। ଏଭଳି ସ୍ଥିତିରେ ୨୪ ଜଣ ଅଧ୍ୟାପକ/ଅଧ୍ୟାପିକାଙ୍କ ସ୍ଥାନରେ ଏବେ ଅଛନ୍ତି ମାତ୍ର ୬ ଜଣ। ମେଡିକାଲରେ ୨ ଜଣ ମେଡିକାଲ ଅଫିସର ରହିବା କଥା। କିନ୍ତୁ ଏବେ କେହି ନାହାନ୍ତି। ଆନାଟୋମି, ଫାର୍ମାସି, ପାଥୋଲୋଜି ବିଭାଗରେ କର୍ମଚାରୀ ଓ ଲାବ୍ରୋଟୋରି ଟେକନିସିଆନ୍ ନାହାନ୍ତି। ଏହିସବୁ କାରଣ ପାଇଁ ନାମଲେଖା ଅନୁମତି ଦେବାରେ ପ୍ରତିବନ୍ଧକ ରହୁଛି ବୋଲି ହୋମିଓପାଥି ସେଣ୍ଟ୍ରାଲ କାଉନସିଲ ପକ୍ଷରୁ ୨୦୧୮ ଅଗଷ୍ଟ ୭ ତାରିଖରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ସଚିବ, ଉତ୍କଳ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଓ କଟକ ହୋମିଓପାଥି କଲେଜର ଅଧ୍ୟକ୍ଷଙ୍କୁ ଚିଠି କରାଯାଇଥିଲା। ୪ ମାସ ମଧ୍ୟରେ ଭିତ୍ତିଭୂମି ସୁଧାରିବାକୁ ସମୟ ଦିଆଯାଇଥିଲା। ଶେଷଥର ପାଇଁ ଏଭଳି ଚିଠି ୨୦୧୯-୨୦ ରେ ଆସିଥିଲା। କିନ୍ତୁ ଏ ଦିଗରେ ସରକାର କୌଣସି ପଦକ୍ଷେପ ନ ନେବାରୁ ଏବେ କଲେଜରେ ତାଲା ପଡିବାକୁ ଯାଉଛି।

facebook.com

ତଥ୍ୟ ଅନୁଯାୟୀ ୨୦୧୫-୧୬ ଶିକ୍ଷା ବର୍ଷ ପର୍ଯ୍ୟନ୍ତ କଲେଜ ସୁରୁଖୁରୁରେ ଚାଲିଥିଲା। ଓଜେଇଇ ମାଧ୍ୟମରେ ୩୦ ଜଣ ପିଲାଙ୍କୁ ଏଠାରେ ନାମଲେଖା ପାଇଁ ସୁଯୋଗ ମିଳିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ଆବଶ୍ୟକ ଭିତ୍ତିଭୂମି ନଥିବା କଲେଜକୁ ଅନୁମତି ଦିଆଯିବନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ଫଳରେ ଏଠାରେ ୨୦୧୬-୧୭ ବର୍ଷଠାରୁ ନାମଲେଖା ସ୍ଥଗିତ ରହିଛି। ଏହା ଏକ ଅନୁଦାନପ୍ରାପ୍ତ କଲେଜ ହୋଇଥିଲେ ମଧ୍ୟ ସରକାର ପରିଚାଳନା ପାଇଁ କୌଣସି ଅର୍ଥ ପ୍ରଦାନ କରୁନାହାନ୍ତି। କଲେଜର ସଭାପତି କଟକ ଜିଲ୍ଲାପାଳ ଅଛନ୍ତି। ୧୯୯୪ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ରାଜ୍ୟରେ ଥିବା ୩ଟି ବେସରକାରୀ କଲେଜକୁ ସରକାରୀ ମାନ୍ୟତା ପ୍ରଦାନ କରିଥିଲେ। ଏହି କଲେଜ ଗୁଡିକ ହେଲା ଭୁବନେଶ୍ବରସ୍ଥିତ ଅଭିନ୍ନ ଚନ୍ଦ୍ର ହୋମିଓପାଥି ମେଡିକାଲ କଲେଜ, ଉତ୍କଳମଣି ହୋମିଓପାଥି ମେଡିକାଲ କଲେଜ ଓ ହସ୍‌ପିଟାଲ ରାଉରକେଲା, ବ୍ରହ୍ମପୁର ହୋମିଓପାଥି ମେଡିକାଲ କଲେଜ ଓ ହସ୍‌ପିଟାଲ। କଟକ ଓ ବାରିପଦାର ହୋମିଓପାଥି କଲେଜକୁ ସରକାର ହାତକୁ ନେବେ ବୋଲି ସେତେବେଳେ ସରକାର ଘୋଷଣା କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ଅଭିଯୋଗ ହୋଇଛି।

୨୦୧୧ ମସିହାରେ କଲେଜର ୨୨ଜଣ କର୍ମଚାରୀ କଟକ ହୋମିଓପାଥି ମେଡିକାଲ କଲେଜ ଓ ହସପିଟାଲକୁ ସରକାର ହାତକୁ ନେବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଦୀର୍ଘଦିନର କଲେଜ ହୋଇଥିବାରୁ ସରକାର ହାତକୁ ନେବା ପାଇଁ ବିଚାର କରନ୍ତୁ ବୋଲି ମଧ୍ୟ ହାଇକୋର୍ଟ ତାଙ୍କ ରାୟରେ ନିର୍ଦେଶ ଦେଇଥିଲେ। କିନ୍ତୁ ତାହା ବି କାର୍ଯ୍ୟକାରୀ ହୋଇପାରୁନାହିଁ। ଚୌଦ୍ବାର- କଟକ ବିଧାୟକ ସୌଭିକ ବିଶ୍ବାଳ, ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳ, କଟକର ବିଭିନ୍ନ ପୂଜା କମିଟି, ମହାନଗର ଓ ପୂର୍ବାଞ୍ଚଳ ଶାନ୍ତି କମିଟି ସହିତ ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ କଲେଜକୁ ବଂଚାଇବା ପାଇଁ ବିଭାଗୀୟ ମନ୍ତ୍ରୀ, ସଚିବ, କଟକ ଜିଲ୍ଲାର ମନ୍ତ୍ରୀଙ୍କ ସହାୟତା ଲୋଡ଼ିଥିଲେ। ୨୦୧୯ ନଭେମ୍ବର ମାସ ୮ ତାରିଖରେ ବିଦ୍ୟାଧରପୁର ସ୍ବାସ୍ଥ୍ୟ କେନ୍ଦ୍ର ଉଦଘାଟନ କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭେଟି ଏ ସଂପର୍କରେ ଦାବି ଉପସ୍ଥାପନ କରାଯାଇଥିଲା। ଏହାକୁ ବିଚାର କରାଯିବ ବୋଲି ସେତେବେଳେ ମନ୍ତ୍ରୀ କହିଥିଲେ ବି ତାହା ଏଯାଏ ବିଚାର ହୋଇପାରୁ ନାହିଁ। କଲେଜ ଭିତ୍ତିଭୂମି ବିକାଶ ପାଇଁ ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟିରେ ମହାନଗର ଓ ପୂର୍ବାଞ୍ଚଳ ଶାନ୍ତି କମିଟି, କଟକର ୮ଟି ପୂଜା କମିଟି କର୍ମକର୍ତ୍ତା ସାମିଲ ହୋଇ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ୫-ଟି ସଚିବ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। କିନ୍ତୁ ସେଥିରେ ବି ସୁଫଳ ମିଳି ପାରିନାହିଁ।

ଏହି କଲେଜ ପାଇଁ ପୂର୍ବରୁ ସାଂସଦ ଅନୁଭବ ପଟ୍ଟନାୟକ ୧୦ ଲକ୍ଷ, ସାଂସଦ ଭର୍ତ୍ତୃହରି ମହତାବ ୫ ଲକ୍ଷ, ସାଂସଦ ବୈଷ୍ଣବ ପରିଡା ୫ ଲକ୍ଷ, ପ୍ରଭାତ ରଂଜନ ବିଶ୍ବାଳ ୨ ଲକ୍ଷ, ଲାଇବ୍ରେରି ପାଇଁ ସାଂସଦ ରଙ୍ଗନାଥ ମିଶ୍ର ୧ ଲକ୍ଷ ଟଙ୍କା ଦାନ କରିଛନ୍ତି। ନାମଲେଖା ଅନୁମତି ପାଇଁ ସର୍ବନିମ୍ନ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ୧ କୋଟି ୧୦ ଲକ୍ଷ ଟଙ୍କା ଆବଶ୍ୟକ ଥିବା କହିଛନ୍ତି କଲେଜ ଅଧ୍ୟକ୍ଷ ଡାକ୍ତର ଦିଲୀପ କୁମାର ଦାଶ। କଲେଜରୁ ୬୦୩ ହୋମିଓପାଥି ଡାକ୍ତର କୃତକାର୍ଯ୍ୟ ହୋଇ ବିଭିନ୍ନ ସରକାରୀ ଓ ବେସରକାରୀ କଲେଜରେ ଏବେ କାର୍ଯ୍ୟରତ। କଲେଜର ପ୍ରତିଷ୍ଠାତା ତଥା ମୁଖ୍ୟ ପରିଚାଳକ ଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବର୍ତ୍ତମାନ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା। କିନ୍ତୁ ଏଭଳି ଏକ ଅନୁଷ୍ଠାନ ଏବେ ବନ୍ଦ ହେବାକୁ ଯିବା ଘଟଣା ଉଦ୍‌ବେଗର କାରଣ ହୋଇଛି। ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳ କହିବା ଅନୁଯାୟୀ ଏଥିପାଇଁ ଆମେ ଉଦ୍ୟମ କରି ବି ଏଯାଏ ସଫଳ ହୋଇପାରି ନାହୁଁ। ଶାନ୍ତି କମିଟି କର୍ମକର୍ତ୍ତା ବିଜୟ ସାହୁ, ନିରଂଜନ ସାହୁ, ପ୍ରଫୁଲ୍ଲ ସାହୁ ମଧ୍ୟ ଏହାକୁ ନେଇ ସମସ୍ତେ ନିରାଶ ବୋଲି ମତ ଦେଇଛନ୍ତି।

 

ସମ୍ବନ୍ଧିତ ଖବର