ରାଉରକେଲା: ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି)ର ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଦିନକୁ ଦିନ ଇସ୍ପାତ ସହରାଞ୍ଚଳର ଆର୍ଏସ୍ପି ଜାଗା ଜବରଦଖଲକାରୀଙ୍କ କବ୍ଜାକୁ ଚାଲିଯାଉଛି। ସାରନଗରୀ ହେଉ ଅବା ଇସ୍ପାତ ସହରାଞ୍ଚଳରେ ରାତାରାତି ଛିଡା ହୋଇଯାଇଛି ଘର ପରେ ଘର। ସେମିତି ବନ୍ଧମୁଣ୍ଡା ଆର୍ଏସ୍ପି ଜାଗାରେ ଆଜ୍ବେଷ୍ଟସ ନୁହେଁ ବେଆଇନ ଭାବେ କୋଠାଗୁଡ଼ିକ ମଧ୍ୟ ନିର୍ମାଣ ହୋଇଛି। ସେକ୍ଟର-୨୧ ନୟା ବଜାର ଆର୍ଏସ୍ପି ଜାଗାରେ ମଧ୍ୟ ସେହି ସମାନସ୍ଥିତି। ବିଧାନସଭାରେ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ।
ସରକାରଙ୍କୁ ଫେରସ୍ତ ହୋଇଛି ୪୫୪୨.୮୮୯ ଏକର ଜମି
ବଳକା ରହିଛି ୩,୪୩୯.୭୫୧ ଏକର ଜମି
ବିଧାୟକ ଶ୍ରୀ ତରାଇ ପ୍ରଶ୍ନ କରିଥିଲେ, ରାଉରକେଲା ଇସ୍ପାତ କାରଖାନା ନିର୍ମାଣ ପାଇଁ କେତେ ଜମି ଦିଆଯାଇଥିଲା ? କେତେ ଜମିରେ ପ୍ଲାଣ୍ଟ ତିଆରି ହୋଇଛି ? କେତେ ଜମିରେ ସରକାରଙ୍କ ପାଇଁ ଘର ତିଆରି ହୋଇଛି ? କେତେ ଜମି ରାଜ୍ୟ ସକରକାରଙ୍କୁ ଫେରସ୍ତ ହୋଇଛି ? କେତେ ଜମି ଅନ୍ୟାୟ ଭାବେ ଦଖଲ ହୋଇଛି ? ଏସବୁ ପ୍ରଶ୍ନର ଉତ୍ତର ରାଜସ୍ବ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ କହିଛନ୍ତି, ରାଉରକେଲା ଇସ୍ପାତ କାରଖାନା ନିର୍ମାଣ ପାଇଁ ୩୨,୫୯୮.୦୮୦ ଏକର ଜମି ଦିଆଯାଇଥିଲା। ତାହା ମଧ୍ୟରୁ ୫୨୧୫.୦୦ ଏକର ଜମିରେ ପ୍ଲାଣ୍ଟ ତିଆରି କରାଯାଇଛି। ୬,୧୪୫.୪୮୩ ଏକର ଜମିରେ କର୍ମଚାରୀଙ୍କ ଘର ତିଆରି ହୋଇଛି। ୪,୫୪୨.୮୮୯ ଏକର ଜମି ରାଜ୍ୟ ସରକାରଙ୍କୁ ଫେରସ୍ତ କରାଯାଇଥିଲା। ୩୯୦ ଏକରରୁ ଅଧିକ ଜମି ବେଆଇନ ଭାବେ ଦଖଲ ହୋଇଛି। ୧୨,୨୧୬.୪୦୦ ଏକର ଜମିରେ ମନ୍ଦିରା ଡ୍ୟାମ ପ୍ରୋଜେକ୍ଟ ରହିଛି। ୬୪୮.୫୫୬ ଏକର ଜମି ସବ୍ ଲିଜ୍ ଆକାରରେ ଦିଆଯାଇଛି। ୩,୪୩୯.୭୫୧ ଏକର ଜମିରେ ପ୍ଲାଣ୍ଟ ଓ ସହରର ଆଧୁନିକୀକରଣ ଓ ସମ୍ପ୍ରସାରଣ ରଖାଯାଇଛି।