ଭୁବନେଶ୍ବର: ଟ୍ରେନ୍ ଉପରକୁ ପଥର ମାଡ଼ ଘଟଣା ଏବେ ରେଳ ମନ୍ତ୍ରଣାଳୟ ପାଇଁ ଚିନ୍ତାର ବିଷୟ ପାଲଟିଛି। ପ୍ରତି ମାସରେ ସାରା ଦେଶରେ ହାରାହାରି ୩୨୫ଟି ମାମଲା ସାମନାକୁ ଆସୁଛି। ଯେଉଁଥିରେ ପୂର୍ବତଟ ରେଳପଥରେ ହାରାହାରି ୧୦ଟି ମାମଲା ରହୁଛି। ରେଳ ବୋର୍ଡ ସୁରକ୍ଷା ନିର୍ଦ୍ଦେଶାଳୟର ତଥ୍ୟ ଅନୁଯାୟୀ, ୨୦୨୪ ମସିହାରେ ୩,୯୦୧ଟି ପଥର ଫିଙ୍ଗା ଘଟଣା ରିପୋର୍ଟ କରାଯାଇଥିଲା। ସେଥିମଧ୍ୟରୁ ୩,୩୯୧ଟି ପଞ୍ଜୀକୃତ ମାମଲାରେ ୧,୧୪୦ଜଣ ଗିରଫ ହୋଇଥିଲେ। କେବଳ ବନ୍ଦେ ଭାରତ ଟ୍ରେନ୍କୁ ୭୪୧ ଆକ୍ରମଣ ଘଟଣାରେ ୨୨୮ଜଣଙ୍କୁ ଗିରଫ କରାଯାଇଥିଲା। ଯଦି ଦେଖାଯାଏ ପୂର୍ବତଟ ରେଳପଥ ଅଧୀନରେ ବନ୍ଦେ ଭାରତ ଟ୍ରେନ୍କୁ ୩୦ଟି ପଥର ଫିଙ୍ଗା ଘଟଣା ରିପୋର୍ଟ ହୋଇଛି, ଯେଉଁଥିରେ ୩୬ ଜଣଙ୍କୁ ଗିରଫ କରାଯାଇଥିଲା। ଅନ୍ୟାନ୍ୟ ଟ୍ରେନରେ ୮୫ଟି ଘଟଣା ରିପୋର୍ଟ ହୋଇଥିବା ବେଳେ ୬୫ଜଣ ଗିରଫ ହୋଇଥିବା ରେଳବାଇ ପକ୍ଷରୁ ସୂଚନା ମିଳିଛି।
ଦେଶରେ ୩,୩୯୧ ମାମଲା ପଞ୍ଜୀକୃତ, ୧,୧୪୦ ଗିରଫ
ପୂର୍ବତଟ ରେଳପଥରେ ୧୧୫ ମାମଲା, ୧୦୧ ଗିରଫ
ପ୍ରମୁଖ ଟ୍ରେନ୍ରେ ସୁରକ୍ଷା ବୃଦ୍ଧି, ଏଣିକି ଜଗିବ ସିସିଟିଭି
ପଥର ଫିଙ୍ଗା ଘଟଣା ଦୃଷ୍ଟିଗୋଚର ହୋଇଥିବା ଅଞ୍ଚଳ ଉପରେ କଡ଼ା ନଜର ରଖାଯାଇଛି। ରେଳବାଇର ୦.୧୦%ରୁ ଅଧିକ ଜମି ଜବରଦଖଲ ହୋଇଛି, ଯାହାକି ରେଳ ଧାରଣା ପାଖରେ ଚଳାଚଳ ପାଇଁ ଖୋଲା ପ୍ରବେଶ ସହ ଏହି ଟ୍ରାକ୍ ସଂଲଗ୍ନ ବାସସ୍ଥାନଗୁଡ଼ିକ ଅଞ୍ଚଳରେ ଅପରାଧୀ ଉପଦ୍ରବ କରୁଛନ୍ତି। ଧରାପଡ଼ିଥିବା ପଥର ଫିଙ୍ଗାଳିମାନେ ଏହି ଟ୍ରାକ୍ ସଂଲଗ୍ନ ବାସସ୍ଥାନଗୁଡ଼ିକର ସ୍ଥାୟୀ ଅଧିବାସୀ ବୋଲି ଜଣାପଡ଼ିଛି; ଯେଉଁମାନଙ୍କ ବୟସ ପ୍ରାୟତଃ ୮ରୁ ୧୬ ବର୍ଷ ବୟସ ମଧ୍ୟରେ ହେବ। ସେମାନେ ପଥର ଫିଙ୍ଗାକୁ ଏକ ଖେଳ ଭାବି ତାହାର ମଜା ଉଠାଇଥାନ୍ତି। କେବଳ ସେତିକି ନୁହେଁ, ନିଶାଗ୍ରସ୍ତ, ବାସହୀନ, ମାନସିକ ରୋଗୀ, ସାମାଜିକ ଗଣମାଧ୍ୟମରେ ଦେଖାଇବା, ଲକ୍ଷ୍ୟସ୍ଥଳକୁ ଆକ୍ରମଣ କରିବାକୁ ବାଜି ଲଗାଇବା, ଭାରତୀୟ ରେଳ ସମ୍ପତ୍ତିକୁ ଟାର୍ଗେଟ କରିବା ଭଳି ମାନସିକତା ପାଇଁ ଏଭଳି ଘଟଣା ବଢ଼ିବାରେ ଲାଗିଛି। ବନ୍ଦେ ଭାରତ ଟ୍ରେନଗୁଡ଼ିକୁ ପଥର ଫିଙ୍ଗା ଘଟଣାରେ ବ୍ୟାପକ କ୍ଷତି ହୋଇଛି। ମରାମତି ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେବା ସହ ଯାତ୍ରା ସମୟରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେଉଛି। ପଥର ଫିଙ୍ଗା ଦ୍ବାରା ରୋଲିଂ ଷ୍ଟକ୍ ଚଳାଉଥିବା ଲୋକୋ ପାଇଲଟ୍ ବିଚଳିତ ହେବା ସହ ସନ୍ତୁଳନ ହରାଇ ବସୁଛନ୍ତି। ଯାହାକି ଟ୍ରେନ୍ ଦୁର୍ଘଟଣା ସୃଷ୍ଟି କରେ ବୋଲି ରେଳ ବିଭାଗ ସତର୍କ କରାଇଛି।
ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ ଏଭଳି ସମସ୍ୟାର ମୁକାବିଲା କରିବାକୁ ତେଜସ୍, ବନ୍ଦେ ଭାରତ ଏକ୍ସପ୍ରେସ୍, ଏସି ଲୋକାଲ ଆଦି ଟ୍ରେନ୍ରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବାକୁ ଯୋଜନା ହୋଇଛି। ଏସି କୋଚ୍ଗୁଡ଼ିକରେ ପଥର ପ୍ରତିରୋଧ କରିବା ଭଳି ବ୍ୟବସ୍ଥା ସହିତ ଲାମିନେଟେଡ୍ ବଣ୍ଡିଟ ଗ୍ଲାସ୍ ସିଲ୍ଡ ଡିଜାଇନ୍ ସହ ଦ୍ବାର ଓ ସିଲ୍ ହୋଇଥିବା ଝରକାଗୁଡ଼ିକୁ ସ୍ବୟଂଚାଳିତ ଭାବେ ବନ୍ଦ କରିବା ଭଳି ବ୍ୟବସ୍ଥା ହୋଇଛି। ଟ୍ରେନ୍, ଷ୍ଟେସନ୍ ଓ ସେକ୍ସନ୍ରେ ସିସିଟିଭି ଲଗାଯାଇ ସବୁଆଡ଼େ ନିରୀକ୍ଷଣକୁ ସୁନିଶ୍ଚିତ କରିବା ଦିଗରେ ପଦକ୍ଷେପ ନିଆଯାଇଛି। ପୂର୍ବତଟ ରେଳପଥର କେତେକ ସେକ୍ସନ୍ରେ ସୌରଚାଳିତ ସିସିଟିଭି କ୍ୟାମେରା ସ୍ଥାପନ ହୋଇଛି। ଆରପିଏଫ୍ ଦ୍ବାରା ଡ୍ରୋନ୍ ନିୟୋଜନ କରାଯାଇ ଅପରାଧପ୍ରବଣ ସ୍ଥାନଗୁଡ଼ିକ ଉପରେ ନଜର ରଖାଯାଇଛି। ରେଳବାଇ ଆଇନର ଧାରା ୧୫୨ ଅନୁଯାୟୀ ଟ୍ରେନ୍କୁ ପଥର ଫିଙ୍ଗାଳିଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଆଜୀବନ କାରାଦଣ୍ଡ ହୋଇପାରେ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।