୩୯ତମ ବିଶ୍ୱ କବି ସମ୍ମିଳନୀ ଉଦ୍‍ଯାପିତ : କବିତା ବିଶ୍ୱକୁ ଯୋଡ଼ୁଛି

ଭୁବନେଶ୍ୱର : ସମାଜରେ ଭାଇଚାରା, ଶାନ୍ତି ପ୍ରତିଷ୍ଠା ଓ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ଦିଗରେ ପ୍ରମୁଖ ମାଧ୍ୟମ କବିତା। ସର୍ବୋପରି ବିଶ୍ୱକୁ ପରିବର୍ତ୍ତନ କରିବାର କ୍ଷମତା କବିତାର ରହିଛି। କେବଳ କବିତା ନୁହେଁ, ସାହିତ୍ୟ, କଳା, ସଙ୍ଗୀତ, ନୃତ୍ୟ ମାଧ୍ୟମରେ ଲୋକଙ୍କ ମଧ୍ୟରେ ଶାନ୍ତି ଓ ଖୁସି ଅଣାଯାଇ ପାରିବ ବୋଲି ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟା ନାଇଡ଼ୁ କହିଛନ୍ତି।

କିଟ୍‍ ପରିସରରେ ଅନୁଷ୍ଠିତ ୩୯ତମ ବିଶ୍ୱ କବି ସମ୍ମିଳନୀର ଉଦ୍‍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ନାଇଡୁ କହିଲେ ଯେ ମାନବୀୟ ଭାବନାର ସବୁଠୁ ଚମତ୍କାର ଅଭିବ୍ୟକ୍ତି ହେଉଛି କବିତା‌। ଏହା ଗଭୀର ଅନ୍ତର୍ଦୃଷ୍ଟିକୁ ବ୍ୟକ୍ତ କରିଥାଏ। ଭାବନାକୁ ବିସ୍ତାରିତ କରିବା ସହ ମାନବୀୟ ଅଭିଜ୍ଞତାକୁ ଉଚ୍ଚସ୍ତରର ଚେତନା ଆଡ଼କୁ ନେଇଯାଏ। ସାହିତ୍ୟ ମଞ୍ଚରେ କବିତାର ଏକ ବିଶେଷ ପ୍ରଭାବ ରହିଛି। କବିତା ଏକ ରଚନା ନୁହେଁ, ଏହା ଏକ ସୁନ୍ଦର ଅଭିବ୍ୟକ୍ତି। କବିମାନେ କେବଳ ସାଧାରଣ ଶବ୍ଦଗୁଡ଼ିକ ମାଧ୍ୟମରେ ନିଜକୁ ବ୍ୟକ୍ତ କରି ନଥାନ୍ତି, ବରଂ ସେମାନେ ନିଜ ଶବ୍ଦ ଜରିଆରେ ଚିତ୍ର ଆଙ୍କିଥାନ୍ତି। ପଦ, ଛନ୍ଦ ଓ ମାଧୁର୍ଯ୍ୟ ମାଧ୍ୟମରେ ସେମାନେ ଜୀବନ ସଞ୍ଚାର କରିଥାନ୍ତି।

କବିତା ସହ ଭାରତର ସମ୍ପର୍କ, ଏହାର ସଭ୍ୟତା ଭଳି ବହୁ ପ୍ରାଚୀନ। ରାମାୟଣ ଓ ମହାଭାରତ ଭଳି ମହାନ ଭାରତୀୟ ମହାକାବ୍ୟ ବର୍ତମାନ ସୁଦ୍ଧା ରଚିତ ହୋଇଥିବା କବିତା ମଧ୍ୟ‌‌‌ରେ ସର୍ବଶ୍ରେଷ୍ଠ। ଏହି ମହାକାବ୍ୟଦ୍ବୟ ଭାରତୀୟ ପରମ୍ପରାର ଗନ୍ତାଘର। ନୈତିକତା, ଧର୍ମ, ରାଜନୀତି ଓ ଆଦର୍ଶର ମହାନ ବିଶ୍ବକୋଷ। ଭାରତର ଏକ ସୁଦୀର୍ଘ କାବ୍ୟ ପରମ୍ପରା ରହିଛି। ଏ‌ହି ମାଟିରେ କାଳିଦାସ, ମୀରା ବାଇ, ତୁଳସୀ ଦାସ, ଅମୀର ଖୁସ୍ରୁ, ସରୋଜିନୀ ନାଇଡୁ, ସୁବ୍ରମଣ୍ୟ ଭାରତୀ, ମିର୍ଜା ଗାଲିବ, ରବୀନ୍ଦ୍ରନାଥ ଟାଗୋରଙ୍କ ଭଳି ମହାନ କବିମାନେ କାବ୍ୟକୃତି ମାଧ୍ୟମରେ ସମସ୍ତଙ୍କୁ ବିମୁଗ୍ଧ କରିପାରିଛନ୍ତି। ସର୍ବୋପରି ମାନସିକତା, ଚିନ୍ତାଧାରା ଓ ସାମାଜିକ ପରିବର୍ତନ କରିବାର ସାମର୍ଥ କବିତା‌ ପାଖ‌ରେ ରହିଛି। ବର୍ତମାନ ସମୟରେ ବିଦ୍ୟାଳୟରେ କବିତା ଆବୃତ୍ତି ଆୟୋଜନ କରିବା ଓ ଏହାକୁ ପାଠ୍ୟକ୍ରମରେ ଏକ ବାଧ୍ୟତାମୂଳକ ବିଷୟବସ୍ତୁ ଭାବେ ସ୍ଥାନୀତ କରାଯାଉ। ଏଥିସହ ସାହିତ୍ୟ, କଳା, ସମାଜ ବିଜ୍ଞାନ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଦିଗରେ କାର୍ଯ୍ୟ କରାଯାଉ। ଡାକ୍ତର, ‌ଇଞ୍ଜିନିୟର, ବୈଜ୍ଞାନିକଙ୍କ ଭଳି ଆମର କବି, ଲେଖକ, କଳାକାର ଓ ସଙ୍ଗୀତଜ୍ଞଙ୍କ ଆବଶ୍ୟକତା ରହିଛି। ଦୈନନ୍ଦିନ ଜୀବନରେ ଭାଷାର ବ୍ୟାପକ ଉପଯୋଗ ଦ୍ବାରା ହିଁ ଏହାର ସଂରକ୍ଷଣ ଓ ପ୍ରୋତ୍ସାହନ ସମ୍ଭବ। ଅଧିକରୁ ଅଧିକ ଲୋକଙ୍କୁ ସେମାନଙ୍କ ମାତୃଭାଷା‌ରେ କବିତା, ଗଳ୍ପ, ଉପନ୍ୟାସ ଓ ନାଟକ ଲେଖିବା‌ ନିମନ୍ତେ ପ୍ରୋତ୍ସାହନ ଦିଆଯିବା ଦରକାର ବୋଲି ଉପରାଷ୍ଟ୍ରପତି ମତବ୍ୟକ୍ତ କରିଥିଲେ।

ସେ ଆହୁରି କହିଲେ, ଭାରତର ସଂସ୍କୃତି ଓ ପରମ୍ପରା ‘ବସୁଧୈବ କୁଟୁମ୍ବକମ୍‌’ରେ ବିଶ୍ୱାସ ରଖେ। ସମଗ୍ର ବିଶ୍ୱ ଏକ ପରିବାର, ଦିନ ଥିଲା ଭାରତ ବିଶ୍ୱଗୁରୁ ରୂପେ ପରିଚିତ ହେଉଥିଲା। ବିଦେଶରୁ ଛାତ୍ରଛାତ୍ରୀ ଆସି ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଶିକ୍ଷାଲାଭ କରୁଥିଲେ। କେବେ ବି କୌଣସି ଦେଶ ଉପରେ ଭାରତ ଆକ୍ରମଣ କରିନାହିଁ। କାରଣ ଭାରତ କେବେ ବି ହିଂସାରେ ବିଶ୍ୱାସ ରଖି ନାହିଁ, ବରଂ ପ୍ରଗତିରେ ବିଶ୍ୱାସ କରେ। ଓଡ଼ିଶା ଭଳି ଏକ ସୁନ୍ଦର ଓ ଐତିହାସିକ ଭୂଖଣ୍ଡକୁ ଆସି ଆପଣମାନେ କବିତାର ରେଶମୀ ସୂତାକୁ ଗୁନ୍ଥି ବିଶ୍ବର ବିଭିନ୍ନ ବର୍ଗର ଲୋକଙ୍କୁ ରୋମାଞ୍ଚିତ ଓ ଜାଗ୍ରତ କରିବେ ବୋଲି ଆଶା ଓ ବିଶ୍ବାସ ରହିଛି।

ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ କହିଲେ, ଓଡ଼ିଶା ହେଉଛି ସ୍ୱର୍ଗୀୟ ଭୂମି। ବିଶ୍ୱର ଆଧ୍ୟାତ୍ମିକ ଗୁରୁ, ଦାର୍ଶନିକଙ୍କ ମତରେ ଏହି ଭୂମିର ମୁକ୍ତି ଦେବାର କ୍ଷମତା ରହିଛି। ଏଭଳି ଏକ ପୁଣ୍ୟଭୂମିରେ ପ୍ରତ୍ୟେକ ଜଣେ ଜଣେ ଜଗନ୍ନାଥଙ୍କ ପ୍ରତିନିଧି। ଏହା ବ୍ୟତୀତ ଓଡ଼ିଶା ଲୋକଙ୍କ ଭଲ ପାଇବା, ଦୟା ଭାବ ଓ ସରଳ ସ୍ୱଭାବ ଏହାକୁ ଆହୁରି ରୁଦ୍ଧିମନ୍ତ କରିଛି ବୋଲି ଶ୍ରୀ ଲାଲ କହିଥିଲେ। କେନ୍ଦ୍ର ମତ୍ସ୍ୟ, ପଶୁସମ୍ପଦ, ଗୋପାଳନ ତଥା ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କବିତା ପ୍ରତ୍ୟେକ ମଣିଷର ହୃଦୟକୁ ଛୁଇଁଥାଏ ବୋଲି ମତବ୍ୟକ୍ତ କରିଥିଲେ। ବିଶ୍ୱ କବି ସମ୍ମିଳନୀର ସଭାପତି ଡ. ମାଉରସ ୟଙ୍ଗ କହିଲେ ଯେ ଏହି ୫ ଦିନରେ ଓଡ଼ିଶାର ସଂସ୍କୃତି, ପରମ୍ପରା ଦ୍ୱାରା ବେଶ ପ୍ରଭାବିତ ହୋଇଛୁ। ଓଡ଼ିଶା ହେଉଛି କବିତାର ଭୂମି। ଏଠାରେ ବହୁ ପ୍ରତିଭାବାନ୍‍ ଯୁବକ ରହିଛନ୍ତି।

ଉତ୍ସବରେ ୩୯ତମ କବି ସମ୍ମିଳନୀର ସଭାପତି ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇଥିବା ବେଳେ ୱାର୍ଲଡ ଏକାଡେମି ଅଫ୍‍ ଆର୍ଟ ଆଣ୍ଡ କଲଚର୍‍ର ପ୍ରଥମ ଉପସଭାପତି ପ୍ରଫେସର ଅର୍ନେଷ୍ଟୋ କାହାନ, ସାଧାରଣ ସମ୍ପାଦକ ଡ. ମାରିଆ ୟୁଜେନିଆ ସୋବେରାନିସ, ଓଡ଼ିଶା ପର୍ଯ୍ୟଟନ, ସଂସ୍କୃତି, ଓଡ଼ିଆ ଭାଷା ଓ ସାହିତ୍ୟ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କିଟ୍‍ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅଚ୍ୟୁତ ସାମନ୍ତଙ୍କୁ ବିଶ୍ୱ କବି ସମ୍ମିଳନୀର ସର୍ବୋଚ୍ଚ ସମ୍ମାନ ‘ଗୋଲ୍‍ଡେନ୍‍ ଗ୍ୟାବେଲ୍‍’ ପ୍ରଦାନ କରାଯାଇଥିଲା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ବିଶିଷ୍ଟ କଥାକାର ଶାନ୍ତନୁ ଆଚାର୍ଯ୍ୟ, କବି ପ୍ରସନ୍ନ ପାଟ୍ଟଶାଣୀଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‍ ଅଫ୍‍ ଲିଟରେଚର୍‌ ସମ୍ମାନ ପ୍ରଦାନ କରାଯାଇଥିଲା। ଯୁବ ଲେଖିକା ଅନାନ୍ତିନୀ ମିଶ୍ର ଓ ଆତ୍ମିକା ପଟ୍ଟନାୟକଙ୍କୁ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା।

ଉତ୍ସବ ଅବସରରେ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ଓଡ଼ିଆ ଭାଷାରେ ମଞ୍ଚାସୀନ ଅତିଥି, ଗଣମାଧ୍ୟମ ପ୍ରତିନିଧି ଓ ଉତ୍ସବରେ ଯୋଗ ଦେଇଥିବା ପ୍ରତିନିଧିମାନଙ୍କୁ ସ୍ବାଗତ କରିଥିଲେ। ବିଶ୍ବ ଓ ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିଭାବାନ ଓ ଉତ୍ସାହିତ କବିମାନଙ୍କ ଗ୍ରହଣରେ ରହି ମୁଁ ଆନନ୍ଦିତ। ଓଡ଼ିଶାକୁ ଆସି ଖୁବ୍‌ ଉଲ୍ଲସିତ ବୋଲି କହିଥିଲେ।

ସମ୍ବନ୍ଧିତ ଖବର