କିଟ୍‌ରେ ୩୯ତମ ବିଶ୍ବ କବି ମହାକୁମ୍ଭ ଉଦ୍‌ଘାଟିତ : କବିତା ମାଧ୍ୟମରେ ଆସିପାରିବ ପରିବର୍ତନ

ଭୁବନେଶ୍ବର : ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଗାନ୍ଧୀଜୀଙ୍କ ଶାନ୍ତି ଓ ଅହିଂସାର ମାନବିକ ମୂଲ୍ୟବୋଧକୁ ବିଶ୍ବରେ ବଜାୟ ରଖିବା ପାଇଁ କବିମାନେ ବତ୍ରୀ ହେବା ଆବଶ୍ୟକ। କାରଣ ସମାଜରେ ପରିବର୍ତନ ଆଣିବାର ଶକ୍ତି କେବଳ କବିତାରେ ହିଁ ରହିଛି। ଉନବିଂଶ ଶତାବ୍ଦୀର କବି ଭୀମଭୋଇଙ୍କ ଉକ୍ତି ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’ ଜାତିସଂଘର ମୁଖ୍ୟାଳୟ କାନ୍ଥରେ ଖୋଦେଇ ହୋଇଛି। ଯାହା ଆଜି ବିଶ୍ବର ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

କିଟ୍‌ ବିଶ୍ବବିଦ୍ୟାଳୟରେ ୩୯ତମ ବିଶ୍ବ କବି ସମ୍ମିଳନୀକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଓଡ଼ିଶା ହେଉଛି ସଂସ୍କୃତିର ଗନ୍ଥାଘର। କାବ୍ୟରେ ଓଡ଼ିଶାର ଏକ ଉଚ୍ଚ ପରମ୍ପରା ରହିଛି। ସାରଳା ଦାସଙ୍କଠାରୁ ଆରମ୍ଭ କରି ଜଗନ୍ନାଥ ଦାସ, ଭୀମଭୋଇଙ୍କଠାରୁ ଆରମ୍ଭ କରି ବଳଦେବ ରଥ, ଗଙ୍ଗାଧର ମେହେରଙ୍କଠାରୁ ରାଧାନାଥ ରାୟ, ମାୟା‌ଧର ମାନସିଂହ ଓ କୁନ୍ତଳାକୁମାରୀ ସାବତଙ୍କଠାରୁ ଆରମ୍ଭ କରି ସଚ୍ଚି ରାଉତରାୟଙ୍କ ପର୍ଯ୍ୟନ୍ତ ଆମର ମହାନ କବିମାନେ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି। ସାମାଜିକ ପରିବର୍ତନ ଆଣିବାରେ ସହାୟକ ହୋଇଛନ୍ତି ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସମ୍ମିଳନୀରେ ଯୋଗଦେଇଥିବା କବିମାନଙ୍କୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଥିଲେ।

ଇଣ୍ଡିଆନ୍‌ କାଉନସିଲ୍‌ ଫର୍‌ କଲଚରାଲ୍‌ ରିଲେସନ୍ସ(ଆଇସିସିଆର)ର ମହାନିର୍ଦେଶକ ଅଖିଳେଶ ମିଶ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ, କବିତା ମାଧ୍ୟମରେ ଆମମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ସୃଷ୍ଟି କରାଯାଇପାରେ। ବିଶ୍ବରେ ଶାନ୍ତି, ଭ୍ରାତୃତ୍ବ ଭାବ ସୃଷ୍ଟି କରି କବିତା‌ ଆମକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିପାରେ। କବିତା‌ ହେଉଛି ଆମମାନଙ୍କ ମଧ୍ୟରେ ସମ୍ପର୍କର ସେତୁ। ଭାରତୀୟ କବିତା ବହୁ ପ୍ରାଚୀନ। ଋକ୍‌ବେଦ ହେଉଛି ସବୁଠାରୁ ପ୍ରାଚୀନ କବିତା, ଯାହାକି ଆମମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଏକତା ପ୍ରତିଷ୍ଠା କରିପାରିଛି।

ବିଶ୍ବ କବି ସମ୍ମିଳନୀର ପ୍ରଥମ ଉପସଭାପତି ଡ. ଅର୍ନଷ୍ଟ କାହାନ କହିଲେ ଏହି ସମ୍ମିଳନୀର କଳେବର ଓ ମାନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କବିତା ମାଧ୍ୟମରେ ବିଶ୍ୱ ଭ୍ରାତୃଭାବ ଓ ଶାନ୍ତି ପ୍ରତିଷ୍ଠା କରିବା ହେଉଛି ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ। ବିଶ୍ୱ କବି ସମ୍ମିଳନୀର ସଭାପତି ଡ. ମଉରସ ୟଙ୍ଗ କହିଲେ, ଭାରତ ହେଉଛି କବିତାର ଭୂମି। ବିଶ୍ୱକୁ କବିତା କ୍ଷେତ୍ରରେ ଭାରତର ଅତୁଳନୀୟ ଅବଦାନ ରହିଛି। ପୂର୍ବରୁ ଅନେକ ସମ୍ମିଳନୀରେ ଯୋଗଦେଇଥିଲେ ମଧ୍ୟ ଏଠାରେ ଅନୁଷ୍ଠିତ ୩୯ତମ କବି ସମ୍ମିଳନୀ ନିଆରା ଓ ସ୍ୱତନ୍ତ୍ର। ୩୯ତମ ବିଶ୍ୱ କବି ସମ୍ମିଳନୀର ସଭାପତି ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ୱାର୍ଲ୍‍ଡ ଆକାଡେମି ଅଫ୍‍ ଆର୍ଟସ୍‌ ଆଣ୍ଡ କଲ୍‍ଚର(ୱାକ୍‍)ର ସାଧାରଣ ସମ୍ପାଦିକା ଡ. ମାରିଆ ଇଉଜେନିଆ ସୋବେରାନିସ୍‍ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ସାହିତ୍ୟିକ ତଥା ପଦ୍ମ ଭୂଷଣ ରସ୍କିନ୍‍ ବଣ୍ଡ, ବିଶିଷ୍ଟ ଚିତ୍ରକର ଗଣେଶ ହାଲୋଇଙ୍କୁ ସମ୍ମାନସୂଚକ ଡି ଲିଟ୍‍ ପ୍ରଦାନ କରାଯାଇଥିଲା। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଗାନ୍ଧୀବାଦୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କୁ ସମ୍ମାନସୂଚକ ଡିପ୍ଲୋମା ପ୍ରଦାନ କରାଯାଇଥିବା ବେଳେ ସାହିତ୍ୟ ପାଇଁ ଗାନ୍ଧୀବାଦୀ ତଥା ନୃତତ୍ତ୍ୱବିତ୍‍ ଆଚାର୍ଯ୍ୟ ଭାବାନନ୍ଦ ଗାନ୍ଧୀ ସମ୍ମାନିତ ହୋଇଥିଲେ। ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଆଜି ସକାଳେ ୮୨ଟି ଦେଶର ପ୍ରତିନିଧିମାନେ କିଟ୍‍ ପରିସରରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେମାନେ କିସ୍‌ର ୨୭ ହଜାର ୫ ଶହ ଛାତ୍ରଛାତ୍ରୀଙ୍କ ସହ ଗାନ୍ଧୀ ଜୟନ୍ତୀ ପାଳନ କରିବା ପରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ‘କରମଚାନ୍ଦ’ ଗାନ୍ଧୀ ପାଠାଗାରର ଲୋକାର୍ପଣ କରିଥିଲେ।

ସମ୍ବନ୍ଧିତ ଖବର