ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨୧ରେ ହେବାକୁ ଥିବା ବିଜେପୁର ଉପନିର୍ବାଚନ ପାଇଁ ସ୍ୱତନ୍ତ୍ର ଛୁଟି ଘୋଷଣା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ନିର୍ବାଚନମଣ୍ଡଳୀ ବାହାରେ ଥିବା କର୍ମଚାରୀଙ୍କ ପାଇଁ ଏହି ଛୁଟି ଘୋଷଣା କରାଯାଇଛି। ବାହାରେ ଥିବା କର୍ମଚାରୀମାନେ ଏହି ଛୁଟିକୁ ମତଦାନ ପୂର୍ବଦିନ, ମତଦାନ ଦିନ କିମ୍ବା ମତଦାନ ପରଦିନ ନେଇ ନିର୍ବାଚନ ମଣ୍ଡଳୀକୁ ଆସିପାରିବେ।
ତେବେ ଆସନ୍ତା ବିଜେପୁର ଉପନିର୍ବାଚନ ପାଇଁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ଅଧ୍ୟକ୍ଷ ବସନ୍ତ ପଣ୍ଡା ଦଳୀୟ ପ୍ରାର୍ଥୀ ସନତ ଗଡତିଆଙ୍କୁ ଧରି ରୋଡ ସୋ’ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର ଏନ୍ଏସି, ବରପାଲି ବ୍ଲକର ବନ୍ଧପାଲି ପଞ୍ଚାୟତ, ଗୋପେଇପାଲି ପଞ୍ଚାୟତ ଏବଂ ବରପାଲି ଏନ୍ଏସି ଅଞ୍ଚଳରେ ପ୍ରଚାର କରିଛନ୍ତି।
ଅପରପକ୍ଷରେ ବିଜେପୁର ଉପନିର୍ବାଚନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଇଟେକ ବସରେ ତାଳପାଲି, କେନ୍ଦୁଭଟା ଛକ, ଗେରମୁଣ୍ଡା ଛକ, ଗାଇସିଲାଟ୍, କେନ୍ଦୁମୁଣ୍ଡା, କଠଉମାଲ, ବଡ଼ ସାହାଜବାହାଲ, ଜଗଲପାଟ, ଭଂଗାମୁଣ୍ଡା, ଡାଂଗବାହାଲ, ସରଧାପାଲି, କରଂଜାପାଲି, କିର୍ମେଲି ଛକ, କୁଣ୍ଡାଖାଇ, ଗୁଦେରପାଲି ପର୍ଯ୍ୟନ୍ତ ରୋଡ୍ ସୋ’ କରି ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ଲାଗି ପ୍ରଚାର କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ରୋଡ ସୋ’ କାଳରେ ତାଙ୍କର ହାଇଟେକ୍ ବସ୍ ଭିତରେ ଥାଇ, ‘ଆପଣମାନେ ଖୁସି ତ? ଆପଣମାନେ ଖୁସି ଥିଲେ ମୁଁ ବି ଖୁସି।’ କହି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ଦେଖିବାକୁ ମିଳିଥିଲା। ନବୀନଙ୍କ ପ୍ରଶ୍ନର ଉତ୍ତର ଦେଇ ରାସ୍ତା ଦୁଇପାର୍ଶ୍ୱରେ ଜମାଥିବା ବିପୁଳ ଜନସାଧାରଣ, ‘ହିଁ ଆମେ ବି ଖୁସି।’ କହି ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ କରିଥିବା ଏହି ଅବସରରେ ଦେଖିବାକୁ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/images-1-8.jpg)