ପୋଖରୀରେ ବୁଡ଼ି ଦୁଇ ଛାତ୍ରୀ ମୃତ

ଖଲ୍ଲିକୋଟ: ଭେଜିପୁଟ ପୁଲିସ ଫାଣ୍ଡି ଅନ୍ତର୍ଗତ ପେଣ୍ଡୁରାପଲ୍ଲୀ ଗ୍ରାମ ସ୍ଥିତ ପୋଖରୀରେ ବୁଡ଼ି ଦୁଇ ଛାତ୍ରୀଙ୍କ ମୃତ୍ୟୁ ଘଟଣା ଅଂଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତ ଛାତ୍ରୀ ହେଲେ ପେଣ୍ଡୁରାପଲ୍ଲୀ ଗ୍ରାମର ସନ୍ତୋଷ ଦଳେଇଙ୍କ ଝିଅ ଗାୟତ୍ରୀ (୧୦) ଓ ନାଭାଲ୍‌ ଫାଣ୍ଡି ଅନ୍ତର୍ଗତ ଛତ୍ରଗଡ଼ ଗ୍ରାମର ଗୋବିନ୍ଦ ପ୍ରଧାନଙ୍କ ବଡ଼ଝିଅ ବିମଳା (୧୨)। ପ୍ରକାଶ ଯେ, ଛତ୍ରଗଡ଼ ଗ୍ରାମର ବିମଳା ଅଜାଘର ପେଣ୍ଡୁରାପଲ୍ଲୀରେ ରହି ୭ମ ଶ୍ରେଣୀରେ ପାଠ ପଢ଼ୁଥିଲା। ଗାୟତ୍ରୀ ପଂଚମ ଶ୍ରେଣୀରେ ପାଠ ପଢ଼ୁଥିଲେ। ଦୁହେଁଙ୍କ ମଧ୍ୟରେ ବନ୍ଧୁତା ଥିଲା। ପୂର୍ବାହ୍ଣ ୧୦ଟାରେ ଦୁହେଁ ମିଶି ପୋଖରୀରୁ ଗାଧୋଇବାକୁ ଯାଇଥିଲେ। ଦୀର୍ଘ ସମୟ ଧରି ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି କୌଣସି ସନ୍ଧାନ ପାଇନଥିଲେ। ପୋଖରୀ ପାହାଚରେ ଦୁଇଜଣଙ୍କ ପୋଷାକପତ୍ର ଥିବା ଦେଖି ବୁଡ଼ିଥିବା ସନ୍ଦେହ କରିଥିଲେ। ଗ୍ରାମବାସୀଙ୍କ ସହାୟତାରେ ଦୁହେଁଙ୍କୁ ପୋଖରୀରୁ ଉଦ୍ଧାର କରି ଖଲ୍ଲିକୋଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ନକରି ପରିବାର ଲୋକେ ଉଭୟଙ୍କୁ ଗ୍ରାମକୁ ନେଇ ଆସିଥିଲେ।

ସମ୍ବନ୍ଧିତ ଖବର