ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରିବା ମହଙ୍ଗା ପଡ଼ିଲା : ଛୁରା ମାଡ଼ ଓ ପଥର ଛେଚା ଖାଇଲେ ୨ ଯୁବକ, ୩ ଅଟକ

ସମ୍ବଲପୁର: ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରିବା ମହଙ୍ଗା ପଡ଼ିଛି। ସ୍କୁଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଆହତଙ୍କୁ ଉଦ୍ଧାର ପାଇଁ ଯାଇଥିବା ୨ ଯୁବକଙ୍କୁ ମାଡ଼ଖାଇବାକୁ ପଡ଼ିଛି। ତିନି ଜଣ ଯୁବକ ସହଯୋଗର ହାତ ବଢ଼ାଇଥିବା ୨ ଯୁବକଙ୍କୁ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି। ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଦେହେରିପାଲି ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଆକ୍ରମଣର ଶିକାର ହୋଇଥିବା ଛାତ୍ରମାନେ ହେଲେ ଦୟାନିଧି ସାହୁ(୨୪) ଓ ଅମନ ସିଂ ମନ୍‌ (୨୩)। ଆହତଙ୍କୁ ଉଦ୍ଧାର କରି ପୁଲିସ୍‌ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଅଇଁଠାପାଲି ପୁଲିସ୍‌ ଏକ ମାମଲା ରୁଜୁ କରି ସମସ୍ତ ୩ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ଆକ୍ରମଣରେ ବ୍ୟବହାର ହୋଇଥିବା ଏକ ଛୁରୀକୁ ମଧ୍ୟ ପୁଲିସ୍‌ ଜବତ କରିଛି।

ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପୁରୁଣାପାଣି ଗ୍ରାମର ଦୟାନିଧି ସାହୁ ସମ୍ବଲପୁର ଦେହେରିପାଲିରେ ରହି ସିଏମ୍‌ଏ ପାଠ ପଢୁଛନ୍ତି। ସେ ଗୁରୁବାର ସନ୍ଧ୍ୟା ୬ଟାରେ ଦୟାନିଧି ଓ ଗୋପାଲମାଲର ଅମନ ସିଂ ମନ୍‌ କୋଚିଂଙ୍ଗ ଇନଷ୍ଟିିଚ୍ୟୁଟରୁ କ୍ଲାସ ସାରି ଫାଟକ ପଟକୁ ଯାଉଥିବା ସମୟରେ ଅଇଁଠାପାଲି ପଟରୁ ଏକ ସ୍କୁଟି(ଓଡି ୧୫ ବି-୩୪୯୬)ରେ ଆସୁଥିବା ଧନୁପାଲି ଥାନା ଚାରଭାଟିର ରଞ୍ଜନ ବାରିକ(୨୩), ଅଇଁଠାପାଲି ଥାନା କଟରଧୂଆର ପ୍ରବୀଣ ପ୍ରଧାନ ଓ ଦୀପକ ଓରାମ ସେମାନଙ୍କ ସମ୍ମୁଖରେ ରାସ୍ତା ଉପରେ ପଡ଼ି ଯାଇ ସାମାନ୍ୟ ଆହତ ହୋଇଥିଲେ।

ସଙ୍ଗେସଙ୍ଗେ ଦୟାନିଧି ଓ ଅମନ ସେଠାରେ ପହଞ୍ଚି ଆହତଙ୍କୁ ଉଠାଇବାକୁ ଚେଷ୍ଟା କରିବାରୁ ସ୍କୁଟିରେ ଥିବା ରଞ୍ଜନ, ପ୍ରବୀଣ ଓ ଦୀପକ ତାଙ୍କ ଉପରେ ଓଲଟା ଦୋଷ ଦେଇ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ। ‘ତୁମ ପାଇଁ ଆମେ ପଡ଼ିଲୁ’ ବୋଲି ସେମାନେ ଯୁକ୍ତି କରିଥିଲେ। ଏହି ଘଟଣାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବେଶ୍‌ କିଛି ସମୟ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ରଞ୍ଜନ, ପ୍ରବୀଣ ଓ ଦୀପକ ପାଖରେ ପଡ଼ିଥିବା ପଥର, ବାଡ଼ିରେ ଦୟାନିଧି ଓ ଅମନଙ୍କୁ ଆକ୍ରମଣ କରିଥିଲେ।

ଦୟାନିଧିଙ୍କ ଗୋଡ଼ରେ ପଥର ବାଜିଥିବାରୁ ହାଡ଼ ଭାଙ୍ଗି ଯାଇଥିଲା। ଅପରପକ୍ଷେ, ରଞ୍ଜନ ପାଖରେ ରଖିଥିବା ଏକ ଛୁରିରେ ଅମନଙ୍କୁ ଆକ୍ରମଣ କରିଥିଲା। ଏଥିରେ ଅମନଙ୍କ ଜଂଘରେ ଗଭୀର ଆଘାତ ଲାଗିଥିଲା। ସଙ୍ଗେସଙ୍ଗେ ଦୟାନିଧି ଓ ଅମନଙ୍କୁ ପୁଲିସ୍‌ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ସମସ୍ତ ୩ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର