ମାଓବାଦୀ ହତ୍ୟା କରିଥିବା ୮ ପରିବାରଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଗଲା ୩ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ମାଓବାଦୀମାନେ ହତ୍ୟା କରିଥିବା ପରିବାରଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଏହି ଅବସରରେ ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାକକ୍ଷରେ ଏକ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁ, ନୂଆପଡ଼ା ଏସପି ବିନୀତ ଅଗ୍ରୱାଲ, ନୂଆପଡ଼ା ଅତିରିକ୍ତ ଜିଲ୍ଲାପାଳ ସୀତାରାମ ପଟେଲ ପ୍ରମୁଖ ଉପସ୍ଥିତ ରହି ୮ ଟି ପରିବାରଙ୍କୁ ୩ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି।

ଏହି ଟଙ୍କା ସେମାନଙ୍କ ଆକାଉଣ୍ଟରେ ଜମା କରାଯାଇଛି। ଏହାକୁ ୩ ବର୍ଷ ପର୍ଯ୍ୟନ୍ତ କିନ୍ତୁ ସେମାନେ ଉଠାଇ ପାରିବେ ନାହିଁ। ତେବେ କୌଣସି ଜରୁରୀ କାମ ଯଥା ଚିକିତ୍ସା , ଝିଅ ବାହାଘର, ପାଠପଢ଼ା ପାଇଁ ଜିଲ୍ଲାପାଳଙ୍କ ଅନୁମତିରେ ୩ଲକ୍ଷ ଟଙ୍କା ଆକାଉଣ୍ଟରୁ ନେଇ ପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।
ସୂଚନାଯୋଗ୍ୟ, ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଳକର ପାଟଦାର ଗ୍ରାମର ଗଣପତି ମାଝିଙ୍କୁ ୨୦୧୬ ମସିହା ଅପ୍ରେଲ ୧୮ ତାରିଖରେ ମାଓବାଦୀମାନେ ହତ୍ୟା କରିଥିଲେ। ତାଙ୍କ ପରିବାରର କୁମାର ମାଝୀଙ୍କୁ ୩ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସେପରି ବଲାଙ୍ଗୀର ଜିଲ୍ଲାର କୁଶାପାଲି ଗ୍ରାମର ବିଷ୍ଣୁ ମେହେରଙ୍କୁ ପୁଲିସ ଖବରଦାତା ବୋଲି ଭାବି ୨୦୧୩ ମସିହା ଅକ୍ଟୋବର ୨୮ ତାରିଖରେ ମାଓବାଦୀମାନେ ହତ୍ୟା କରିଥିଲେ। ତାଙ୍କ ସ୍ତ୍ରୀ ବିମଳା ମେହେରଙ୍କୁ ସହାୟତା ରାଶି ଦିଆଯାଇଛି। କୋମନା ବ୍ଳକ ପାଟପାଣି ଗ୍ରାମର ଶିକ୍ଷକ ଚୈତନ୍ୟ ମାଝୀଙ୍କୁ ପୁଲିସ ଖବରଦାତା ବୋଲି ମନେ କରି ୨୦୧୩ ମସିହା ଫେବ୍ରୁଆରି ୮ ତାରିଖରେ ମାଓବାଦୀ ମାନେ ହତ୍ୟା କରିଥିଲେ । ତାଙ୍କ ସ୍ତ୍ରୀ ପଦ୍ମିନୀ ମାଝିଙ୍କୁ ତିନି ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

ଠିକ୍ ସେହିପରି ନୂଆପଡ଼ା ବ୍ଳକ ଧରମବନ୍ଧା ଗ୍ରାମର ସାଧନା ଦେବାଙ୍ଗନ, ସଦର ବ୍ଳକ କଲମିଦାଦର ପରଶରାମ ମାଝି ଓ ଡାଲିପଖାନ ଗ୍ରାମର ନଗେଶବାବା ମାଝିଙ୍କ ପରିବାର, ସୁନାବେଡ଼ା ଗ୍ରାମର ଚନ୍ଦ୍ରସିଂ ବର୍ଗେଙ୍କ ପରିବାରକୁ ବି ତିନି ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ସିନାପାଳି ବ୍ଳକ ନଙ୍ଗଲବୋଡ଼ ଗ୍ରାମର ଅବଦୁଲ ସତ୍ତାରଙ୍କ ସ୍ତ୍ରୀ ସରିଫା ବାନୁଙ୍କୁ ୩ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର