ଏସ୍‌ସିବିରେ ତୃତୀୟ କାଡାଭରିକ୍‌ ପ୍ରତିରୋପଣ : ରୀତାମଣି ଓ ରତ୍ନାକର ପାଇଲେ ନୂଆ ଜୀବନ

ପ୍ରିୟଙ୍କା, ସୁଚିତ୍ରା ଓ ରାଜଲକ୍ଷ୍ମୀଙ୍କ ପାଇଁ ୬ ଜଣଙ୍କୁ ମିଳିଲାଣି କିଡ୍‌ନି

କଟକ : କଟକ ବଡ଼ ଡାକ୍ତରଖାନାର ୟୁରୋଲୋଜି ବିଭାଗରେ ଆଜି ସଫଳତାର ସହ ହୋଇଛି ଦୁଇ ଦୁଇଟି କାଡାଭେରିକ୍‌ ପ୍ରତିରୋପଣ। ବ୍ରେନ୍ ଡେଡ୍ ଘୋଷିତ ରାଜଲକ୍ଷ୍ମୀ ଦାଶଙ୍କ ଅଙ୍ଗଦାନ ପାଇଁ ତାଙ୍କ ପରିବାରର ନିଷ୍ପତ୍ତି ଫଳରେ ଆଜି ନୂଆ ଜୀବନ ପାଇଛନ୍ତି ମୟୂରଭଞ୍ଜର ଶିକ୍ଷୟିତ୍ରୀ ରୀତାମଣି ମହାନ୍ତ(୪୬) ଓ କାମାକ୍ଷାନଗରର ଆଇନଜୀବୀ ରତ୍ନାକର ‌ମହାନ୍ତି (୫୭)। ଦୀର୍ଘ ସାଢେ ୩ ଘଣ୍ଟାର ଅସ୍ତ୍ରୋପଚାର ପରେ ରୀତାମଣି ଓ ରତ୍ନାକରଙ୍କ ଶରୀରରେ କିଡ୍‌ନି ପ୍ରତିରୋପଣ ସଫଳ ହୋଇପାରିଛି। ଗତ ମାସେ ଦୁଇ ଦିନ ଭିତରେ ରାଜ୍ୟରେ ତିନି ଜଣ ବ୍ରେନ୍ ଡେଡ୍ ଘୋଷିତ ମହିଳାଙ୍କ ପାଇଁ ୬ ଜଣ ପାଇଛନ୍ତି ନୂଆ ଜୀବନ। ଏଭଳି ଯୋଜନାରେ ଏସ୍‌ସିବିରେ ବରଗଡର ଫିରୋଜ ସାହୁ, ମୟୂରଭଞ୍ଜର ଶିକ୍ଷୟିତ୍ରୀ ରୀତାମଣି ମହାନ୍ତ, କାମାକ୍ଷାନଗରର ଆଇନଜୀବୀ ରତ୍ନାକର ମହାନ୍ତିଙ୍କ ସମେତ ଆପୋଲୋ ହସ୍ପିଟାଲରେ ୨ଜଣ ଓ ଆମ୍ରିରେ ଜଣେ ରୋଗୀ କିଡ୍‌ନି ପାଇବା ସହିତ ପାଇଛନ୍ତି ନୂଆ ଜୀବନ।

ସ୍ବାମୀଙ୍କ ସହ ମୃତ ରାଜଲକ୍ଷ୍ମୀ (ଫାଇଲ୍‌ ଫଟୋ)

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବରର ହାଇଟେକ୍‌ ମେଡିକାଲରେ ଚିକିତ୍ସିତ ହେଉଥିଲେ ପୁରୀ ଜିଲ୍ଳା ଡେଲାଙ୍ଗର ରାଜଲକ୍ଷ୍ମୀ ଦାଶଙ୍କୁ ବ୍ରେନ୍ ଡେଡ୍ ବୋଲି ‌ଘୋଷଣା କଲେ ଡାକ୍ତରୀ ଦଳ। ଏହାପରେ ଗୁରୁବାର ସକାଳ ୬ଟା୪୦ରେ ତାଙ୍କ ଶରୀରରୁ ଅସ୍ତ୍ରୋପଚାର କରି କଢାଗଲା ଦୁଇଟି କିଡ୍‌ନି। ଯାହାକି ସକାଳ ୮ଟା ୫୦ରେ ସରିଲା। ପ୍ରଥମ ପର୍ଯ୍ୟ‌ାୟରେ ସୋଟୋ ତାଲିକା ଅନୁସାରେ ଆପୋଲୋ ଓ ଆମ୍ରିର ଜଣେ ରୋଗୀ ଓ ଅନ୍ୟଟି ଏସ୍‌ସିବି ଆସିବାର ଥିଲା। କିନ୍ତୁ ଆପୋଲୋର ୫ଜଣ ରୋଗୀ ଓ ଆମ୍ରିର ୩ଜଣ ରୋଗୀଙ୍କ କିଡ୍‌ନି ମ୍ୟାଚ୍ ନକରିବାରୁ ଶେଷରେ ଦୁଇଟି ଯାକ କିଡ୍‌ନିକୁ ସକାଳ ସାଢେ ୯ଟାରେ ସ୍ବତନ୍ତ୍ର ଆମ୍ବୁଲାନ୍ସରେ କଟକ ବଡମେଡିକାଲକୁ ଅଣାଯାଇଥିଲା। ଏସ୍‌ସିବିରେ ପ୍ରସ୍ତୁତ ହୋଇ ରହିଥିବା ଦୁଇଟି ସ୍ବତନ୍ତ୍ର ଡାକ୍ତରୀଦଳ ସକାଳ ୧୦ଟାରୁ କିଡ୍‌ନି ପ୍ରତିରୋପଣ ଅସ୍ତ୍ରୋପଚାର ଆରମ୍ଭ କରିଥିଲେ। ୟୁରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତାଙ୍କ ନେତୃତ୍ବରେ ଗଠିତ ସ୍ବତନ୍ତ୍ର ଦୁଇଟି ଡାକ୍ତରୀଦଳ ଏକ ସମୟରେ ଉଭୟ ରୀତାମଣି ଓ ରତ୍ନାକରଙ୍କ ଶରୀରରେ କିଡ୍‌ନି ପ୍ରତିରୋପଣ କରିଥିଲେ। ଦିନ ଗୋଟାଏରେ ସରିଥିଲା ଅସ୍ତ୍ରୋପଚାର। ଦୀର୍ଘ ସାଢେ ୩ଘଣ୍ଟାର ସଫଳ ଅସ୍ତ୍ରୋପଚାର ପରେ ଉଭୟ ରୀତାମଣି ଓ ରତ୍ନାକରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଭଲ ଥିବା ପ୍ରଫେସର ହୋତା ସୂଚନା ଦେଇଛନ୍ତି।

ରୀତାମଣି ପେସାରେ ଜଣେ ଶିକ୍ଷୟିତ୍ରୀ ହୋଇଥିବା ବେଳେ ୨ବର୍ଷ ହେବ କିଡ୍‌ନି ଖରାପ ହେବା ଆରମ୍ଭ ହୋଇଥିଲା। ଫଳରେ ତାଙ୍କର କଟକର ଅଶ୍ବିନୀ ହସ୍ପିଟାଲ‌ରେ ଡାଏଲିସିସ୍‌ ଚାଲିଥିଲା। ଏଥିସହ ଦେଢମାସ ତଳେ ତାଙ୍କ ସଂପର୍କୀୟଙ୍କ କିଡ୍‌ନି ମ୍ୟାଚ୍‌ କରିନଥିବାରୁ ସେ କିଡ୍‌ନି ଡୋନର ଦେବାପାଇଁ ସୋଟୋ ପାଖରେ ଆବେଦନ କରିଥିଲେ। ଗତକାଲି ରାତି ପ୍ରାୟ ସାଢେ ୭ଟାରେ ସୋଟୋ ପକ୍ଷରୁ କିଡ୍‌ନି ପ୍ରତିରୋପଣ ପାଇଁ ତାଙ୍କ ପାଖକୁ ଫୋନ କଲ ଯିବା ପରେ ତୁରନ୍ତ ତାଙ୍କ ସ୍ବାମୀ ରୀତାମଣିଙ୍କୁ ଧରି ଏସ୍‌ସିବିରେ ପହଞ୍ଚିଥିଲେ। ରାଜଲକ୍ଷ୍ମୀଙ୍କ ପରିବାର ପାଇଁ ତାଙ୍କ ସ୍ତ୍ରୀ ନୂ୍ଆ ଜୀବନ ପାଇଥିବାରୁ ସ୍ବାମୀ ଅର୍ଜୁନ ମହାନ୍ତ ଖୁସି ବ୍ୟକ୍ତ କରିଛନ୍ତି। ସେହିପରି କାମାକ୍ଷାନଗର ରତ୍ନାକର ମହାନ୍ତି(୫୭) ୧୧ଦିନ ହେଲା ଏସ୍‌ସିବି ୟୁରୋଲୋଜି ବିଭାଗରେ ଭର୍ତ୍ତି ହୋଇଥିଲେ। ତେବେ ଏସ୍‌ସିବି ପକ୍ଷରୁ ତାଲିକାରେ ଥିବା ୩ ଜଣଙ୍କୁ ଡକାଯାଇଥିଲେ ସୁଦ୍ଧା କାହାରି କିଡ୍‌ନି ମ୍ୟାଚ୍‌ କରିନଥିବାରୁ ଶେଷରେ ଭାଗ୍ୟବାନ ହୋଇଥିଲେ ରତ୍ନାକର। ଅନ୍ୟପଟେ ଶରୀର ଓ ଅଙ୍ଗଦାନ ସମିତି ଅଧ୍ୟକ୍ଷ ଡକ୍ଟର ପ୍ରଭାସ ଆଚାର୍ଯ୍ୟ ଓ ‌କିଛି ସ୍ବେଚ୍ଛାସେବୀ ରାଜଲକ୍ଷ୍ମୀଙ୍କ ପରିବାରକୁ ସମବେଦନା ଜଣାଇବା ତାଙ୍କ ଗାଁ ପୁରୀ ଜିଲ୍ଲାର ଡେଲାଙ୍ଗକୁ ଯାଇଥିଲେ। ଏହାପରେ ପୁରୀ ସ୍ବର୍ଗଦ୍ବାରରେ ରାଜଲକ୍ଷ୍ମୀଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।

ସମ୍ବନ୍ଧିତ ଖବର