ତୃତୀୟ କାଡାଭରିକ୍‌ ପ୍ରତିରୋପଣ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ : ମରି ବି ନୂଆ ଜୀବନ ଦେବେ ରାଜଲକ୍ଷ୍ମୀ, ଏସ୍‌ସିବିରେ ଦୁଇ ଜଣଙ୍କୁ ମିଳିବ କିଡ୍‌ନି

କଟକ/ଭୁବନେଶ୍ବର : ଫେବ୍ରୁଆରି ମାସରେ ରାଜ୍ୟର ପ୍ରଥମ ଓ ଦ୍ବିତୀୟ କାଡାଭରିକ୍ ପ୍ରତିରୋପଣ ସଫଳତାର ସହ ସମ୍ପନ୍ନ ହେବା ପରେ ଆଜି ବିଳମ୍ବିତ ରାତିରେ ତୃତୀୟ କାଡାଭରିକ୍ ପ୍ରତିରୋପଣ ହେବାକୁ ଯାଉଛି। ହାଇଟେକ୍ ହସ୍ପିଟାଲରେ ରାଜଲକ୍ଷ୍ମୀ ଦାସ ନାମ୍ନୀ ଜଣେ ମହିଳାଙ୍କୁ ବ୍ରେନ୍‌ଡେଡ୍ ଘୋଷଣା କରାଯିବା ପରେ ତାଙ୍କ ପରିବାରବର୍ଗ ଅଙ୍ଗଦାନ କରିବାକୁ ରାଜି ହୋଇଥିବାରୁ ତାଙ୍କର ଦୁଇଟି କିଡ୍‌ନିକୁ ଏସ୍‌ସିବି ମେଡିକାଲର ଦୁଇ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରିବାକୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇ ସାରିଛି। ଗୁରୁବାର ସକାଳେ ଏହି ପ୍ରତିରୋପଣ ମଧ୍ୟ ସଫଳ ହେବ ବୋଲି ଆଶା କରାଯାଉଛି।

ସୂଚନା ଅନୁସାରେ, ୪ଦିନ ତଳେ ଏକ ଦୁର୍ଘଟଣାରେ ଆହତ ହୋଇ ହାଇଟେକ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ରାଜଲକ୍ଷ୍ମୀ ଦାଶ(୪୫)। ହେଲେ ଦିନକୁ ଦିନ ତାଙ୍କ ଅବସ୍ଥା ଗୁରୁତର ହେବା ସହ ବୁଧବାର ସକାଳୁ ସେ ବ୍ରେନ୍‌ଡେଡ୍‌ ସ୍ଥିତିକୁ ଚାଲି ଯାଇଥିଲେ। ଫଳରେ ତାଙ୍କ ପରିବାର ଲୋକ ରାଜଲକ୍ଷ୍ମୀଙ୍କ ଅଙ୍ଗଦାନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷ ତୁରନ୍ତ ଏ ସଂପର୍କରେ ସଟୋ ନୋଡାଲ ଅଧିକାରୀ ପ୍ରଫେସର ଡାକ୍ତର ଚିତ୍ତ ରଂଜନ କରଙ୍କ ସହ ଆଲୋଚନା କରିଥିଲେ। ବିଧିବଦ୍ଧ ଭାବେ ବ୍ରେନ୍‌ଡେଡ୍ ଘୋଷଣା ପରେ ତାଙ୍କ କିଡ୍‌ନି ଏସ୍‌ସିବି ଓ ଆପୋଲା ହସ୍ପିଟାଲର ଦୁଇ ଜଣ ରୋଗୀଙ୍କ ଦେହରେ କାଡାଭରିକ୍‌ ପ୍ରତିରୋପଣ କରାଯିବ ବେ‌ାଲି ନିଷ୍ପତ୍ତି ହୋଇଥିଲା। ପ୍ରଥମେ ରାତି ପ୍ରାୟ ୧୦ଟା ୧୫ରେ ରାଜଲକ୍ଷ୍ମୀଙ୍କୁ ବ୍ରେନ୍‌ଡେଡ୍ ଘୋଷଣା କରାଯାଇଥିବାବେଳେ ନିୟମ ଅନୁଯାୟୀ ଏହାର ୬ ଘଣ୍ଟା ପରେ ଅର୍ଥାତ ରାତି ପ୍ରାୟ ୪ଟା ୧୫ରେ ଦ୍ବିତୀୟ ଥର ପରୀକ୍ଷା କରାଯାଇ ବ୍ରେନ୍‌ଡେଡ୍ ବୋଲି ବିଧିବଦ୍ଧ ଭାବେ ଘୋଷଣା କରାଯିବ। ଏହାପରେ ଯାଇ କାଡାଭରିକ୍ ପ୍ରତିରୋପଣ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ଏସ୍‌ସିବିରୁ ୟୁରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଦତ୍ତେଶ୍ବର ହୋତାଙ୍କ ନେତୃତ୍ବରେ ଆସିଷ୍ଟାଣ୍ଟ ପ୍ରଫେସର ସଂଜୟ ଚୌଧୁରୀ ଓ ୨ଜଣ ପିଜି ଛାତ୍ରଙ୍କୁ ନେଇ ଏକ ସ୍ବତନ୍ତ୍ର ବିଶେଷଜ୍ଞ ଟିମ୍‌ ହାଇଟେକ୍‌ରେ ପହଞ୍ଚି ସାରିଛନ୍ତି। ସେମାନେ ପ୍ରଥମେ ମୃତ ରାଜଲକ୍ଷ୍ମୀଙ୍କ ଶରୀର‌ରୁ ୨ଟି କିଡ୍‌ନି ଅସ୍ତ୍ରୋପଚାର କରି ବାହାର କରିବେ। ଦୁଇଟି କିଡ୍‌ନି ମଧ୍ୟରୁ ଗୋଟିଏ ଏସ୍‌ସିବିର ରୀତାରାଣୀ ମହାନ୍ତ ଓ ଅନ୍ୟଟି ଅନ୍ୟ ଜଣେ ରୋଗୀଙ୍କୁ ପ୍ରଦାନ କରାଯିବ। ତେବେ ଏସ୍‌ସିବିରେ ଭୋର୍‌ ବେଳକୁ ସୁଦ୍ଧା କିଡ୍‌ନି ପହଞ୍ଚିବାର ଯୋଜନା ରହିଛି ଏବଂ ଗୁରୁବାର ସକାଳେ ରୀତାରାଣୀଙ୍କ ଦେହରେ ପ୍ରତିରୋପଣ କରାଯିବ ବୋଲି ଡାକ୍ତରୀ ଟିମ୍‌ ପକ୍ଷରୁ ସୂଚନା ମିଳିଛି। ତେବେ ‌ଅନ୍ୟ କିଡ୍‌ନିଟି କାହା ଶରୀରରେ କିଡ୍‌ନି ପ୍ରତିରୋପଣ ହେବ ତାହା ଏହି ରିପୋର୍ଟ ଲେଖା ହେବା ସୁଦ୍ଧା ଚୂଡ଼ାନ୍ତ ହୋଇନାହିଁ।

ସୂଚନା ଅନୁଯାୟୀ ରାଜଲକ୍ଷ୍ମୀଙ୍କ ଦୁଇଟି କିଡ୍‌ନି ମଧ୍ୟରୁ ଗୋଟିଏ ଏସ୍‌ସିବି ଓ ଅନ୍ୟଟି ଆପୋଲୋରେ ଚିକିତ୍ସିତ ଅନ୍ୟ ଜଣେ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ମାତ୍ର ଶେଷ ପର୍ଯ୍ୟନ୍ତ ଆପୋଲୋ ରୋଗୀଙ୍କ ପାଇଁ କିଡ୍‌ନି ମ୍ୟାଚ୍‌ ନ କରିବାରୁ ଦୁଇଟି ଯାକ କିଡ୍‌ନି ଏସ୍‌ସିବି‌ ଆଣିବାକୁ ବିଳମ୍ବିତ ରାତିରେ ସ୍ଥିର ହୋଇଛି। ଏଥିପାଇଁ ଏସ୍‌ସିବି କର୍ତ୍ତୃପକ୍ଷ ତିନି ଦିନ ତଳେ ଚିକିତ୍ସା ହୋଇ ଘରକୁ ଫେରିଥିବା ମୟୂରଭଞ୍ଜର ରୀତାରାଣୀ ମହାନ୍ତ, ସୋନପୁରର ନୟନ ଦୀପ୍ତ ଓ ନୟାଗଡ଼ର ଦେବସ୍ମିତାଙ୍କୁ ଡକାଇ ଏସ୍‌ସିବିରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ମଧ୍ୟରୁ ରୀତାରାଣୀଙ୍କ ସହ ରାଜଲକ୍ଷ୍ମୀଙ୍କ କିଡ୍‌ନି ମ୍ୟା‌ଚ୍‌ କରୁଥିବା ସ୍ପଷ୍ଟ ହୋଇ ସାରିଥିବାବେଳେ ଅନ୍ୟଟି ନୟନ ଓ ଦେବସ୍ମିତାଙ୍କ ସହ ମ୍ୟାଚ୍‌ କରୁଛି କି ନାହିଁ, ତାହା ପରୀକ୍ଷା କରାଯାଉଛି।

ଉଲ୍ଲେଖଯୋଗ୍ୟ ‌େଯ ଗତମାସ ୪ତାରିଖ ରାଜ୍ୟର ପ୍ରଥମ କାଡାଭରିକ ପ୍ରତିରୋପଣ ହୋଇଥିଲା। ଦିଗପହଣ୍ଡିର ପ୍ରିୟଙ୍କାରାଣୀ ପାତ୍ରଙ୍କ ଦୁଇଟି କିଡ୍‌ନି ବଦଳରେ ଏସ୍‌ସିବିରେ ଥିବା ବରଗଡ଼ ଅତାବିରାର ଫିରୋଜ ଏବଂ ଆ‌େପାଲୋର ଅନ୍ୟ ଜଣେ ରୋଗୀ ନୂଆ ଜୀବନ ପାଇଥିଲେ। ସେହିପରି ଗତ ୨୬ତାରିଖରେ ଆପେଲୋରେ ଚିକିତ୍ସିତ ହେଉଥିବା ସୁଚିତ୍ରା ଦାଶଙ୍କ ବ୍ରେନ୍ ଡେଡ୍‌ ହେବା ପରେ ତାଙ୍କର ଦୁଇଟି କିଡ୍‌ନି କଢ଼ାଯାଇ ଗୋଠିଏ ଆପୋଲୋ ହସ୍ପିଟାଲ ଓ ଅନ୍ୟଟି ଆମ୍ରି ହସ୍ପିଟାଲରେ ଦୁଇ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ଏବେ ପୁଣିଥରେ ରୀତାରାଣୀ ଏବଂ ଅନ୍ୟ ଜଣଙ୍କ ଶରୀର‌େର କାଡାଭରିକ୍ ପ୍ରତିରୋପଣ ପରେ ଦୁହେଁ ନୂଆ ଜୀବନ ପାଇବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର