ଏସ୍‌. ରାମପୁର: ସୁବର୍ଣ୍ଣପୁର ଜିଲ୍ଲା ରାମପୁର ପଞ୍ଚାୟତ ଅନ୍ତର୍ଗତ କଟାପାଲିରେ ରବିବାର ଏକ ଟ୍ରାକ୍ଟର ଚାପାରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସୂଚନାନୁସାରେ କଟାପାଲିର ଅନିରୁଦ୍ଧ ପଧାନ ଓ ମମତା ପଧାନଙ୍କ ସାନ ଝିଅ ତଥା ରାମପୁର ନୋଡାଲ ହାଇସ୍କୁଲର ତୃତୀୟ ଶ୍ରେଣୀ ଛାତ୍ରୀ ସ୍ନେହାରାଣୀ ପଧାନ (୯ବର୍ଷ) ରବିବାର ନିଜ ଘରୁ ସାଇକଲ ଧରି ଗାଁ’ ବସ୍ତିରେ ଥିବା ତେଜରାତି ଦୋକାନକୁ ସାମଗ୍ରୀ କିଣିବାକୁ ଯାଉଥିଲା। ଏହି ସମୟରେ ସାମ୍ନା ପଟୁ ଆସୁଥିବା ଏକ ମେଟାଲ୍ ବୋଝେଇ ଟ୍ରାକ୍ଟର (ଓଡି ୩୧ଏ-୫୬୨୭) ଧକ୍କା ଦେବା ସହ ଉପରେ ଚଢ଼ିଯିବାରୁ ସ୍ନେହାର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଚାଳକ ଫେରାର୍ ମାରିଥିବା ବେଳେ ପରିବାର ଲୋକେ ସ୍ନେହାକୁ ଘରକୁ ନେବା ସହ ଟ୍ରାକ୍ଟରକୁ ଅଟକ ରଖି ରାମପୁର ଥାନା ପୁଲିସ୍‌କୁ ଖବର ଦେଇଥିଲେ।

Advertisment

ମାତ୍ର ପୁଲିସ ବିଳମ୍ବରେ ପହଞ୍ଚିବାରୁ ଡ୍ରାଇଭର ଫେରାର୍ ହେବା ସୁଯୋଗ ପାଇଲା ବୋଲି ପରିବାର ଓ ଗାଁ ଲୋକେ ଆଭିଯୋଗ କରିଥିଲେ। ତାକୁ ଗିରଫ କରିବା ସହ କ୍ଷତିପୂରଣ ଦାବି କରି ପରିବାର ଲୋକେ ଓ ଗ୍ରାମବାସୀ ବିଜେପି ନେତା ଅଶୋକ ପୂଜାରୀଙ୍କ ନେତୃତ୍ବରେ ରାମପୁର-ବିନିକା ଏମ୍‌ଡିଆର୍‌ ୩୯ ରାସ୍ତାକୁ ଅବରୋଧ କରିଥିଲେ। ସକାଳ ୧୦ଟାରୁ ଅପରାହ୍ଣ ସାଢ଼େ ୩ଟା ପର୍ଯ୍ୟନ୍ତ ପ୍ରାୟ ସାଢ଼େ ୫ ଘଣ୍ଟା ରାସ୍ତା ଅବରୋଧ ଫଳରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହି ଜାମ୍ ହୋଇଯାଇଥିଲା। ଖବର ପାଇ ବିନିକା ତହସିଲଦାର ମୁକ୍ତେଶ୍ବର ପାଣିଗ୍ରାହୀ, ସିଂଘିଯୁବା ଆର୍‌ଆଇ ଓ ରାମପୁର ଥାନାଧିକାରୀ ଭାନୁଶଙ୍କର ଯାଦବ ପହଞ୍ଚି ବୁଝାସୁଝା କରିବା ସହ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ପରିବାର ଲୋକେ କୌଣସି ଆର୍ଥିକ ସହାୟତା ଗ୍ରହଣ କରିବେ ନାହିଁ ବୋଲି ରୋକଠୋକ ଶୁଣାଇବା ସହ ଡ୍ରାଇଭରକୁ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, କଟାପାଲି ଗାଁ’ ମଧ୍ୟ ଦେଇ ଭାରୀଯାନ ଚଳାଚଳ ବନ୍ଦ କରିବାକୁ ଦାବି କରିଥିଲେ। ପ୍ରତିଶ୍ରୁତି ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ପୁଲିସ୍ ଥାନା କେସ୍ ନଂ. ୨୬/୨୩ରେ ମାମଲା ରୁଜୁ କରି ଡ୍ରାଇଭରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଉକ୍ତ ଡ୍ରାଇଭରଙ୍କୁ ଜାମିନ ଦେଇଥିବା ଥାନାଧିକାରୀ ଶ୍ରୀ ଯାଦବ କହିଛନ୍ତି।