ତୃତୀୟ ପୂର୍ବ ଏସିଆ ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ୱର : ପୂର୍ବ ଉପକୂଳରେ ଓଡ଼ିଶାର ପାରାଦୀପ ଏବଂ ଧାମରା ବନ୍ଦରର ବିକାଶ ଲାଗି ୨୦୦୦ କୋଟି ଡଲାରର ପୁଞ୍ଜିନିବେଶ ହେବାକୁ ଯାଉଛି। ପାରାଦୀପରେ ପେଟ୍ରୋ ରସାୟନ ଉଦ୍ୟୋଗର ବିକାଶ ହେଉଛି। ଏଠାରୁ ପ୍ରସ୍ତୁତ ସିନ୍ଥେଟିକ ସୂତା ସିଧାସଳଖ ଭିଏତନାମ ଏବଂ ଅନ୍ୟାନ୍ୟ ପୂର୍ବ ଏସୀୟ ରାଷ୍ଟ୍ରରେ ସମୁଦ୍ର ପଥରେ ପହଞ୍ଚିବ। ଯାହାକି ସେଠାରେ ବୟନ ଉଦ୍ୟୋଗର ବିକାଶ ହେବ। ଆଜି ଭୁବନେଶ୍ୱରରେ ଆୟୋଜିତ ଦୁଇଦିନିଆ ତୃତୀୟ ପୂର୍ବଏସିଆ ସମ୍ମିଳନୀକୁ ଉଦ୍‌ଘାଟନ କରିବା ଅବସରରେ ଏପରି ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିଅମ୍‌ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତ ମହାସାଗରର ସୁରକ୍ଷା ତଥା ପୂର୍ବଏସୀୟ ରାଷ୍ଟ୍ରମାନଙ୍କ ସହ ବାଣିଜ୍ୟିକ ସମ୍ପର୍କ ବଢ଼ାଇବା ତଥା ଏହି ଅଞ୍ଚଳର ସାମଗ୍ରୀକ ବିକାଶ ପାଇଁ ପ୍ରଧାନମବୀ ନରେନ୍ଦ୍ର ମୋଦୀ ‘‘ସାଗର’’ ନୀତିର ପରିକଳ୍ପନା କରିଛନ୍ତି। ଏହାର ଅର୍ଥ ହେଲା ସିକ୍ୟୁରିଟି ଏଣ୍ଡ ଗ୍ରୋଥ ଫର ଅଲ ଇନ ଦ ରିଜନ (ସାଗର) । ପୂର୍ବ ଏସୀୟ ଦେଶ ଗୁଡିକ ସହ ଓଡ଼ିଶାର ସମ୍ପର୍କ ବହୁ ପୁରୁଣା ଓ ସମୁଦ୍ର ହିଁ ଉଭୟ ଭୂଖଣ୍ଡର ସମ୍ପର୍କର ଆଧାର ବୋଲି ଶ୍ରୀ ପ୍ରଧାନ ମତ ଦେଇଛନ୍ତି। ଏହି ସମ୍ମିଳନୀରେ ୧୬ ଟି ଦେଶର ୫୨ ଜଣ ପ୍ରତିନିଧି ଯୋଗ ଦେଇଛନ୍ତି ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସାମୁଦ୍ରିକ ସୁରକ୍ଷା ଏବଂ ସହଯୋଗ ସମ୍ବନ୍ଧୀୟ ୩ୟ ଅଧିବେଶନରେ ନୀଳ ଅର୍ଥନୀତି, ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରମାନଙ୍କ ସହିତ ସାମୁଦ୍ରିକ ବାଣିଜ୍ୟ ସମ୍ବନ୍ଧ ବଢ଼ାଇବା, ସାମୁଦ୍ରିକ ପଥକୁ ସୁରକ୍ଷିତ କରିବା ଭଳି ବିଷୟ ଉପରେ ବିସ୍ତତ ଆଲୋଚନା ହୋଇଛି। ଅଷ୍ଟ୍ରେଲିଆ, ବ୍ରୁନେଇ ଦାରୁସାଲାମ, କାମ୍ବୋଡିଆ, ଚାଇନା, ଭାରତ, ଇଣ୍ଡୋନେସିଆ, ଜାପାନ, ଲାଓପିଡିଆର୍‌, ମ୍ୟାଲେସିଆ, ମିଆଁମାର, ନ୍ୟୁଜିଲାଣ୍ଡ, ଫିଲିପାଇନ୍ସ, ଋଷିଆ, ସିଙ୍ଗାପୁର, ଦକ୍ଷିଣ କୋରିଆ, ଥାଇଲାଣ୍ଡ, ୟୁଏସ୍‌ଏ ଏବଂ ଭିଏତ୍‌ନାମ ଆଦି ୧୮ଟି ଦେଶର ପ୍ରତିନିଧିମାନଙ୍କୁ ନେଇ ଗଠିତ ପୂର୍ବ ଏସିଆ ଶିଖର ସମ୍ମିଳନୀ (ଇଏଏସ୍‌) ହେଉଛି ଏକ ସ୍ୱତନ୍ତ୍ର ଫୋରମ, ଯାହାକି ଆଂଚଳିକ ଶାନ୍ତି, ସୁରକ୍ଷା ଏବଂ ସମୃଦ୍ଧି କୁ ବୃଦ୍ଧି କରିବା ନିମନ୍ତେ କାର୍ଯ୍ୟ କରିଆସୁଛି। ଉଦ୍‌ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ନ୍ୟାଶନାଲ ମ୍ୟାରିଟାଇମ ଫାଉଣ୍ଡେସନ ନିର୍ଦ୍ଦେଶକ ଭାଇସ୍‌ ଆଡ୍‌ମିରାଲ ପ୍ରଦୀପ ଚୌହାନ, ବଦେଶିକ ବ୍ୟାପାର ମନ୍ତ୍ରଣାଳୟ (ଏସିଆନ) ଯୁଗ୍ମ ସଚିବ ଅନୁରାଗ ଭୂଷଣ ଏବଂ ରିସର୍ଚ୍ଚ ଆଣ୍ଡ ଇନ୍‌ଫର୍ମମେଶନ ସିଷ୍ଟମ ଫର୍‌ ଡେଭେଲପିଂ କଂଟ୍ରିଜ୍‌ (ଆର୍‌ଆଇଏସ୍‌)ର ଡଃ ପ୍ରବୀର ଦେ ପ୍ରମୁଖ ଉପସ୍ଥିତ ଥିଲେ।

ମାଓ ମୁକାବିଲା ନେଇ ରାଜଧାନୀରେ ଉଚ୍ଚସ୍ତରୀୟ ବୈଠକ
ଏଣିକି ମିଳିତ କମ୍ବିଂ ଅପରେସନ୍‌
୭ ରାଜ୍ୟର ପୁଲିସ ମୁଖ୍ୟଙ୍କ ସହ ଡିଜିଙ୍କ ଆଲୋଚନା
ଭୁବନେଶ୍ୱର,୮|୬(ଇମିସ): ମାଓ ଅଧ୍ୟୁଷିତ ଜିଲ୍ଲାର ସୀମାବର୍ତୀ ଅଞ୍ଚଳ ବିଶେଷକରି ବିଛନ୍ନାଞ୍ଚଳରେ ଆଉ ଓଡ଼ିଶା ପୁଲିସ ଏକୁଟିଆ କମ୍ବିଂ ଅପରେସନ୍‌ରେ ସାମିଲ୍‌ ହେବ ନାହିଁ। ପଡୋଶୀ ରାଜ୍ୟ ପୁଲିସ ମଧ୍ୟ କମ୍ବିଂ ଅପରେସନ ସାମିଲ ହୋଇ ମାଓ ଗଡ଼କୁ ଧ୍ୱଂସ କରିବ। କେବଳ ମାଓବାଦୀ ଦମନ କାହିଁକି ଆନ୍ତଃଦେଶୀୟ ଅପରାଧୀ, ସାଇବର ଅପରାଧୀ, ଠକେଇ, ଗ୍ୟାଙ୍ଗ୍‌ଷ୍ଟର ଓ ଅନ୍ୟ ଦୁର୍ଦାନ୍ତ ଅପରାଧୀମାନଙ୍କୁ ଗିରଫ କରିବା ନେଇ ପରସ୍ପର ମଧ୍ୟରେ କିଭଳି ସମନ୍ଵୟ ରକ୍ଷା କରାଯାଇ ପାରିବ ସେ ନେଇ ପଡୋଶୀ ରାଜ୍ୟ ପୁଲିସ ମୁଖ୍ୟଙ୍କୁ ନେଇ ଆଜି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଭୁବନେଶ୍ୱରର ପୁଲିସ ଭବନଠାରେ ଏକ ବୈଠକ କରାଇଥିଲେ। ଯେଉଁଥିରେ ୭ଟି ପଡୋଶୀ ରାଜ୍ୟର ପୁଲିସ ମୁଖ୍ୟମାନେ ସାମିଲ ହୋଇଥିଲେ।

ମିଳିଥିବା ସୂଚନା ମୁତାବକ, ମାଓ ଦମନ ନେଇ ସ୍ୱତନ୍ତ୍ର ରଣନୀତି, ମାଓବାଦୀଙ୍କ ଗତବିଧି, ମାଓବାଦୀଙ୍କୁ ଦମନ ଆଦି ସମ୍ପର୍କରେ ପଡୋଶୀ ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର ରାଜ୍ୟର ପୁଲିସ ମୁଖ୍ୟ, ବିଏସ୍‌ଏଫ୍‌, ସିଆରପିଏଫ୍‌ ମୁଖ୍ୟଙ୍କ ସହିତ ବୈଠକ ବସିଥିଲା। ଯେଉଁଥିରେ କେନ୍ଦ୍ର ଗୃହ ବିଭାଗର ସୁରକ୍ଷା ପରାମର୍ଶଦାତା କେ ବିଜୟ କୁମାର ମାଓ ଦମନ ନେଇ ସ୍ୱତନ୍ତ୍ର ରଣନୀତି ସମ୍ପର୍କରେ ଆଲୋଚନା କରିଥିଲେ। କେମିତି ଆଗାମୀ ଦିନରେ ଦେଶରୁ ମାଓ ସମସ୍ୟାକୁ ସଂପୂର୍ଣ ଭାବେ ମୂଳୋତ୍ପାଟନ କରାଯିବ ତାହା ଉପରେ ବିଷଦ ଆଲୋଚନା କରାଯାଇଥିଲା। ମାଓବାଦୀଙ୍କ ନିକଟକୁ ଆସୁଥିବା ଅସ୍ତ୍ରଶସ୍ତ୍ର ଓ ଆର୍ଥିକ ସହଯୋଗକୁ କେମିତିି ବନ୍ଦ କରାଯିବ ସେ ନେଇ ଆଲୋଚନା ହୋଇଥିଲା। ମାଓବାଦୀଙ୍କୁ ଆର୍ଥିକ ଓ ମାନସିକ ଭାବେ ସହଯୋଗ କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନଗୁଡିକ ଉପରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେ ବିଜୟ କୁମାର ଗରୁତ୍ୱାରୋପ ଦେଇଥିଲେ।

ପୁଲିସ ଡିଜି ଶର୍ମା କହିଛନ୍ତି, ମାଓବାଦୀଙ୍କ ବିରୋଧରେ କମ୍ବିଂ ଅପରେସନ୍‌ବେଳେ ଏବେ ପଡୋଶୀ ରାଜ୍ୟ ପୁଲିସର ସହଯୋଗ ନିଆଯିବ। ଗୁଇନ୍ଦା ତଥ୍ୟର ମଧ୍ୟ ଆଦାନ ପ୍ରଦାନ କରାଯିବ। ଏହାପରେ ମିଳିତ ଭାବେ ଅପରେସନ ଆରମ୍ଭ କରାଯିବ। ବୋଲି ଡିଜି ଶର୍ମା କହିଛନ୍ତି।

ବୈଠକରେ ବିଏସ୍‌ଏଫ୍‌ ଡିଜି ଅରୁଣ କୁମାର, ଆନ୍ଧ୍ରପ୍ରଦେଶର ଏଡିଜିପି ଏବି ଭେଙ୍କଟେଶ୍ୱର ରାଓ, ତେଲେଙ୍ଗାନା ଡିଜିପି ମହେନ୍ଦ୍ର କୁମାର ରେଡ୍ଡି, ଛତିଶଗଡ଼ ଡିଜିପି ଡିଏମ୍‌ ସ୍ୱାତୀ, ପଶ୍ଚିମବଙ୍ଗର ଆଇଜି ରାଜୀବ ମିଶ୍ରା, ଝାରଖଣ୍ଡର ଏଡିଜିପି ଆର୍‌କେ ମଲ୍ଲିକ, ଏସ୍‌ଆଇବି ସହ ନିର୍ଦେଶକ ଭିନିତା ଶର୍ମା, ଗୁଇନ୍ଦା ନିର୍ଦେଶକ ସୁନୀଲ ରଏ, କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ପ୍ରମୁଖ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର