ରାଉରକେଲା: ପାନପୋଷ ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଜି ଉଦିତନଗର ବିରଜାପାଲିସ୍ଥ ନୂଆ କୋର୍ଟ ପରିସରରେ ତୃତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ମୋଟ ୨୦୧୯ଟି ବିଭିନ୍ନ ମାମଲା ଫଇସଲା ହୋଇଥିଲା। ଏ ବାବଦରେ ମୋଟ ୭ କୋଟି ୮୮ ଲକ୍ଷ ୯୭ ହଜାର ୭୬୮ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଏଥି ମଧ୍ୟରୁ ୮୮ଟି ଦୁର୍ଘଟଣାଜନିତ ମାମଲା ଫଇସଲା କରାଯାଇ ବୀମା କମ୍ପାନୀଗୁଡ଼ିକୁ ମୋଟ ୬ କୋଟି ୧୫ ଲକ୍ଷ ୧୦ ହଜାର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଡକ୍ଟର ଭି. ସୁଜାତା ଅଧ୍ୟକ୍ଷତା କରିଥିଲେ। ମୋଟ ୯ଟି ବେଞ୍ଚ ସହ ବ୍ୟାଙ୍କର୍ସ ବେଞ୍ଚ ବସିଥିଲା। ପରିବାର ଅଦାଲତର ବିଦ୍ୟୁତ୍ କୁମାର ମିଶ୍ର, ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଜଜ୍ ମନୋଜ କୁମାର, ଅତିରିକ୍ତ ସିଜେଏମ୍ ବିଷ୍ଣୁଦେବ ଜେନା, ସିଜେ (ଏସ୍ଡି) ଚିତ୍ତରଞ୍ଜନ ମିଶ୍ର, ପାନପୋଷ ଏସ୍ଡିଜେଏମ୍ ଅରୁଲିପି ପରିଜା, ସିଜେ (ଜେଡି) ରଜତ ପଣ୍ଡା, ଜେଏମ୍ଏଫ୍ସି (ରୁରାଲ) ସୌରଭ ଶର୍ମା, ଜେଏମ୍ଏଫ୍ସି ଉମାକାନ୍ତ ବେହେରା ପ୍ରମୁଖ ମାମଲା ପରିଚାଳନା କରିଥିଲେ। ରାଉରକେଲା ଓକିଲ ସଂଘର ସମ୍ପାଦକ ଅକ୍ଷୟ ସାହୁ, ବରିଷ୍ଠ ଆଇନଜୀବୀ ଡି.ଏନ୍. ପଣ୍ଡା, ଗିରିଶ ମହାପାତ୍ର, ଡି. ଚୌଧୁରୀ, ବି.ଏନ୍. ପଢ଼ିହାରି, ଅମୂଲ୍ୟ ମହାପାତ୍ର, ନିର୍ମଳ ସ୍ବାଇଁ, ପ୍ରଣବ ପାତ୍ର, ଅନୀଲ ଷଡଙ୍ଗୀ, ଗୁରୁ ଚରଣ ମହାପାତ୍ର, ସନ୍ତୋଷ ନାୟକ, ଏସ୍.କେ. ବାରିକ୍ ପ୍ରମୁଖ ମାମଲା ପରିଚାଳନାରେ ସହଯୋଗ କରିଥିଲେ।