୩ୟ ଓଡ଼ିଶା ପର୍ଯ୍ୟଟନ କନ୍‌କ୍ଲେଭ୍‌ : ତାରକା ହୋଟେଲ୍‌ର ଅଭାବ ପର୍ଯ୍ୟଟନରେ ବାଧକ

ଭୁବନେଶ୍ୱର : ଓଡ଼ିଶାର ସମୃଦ୍ଧ ପର୍ଯ୍ୟଟନ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ସମସ୍ତ ପ୍ରାଚୁର୍ଯ୍ୟ ଓ ସମ୍ଭାବନା ସାଇତିଛି। ରାଜ୍ୟର ଓଡ଼ିଶୀ ନୃତ୍ୟର ମଧ୍ୟ ତୁଳନା ନାହିଁ। ଏହା ଏପରି ଏକ ଭୂମି, ଏଠାକୁ ଯିଏ ଆସିବ ରହିଯିବାକୁ ଚାହିଁବ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ହୋଟେଲ୍‌ ଆଣ୍ଡ୍‌ ରେଷ୍ଟୁରାଣ୍ଟ୍‌ ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ହାରୋ) ପକ୍ଷରୁ ସ୍ୱସ୍ତି ପ୍ରିମିୟମରେ ଅନୁଷ୍ଠିତ ଓଡ଼ିଶା ପର୍ଯ୍ୟଟନ ୍‌କନ୍‌କ୍ଲେଭ୍‌ର ତୃତୀୟ ସଂସ୍କରଣକୁ ଉଦ୍‌୍‌ଘାଟନ କରି ରାଜ୍ୟପାଳ ଏହା କହିଛନ୍ତି।

ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ପରିଚ୍ଛନ୍ନତା, ଅତିଥି ସତ୍କାର ଉପରେ ଗୁରୁତ୍ୱାରୋପ କରିଥିଲେ। କହିଲେ, କେବଳ ସରକାର ଚାହିଁଲେ ସବୁ ସୁଧୁରିଯିବ ନାହିଁ। ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ପ୍ରଚାର ପ୍ରସାର ପାଇଁ ବ୍ୟକ୍ତିବିଶେଷ ହେଉଛନ୍ତି ଶ୍ରେଷ୍ଠ ମାର୍କେଟିଙ୍ଗ୍‌ ଏଜେଣ୍ଟ୍‌। ସେମାନଙ୍କ କାର୍ଯ୍ୟକଳାପ, ସ୍ୱଭାବ ଓ ବ୍ୟବହାର ଏମିତି ହେବା ଉଚିତ୍‌ ଯେମିତି ଜାତୀୟ ଓ ଅନ୍ତର୍ଜାତୀୟ ପର୍ଯ୍ୟଟକମାନେ ବାରମ୍ବାର ଓଡ଼ିଶା ଆସିବାକୁ ମନ ବଳାଇବେ।

କ୍ରୀଡ଼ା ବିଭାଗର ଶାସନ ସଚିବ ବିଶାଲ ଦେବ କହିଲେ, ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳରେ ଏବେ ବି ତାରକା ଓ ବିଳାସପୂର୍ଣ୍ଣ ହୋଟେଲର ଅଭାବ ରହିଛି। ପର୍ଯ୍ୟଟନ ବିକାଶକୁ ଏହା ପ୍ରଭାବିତ କରୁଛି। ତେଣୁ ଲ୍ୟାଣ୍ଡ୍‌ ବ୍ୟାଙ୍କ୍‌ ସୃଷ୍ଟି ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଜାଗା ଚିହ୍ନଟ ପାଇଁ ନିର୍ଦେଶ ଦିଆଯାଇଛି। କିଛି ଜାଗାରେ ଜମି ଚିହ୍ନଟ ପ୍ରକ୍ରିୟା ସରିଛି। ଆଇଟିସି ଓ କ୍ରାଉନ୍‌ ପ୍ଲାଜା ଭଳି ପୁଞ୍ଜିଲଗାଣକାରୀ ସଂସ୍ଥାକୁ ଜାଗା ହସ୍ତାନ୍ତର କରାଯିବାର ଅଛି। ଫଳରେ ଆସନ୍ତା ୨-୩ ବର୍ଷରେ ଆହୁରି ତାରକା ଓ ବିଳାସପୂର୍ଣ୍ଣ ହୋଟେଲ୍‌ ସୃଷ୍ଟି ହେବ। ଏଥିସହ ଏୟାରପୋର୍ଟ ଓ ରେଳଷ୍ଟେସନ୍‌ର ଆଧୁନିକୀକରଣ ଦିଗରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଥିଲେ।

ଗୃହ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଦେଶୀୟ ପର୍ଯ୍ୟଟନକୁ ଗୁରୁତ୍ୱ ଦେବା ସହ ସ୍ଥାନୀୟ ପୁଞ୍ଜିନିବେଶକାରୀ ଏଦିଗରେ ଆହ୍ଵାନକୁ ଗ୍ରହଣ କରିବା ଉଚିତ୍‌ ବୋଲି କହିଥିଲେ। ପର୍ଯ୍ୟଟନ କ୍ଷେତ୍ର ଏବଂ ରାସ୍ତାରେ ଶୌଚାଳୟର ଆବଶ୍ୟକତା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ।

ହାରୋର ଅଧ୍ୟକ୍ଷ ଜେ.କେ ମହାନ୍ତି କହିଲେ, ୨୦୩୧ ମସିହା ସୁଦ୍ଧା ପର୍ଯ୍ୟଟକଙ୍କ ସଂଖ୍ୟା ଦ୍ୱିଗୁଣିତ ହେବ। ଏହାର ଫାଇଦା ଓଡ଼ିଶା ନେବା ଆବଶ୍ୟକ। ଅନ୍ତର୍ଜାତୀୟ ସ୍ତରରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ସୋସିଆଲ୍‌ ମିଡିଆରେ ବ୍ଲଗପୋଷ୍ଟ୍‍ସ, ପଡ୍‌କାଷ୍ଟ୍‍ସ, ଭିଡିଓ ଓ ନିଉଜ୍‌ଲେଟର ଜରିଆରେ ଓଡ଼ିଶାର ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀଗୁଡ଼ିକର ମାର୍କେଟିଂ କରିବାକୁ ପଡ଼ିବ। ଏନେଇ ଏକ ସ୍ୱତନ୍ତ୍ର ଡିଜିଟାଲ୍‌ ମାର୍କେଟିଂ ଟିମ୍‌କୁ ନିୟୋଜିତ କରାଯିବା ପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗକୁ ପ୍ରସ୍ତାବ ଦିଆଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ହାରୋର ଉପଦେଷ୍ଟା ଦୀପକ ରାଥୋଡ୍‌ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଶ୍ରୀନିବାସ ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର