କର୍ନୁଲ୍‌ କ୍ୱାରି ବିସ୍ଫୋରଣ ଘଟଣା : ମୃତକଙ୍କ ମଧ୍ୟରେ ୩ ଓଡ଼ିଆ

ବ୍ରହ୍ମପୁର : ଆନ୍ଧ୍ରପ୍ରଦେଶ କର୍ନୁଲ୍‌ ଜିଲ୍ଲା ଆଲୁର ମଣ୍ଡଳର ହାଥିବାଲେଗଲ ଗାଁରେ ଶୁକ୍ରବାର ଏକ ଗ୍ରାନାଇଟ୍‌ କ୍ୱାରିର ଗୋଦାମ ଘରେ ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ଆଜି ଆଉ ଏକ ମୃତଦେହକୁ ସ୍ଥାନୀୟ ପୁଲିସ୍‌ ଉଦ୍ଧାର କରିଛି। ଏହାକୁ ମିଶାଇ ମୃତକଙ୍କ ସଂଖ୍ୟା ୧୦କୁ ଛୁଇଁଛି। ସେମାନଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ଓଡ଼ିଆ। କିନ୍ତୁ, ଅଧିକାଂଶ ତେଲୁଗୁ କି ହିନ୍ଦି ଭାଷା ଜାଣିନଥିବାରୁ ମୃତାହତ ଶ୍ରମିକଙ୍କ ମଧ୍ୟରେ ଆହୁରି ଓଡ଼ିଆ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

ଗତ ଶୁକ୍ରବାର ରାତିରେ ଏହି ବିସ୍ଫୋରଣ ହୋଇଥିଲା। ଗତକାଲି ଖବର ପ୍ରକାଶ ପାଇଥିଲା ଯେ, ବିସ୍ଫୋରଣ ଯୋଗୁ ୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁତର ଆହତଙ୍କ ମଧ୍ୟରେ ୪ ଜଣ ଓଡ଼ିଆ ଅଛନ୍ତି। ତେବେ, ଆଜି ଜଣାପଡ଼ିଛି ଯେ ୩ ଜଣ ପ୍ରାଣ ହରାଇଛନ୍ତି। ସେମାନେ ହେଲେ, ପାଲୁରୁ ନିକଟବର୍ତ୍ତୀ ବିଟି ନୂଆଗାଁର ଦୁର୍ଯ୍ୟୋଧନ ନାହକ(୪୨), ଝେରିଡ଼ି ରାଧାଗୋବିନ୍ଦପୁରର ଭୀମ ନାହକ(୩୦), ବିଟି ନୂଆଗାଁର ମନୋରଞ୍ଜନ ନାହକ (୨୨)। ଆଉ କେତେଜଣ ଆହତ ଓଡ଼ିଆଙ୍କ ପରିଚୟ ମିଳିଛି। ସେମାନେ ହେଲେ, ଗଞ୍ଜାମ ବ୍ଲକ ରମ୍ଭା ଥାନା ଅନ୍ତର୍ଗତ ଡିଆଁଡେଇଁ ଗାଁର ରାଜେନ୍ଦ୍ର ନାହକ (୪୦), ବିଟି ନୂଆଗାଁର ରାମଚନ୍ଦ୍ର ନାହକ (୫୦), ବ୍ରହ୍ମଗିରି ବଡ଼ଗୁଞ୍ଜର ଗାଁ (ବର୍ତ୍ତମାନ ବିଟି ନୂଆଗାଁରେ ରହୁଥିବା)ପାଣ୍ଡବ ଲେଙ୍କା(୪୦)। ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ଅଧିକ ଗୁରୁତର ରହିଛି।

ଏ ସମ୍ପର୍କରେ ସେଠାକାର ପୁଲିସ୍‌ ଏସ୍‌ଆଇ ଗୋପିନାଥଙ୍କ ସୂଚନାନୁସାରେ, ମୃତାହତଙ୍କ ମଧ୍ୟରେ ସଂଖ୍ୟାଧିକ ଓଡ଼ିଆ ଶ୍ରମିକ ଅଛନ୍ତି। କିନ୍ତୁ ସେମାନେ ତେଲୁଗୁ କିମ୍ବା ହିନ୍ଦି ଭାଷା ଜାଣିନଥିବାରୁ ସେମାନଙ୍କ ଠିକଣା ପରିଚୟ ପାଇବା କଷ୍ଟକର ହେଉଛି। ଯେଉଁମାନଙ୍କ ପରିଚୟ ମିଳିଛି ସେମାନଙ୍କ ପରିବାର ବର୍ଗଙ୍କୁ ସୂଚନା ଦିଆଯାଇଥିଲା, ଆଜି ସେମାନେ ଏଠାରେ ପହଞ୍ଚିଛନ୍ତି। ଶବବ୍ୟବଚ୍ଛେଦ ଆଜି ସନ୍ଧ୍ୟାରେ ଶେଷ ହୋଇଛି। ମୃତଦେହଗୁଡ଼ିକୁ ହାଇଦ୍ରାବାଦ ପଠାଯିବ ସେଠାରୁ ବିମାନ ଯୋଗେ ଭୁବନେଶ୍ୱର ପହଞ୍ଚିବ।

ଅପରପକ୍ଷରେ, ଗଞ୍ଜାମ ଜିଲ୍ଲା ଆଇନ ପ୍ରାଧିକରଣ ଶାଖା ପକ୍ଷରୁ ମୃତାହତଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ସ୍ଥଳେ ସେମାନଙ୍କୁ ଅନୁକମ୍ପା ରାଶି ତୁରନ୍ତ ପ୍ରଦାନ କରିବା ଓ ମୃତ ଦେହଗୁଡ଼ିକୁ ସୁରୁଖୁରୁରେ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ଶ୍ରମ ଅଧିକାରୀଙ୍କୁ ଲିଖିତ ଭାବେ କୁହାଯାଇଛି। ତେବେ ଘଟଣା ଘଟିବା ପରେ ଜିଲ୍ଲା ଶ୍ରମ ବିଭାଗ ଯେଉଁଭଳି ତତ୍ପରତା ଦେଖାଇବା କଥା ତାହା ଦେଖାଇନାହିଁ। ଘଟଣା ଘଟିବାର ଦୀର୍ଘ ୪୮ ଘଣ୍ଟା ପରେ ଆଜି ସେଠାକୁ ଶ୍ରମ ବିଭାଗ ଅଧିକାରୀ ଗସ୍ତ କରିଥିବା ଜଣାଯାଇଛି। ତେବେ ଶ୍ରମିକମାନେ ଦଲାଲଙ୍କ ଦ୍ୱାରା ସେଠାରେ ନିଯୁକ୍ତି ପାଇଥିବା ବେଳେ ସମ୍ପୃକ୍ତ ଦଲାଲଙ୍କୁ ଠାବ କରି ଆଇନାନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା, କିନ୍ତୁ ସେନେଇ ଏଯାଏଁ କୌଣସି ପଦକ୍ଷେପ ନିଆଯାଇନଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର