ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ: ବିଜେପି-ବିଜେଡି ସମ୍ମାନର ଲଢ଼େଇ

ଦିନକ ପରେ ଭୋଟ୍‌, ମାଳମାଳ ହେଭିୱେଟ୍

ଭୁବନେଶ୍ବର: ଚଳିତ ନିର୍ବାଚନର ସବୁଠୁ ହାଇପ୍ରୋଫାଇଲ୍ ଲଢ଼େଇ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ହେବାକୁ ଯାଉଛି। ‌ଶନିବାର ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, କଟକ, ପୁରୀ, ଭୁବନେଶ୍ବର ଲୋକସଭା ଆସନ ଏବଂ ଅଧୀନସ୍ଥ ୪୨ଟି ବିଧାନସଭା ଆସନରେ ମତଦାନ ହେବାକୁ ଥିବାବେଳେ କିଏ ବାଜି ମାରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର। ଏହି ପର୍ଯ୍ୟାୟରେ ବିଜେପି ଓ ବିଜେଡିର ବହୁ ହେଭିୱେଟ୍ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ମୋଟ୍ ୪୮ଟି ଆସନରେ ୪୮ଜଣ ନେତା ବଛା ହେବାକୁ ଥିଲେ ହେଁ ୪୪୭ଜଣ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ୬ଟି ଲୋକସଭା ଆସନ ପାଇଁ ୬୪ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ହେଲେ ସମ୍ବଲପୁର ଲୋକସଭା ଆସନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ମଧ୍ୟରେ ଚଳିତ ନିର୍ବାଚନର ସବୁଠୁ ବଡ଼ ଲଢ଼େଇ ହେଉଛି। ଏଠାରେ ବିଜେପି ଓ ବିଜେଡି ସମ୍ମାନର ଲଢ଼େଇ ହେଉଥିବାରୁ ଦୁଇ ଦଳ ଏହି ଆସନଟି ହାତେଇବାକୁ କଳ, ବଳ, କୌଶଳ ସବୁ ଲଗାଇ ଦେଇଛନ୍ତି।

କେବଳ ସମ୍ବଲପୁର ଲୋକସଭା ଆସନ ନୁହେଁ, ଭୁବନେଶ୍ବର ଲୋକସଭା ଆସନରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେଡି ନେତା ମନ୍ମଥ ରାଉତରାୟ, ପୁରୀରେ ବିଜେପିର ସମ୍ବିତ ପାତ୍ର ଓ ବିଜେଡିର ଅରୂପ ପଟ୍ଟନାୟକ, କଟକରେ ବିଜେପିର ଭର୍ତ୍ତୃହରି ମହତାବ ଓ ବିଜେଡିର ସନ୍ତୃପ୍ତ ମିଶ୍ରଙ୍କ ମଧ୍ୟରେ କଡ଼ା ଲଢ଼େଇ ହେଉଛି। ଏହି ୩ଟି ଆସନ‌ ବି ଜିତିବାକୁ ଦୁଇ ଦଳ ପୂରା ଦମ୍ ଲଗାଇଛନ୍ତି। ଦୁଇ ଦଳର ଫୋକସ୍‌ରେ ଏହି ତିନିଟି ଆସନ
ଥିବାରୁ କେହି କାହାକୁ ଟିକେ ବି ସୁଯୋଗ ଦେବା ମୁଡ୍‌ରେ ନାହାନ୍ତି। ଗତ ନିର୍ବାଚନରେ ଭୁବନେଶ୍ବରରେ କମ୍‌ ଭୋଟରେ ବିଜେପି ଏବଂ ପୁରୀରେ କମ୍‌ ଭୋଟ୍‌ରେ ବି‌ଜେଡି ବାଜି ମାରିଥିବାରୁ ଦୁଇ ଦଳ ବାଜି ପଲଟାଇବା ଲକ୍ଷ୍ୟରେ ଅଛନ୍ତି। ତେଣୁ ଆସନ୍ତା ୨୫ତାରିଖରେ କିଏ ମତାଦାତାଙ୍କ ମନ ଜିଣୁଛି ତାହା ଜୁନ୍‌ ୪ତାରିଖରେ ଫଳ ବାହାରିଲେ ଜଣାପଡ଼ିବ। କିନ୍ତୁ ଜନତା ଜନାର୍ଦ୍ଦନଙ୍କ ମୁଡ୍‌କୁ ବଦଳାଇବାକୁ ଉଭୟ ଦଳ ଏବଂ ପ୍ରାର୍ଥୀ ସବୁ ଉଦ୍ୟମ ଲଗାଇ ଦେଇଛନ୍ତି।
କେବଳ ଲୋକସଭା ଆସନ ନୁହେଁ, ବହୁ ବିଧାନସଭା ଆସନରେ ବି କଡ଼ା ପ୍ରତିଦ୍ବନ୍ଦ୍ବିତା ହେଉଛି।

ଦିନକ ପରେ ଭୋଟ୍‌, ମାଳମାଳ ହେଭିୱେଟ୍
ଫୋକସ୍‌ରେ ଧର୍ମେନ୍ଦ୍ର-ବବି, ‌ଭର୍ତ୍ତୃହରି-ସନ୍ତୃପ୍ତ, ସୌମ୍ୟ-ବଦ୍ରି, ଅପରାଜିତା-ମନ୍ମଥ, ସମ୍ବିତ-ଅରୂପଙ୍କ ଲଢ଼େଇ
ଜୟନାରାୟଣ, ଅରୁଣ, ସଞ୍ଜୟ, ପ୍ରସନ୍ନ, ଅଶୋକ, ରାଜା, ଦେବୀ, ଜୟଦେବ, ଅନନ୍ତଙ୍କ ଉପରେ ବି ନଜର ରହିବ

ଯେମିତି କେନ୍ଦୁଝର ଜିଲ୍ଲାର ଘସିପୁରା ଆସନରେ ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଓ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ମଧ୍ୟରେ। ବିଜେଡିର ବଦ୍ରି ପାତ୍ରଙ୍କ ଗଡ଼କୁ ଭାଙ୍ଗିବାକୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ସୌମ୍ୟରଂଜନ ପଟ୍ଟନାୟକ। ଏମାନଙ୍କ ବାଦ୍‌ ନୟାଗଡ଼ରେ ବିଜେଡି ପ୍ରାର୍ଥୀ ବିଧାୟକ ଅରୁଣ କୁମାର ସାହୁ, ସମ୍ବଲପୁରରେ ବିଜେପି ପ୍ରାର୍ଥୀ ହୋଇଥିବା ବି‌େରାଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ରେଢାଖୋଲରେ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ, ଏକାମ୍ରରେ ବିଜେଡିର ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ମଧ୍ୟରେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା, ସତ୍ୟବାଦୀରେ ବିଜେଡିର ସଞ୍ଜୟ ଦାସବର୍ମା, ବଡ଼ମ୍ବାରେ ଦେବୀ ମିଶ୍ର, ଆଠଗଡ଼ରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଆନନ୍ଦପୁରରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ବି ନିଜ ନିଜ ଗଡ଼ ବଞ୍ଚାଇବାକୁ ଦିନରାତି ଏକ୍ କରିଦେଇଛନ୍ତି। ଅସନ୍ତୁଷ୍ଟ ଭୋଟରଙ୍କୁ ମନାଇବାକୁ କୌଣସି ପ୍ରକାର ହେଳା କରୁନାହାନ୍ତି। ଏହି ୪୨ଟି ବିଧାନସଭା ଆସନରେ ମୋଟ୍ ୩୮୩ ପ୍ରାର୍ଥୀ ଅଛନ୍ତି।

୨୦୧୯ର ଫଳାଫଳ ଦେଖିଲେ ଏହି ୬ଟି ଲୋକସଭା ଆସନରୁ ବିଜେଡି କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ସମେତ ୪ଟି ଆସନ ଜିତିଥିବା ବେଳେ ବିଜେପି ସମ୍ବଲପୁର ଓ ଭୁବନେଶ୍ବର ଆସନ ହାତେଇଥିଲା। ସେହିପରି ମୋଟ୍ ୪୨ଟି ବିଧାନସଭା ଆସନରୁ ବିଜେଡି ୩୪ଟି ଆସନ ହାତେଇଥିବା ବେଳେ ବିଜେପି ଭାଗରେ ୬ଟି ଏବଂ କଂଗ୍ରେସ ଭାଗରେ ୨ଟି ଆସନ ପଡ଼ିଥିଲା। ତେଣୁ ବିଜେଡି ସେହି ୩୪ରୁ ଆଗକୁ ବଢ଼ୁଛି ନା ତଳକୁ ଖସୁଛି, ବିଜେପି ୬ରୁ ଆଗକୁ ବଢ଼ିପାରୁଛି ନା ସେତିକି ବି ହରାଉଛି, କଂଗ୍ରେସ ୨ଟି ଆସନ ବଜାୟ ରଖିପାରୁଛି ନା ନାହିଁ ତାହା ଉପରେ ସମସ୍ତଙ୍କ ନଜର।

ସମ୍ବନ୍ଧିତ ଖବର