ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଅଧୀନ ସ୍ବୟଂଶାସିତ ଓ ଡିଗ୍ରି ମହାବିଦ୍ୟାଳୟର ସ୍ନାତକ(ଯୁକ୍ତ୩) ପାଠ୍ୟକ୍ରମରେ ନାମଲେଖା ଲାଗି ଆସନ୍ତା ୩ ତାରିଖରୁ ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରଛାତ୍ରୀ ସାମ୍‌ସ ୱେବସାଇଟ୍‌ www.samsodisha.gov.in ମାଧ୍ୟମରେ କମନ୍‌ ଆପ୍ଲିକେସନ ଫର୍ମ(ସିଏଏଫ୍‌) ପୂରଣ କରି ଜୁନ୍‌ ୩ରୁ ୧୭ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଜୁନ୍‌ ୧୮ ଓ ୧୯ ତାରିଖରେ ଅନ୍‌ଲାଇନ୍‌ରେ ସିଏଏଫ୍‌ ସଂଶୋଧନ କରାଯାଇପାରିବ ଏବଂ ଜୁନ୍‌ ୨୫ରେ ପ୍ରଥମ ରାଉଣ୍ଡ ଚୟନ ତଥା ପ୍ରୋଭିଜନାଲ୍‌ ସିଟ୍‌ ଆଲଟ୍‌ମେଣ୍ଟ ହେବ। ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ଜୁନ୍‌ ୨୬ରୁ ୨୯ ମଧ୍ୟରେ ଚିହ୍ନଟ ହୋଇଥିବା ଶିକ୍ଷାନୁଷ୍ଠାନରେ ନାମ ଲେଖାଇବେ। ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଏହି ସମୟରେ ଇ-ସ୍ପେସ୍‌ରେ ନାମଲେଖା ତଥ୍ୟ ଅପ୍‌ଡେଟ୍‌ କରିବେ। ଜୁଲାଇ ୫ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ କରାଯିବ ଏବଂ ୬ରୁ ୯ ତାରିଖ ମଧ୍ୟରେ ଯୋଗ୍ୟ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବେ। ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଇ-ସ୍ପେସ୍‌ରେ ନାମଲେଖା ତଥ୍ୟ ଦାଖଲ କରିବେ। ଜୁଲାଇ ୧୫ରେ ତୃତୀୟ ପର୍ଯ୍ୟାୟ ସିଟ୍‌ ଆଲଟ୍‌ମେଣ୍ଟ କରାଯିବ ଏବଂ ୧୫ରୁ ୧୮ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ନାମଲେଖା ଫି’ ଦାଖଲ କରିପାରିବେ।

Advertisment

ସାମ୍‌ସ ଅଧୀନରେ ଥିବା ରାଜ୍ୟର ସମସ୍ତ ସରକାରୀ, ବେସରକାରୀ, ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ, ଅଣଅନୁଦାନପ୍ରାପ୍ତ ଡିଗ୍ରି ମହାବିଦ୍ୟାଳୟ, ସରକାରୀ ଓ ବେସରକାରୀ ଅନୁଦାନ/ଅଣଅନୁଦାନପ୍ରାପ୍ତ ସଂସ୍କୃତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ୟୁଜି ପାଠ୍ୟକ୍ରମ ଥିବା ଶିକ୍ଷାନୁଷ୍ଠାନ ସମେତ ସେଲ୍ଫ ଫାଇନାନ୍ସିଂ ଡିଗ୍ରି କଲେଜଗୁଡ଼ିକ ଏଥର ନାମଲେଖା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଏହାବ୍ୟତୀତ ଉତ୍କଳ ବିଶ୍ବବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, ରେଭେନ୍ସା ବିଶ୍ବବିଦ୍ୟାଳୟ, ଏସ୍‌ସିଏସ୍‌ ସ୍ବୟଂଶାସିତ ମହାବିଦ୍ୟାଳୟ, ଏମ୍‌ପିଏସ୍‌ ସ୍ବୟଂଶାସିତ କଲେଜ, ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଥିବା ୪ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ବିଏବିଏଡ୍‌/ବିଏସ୍‌ବିଏଡ୍‌ ପାଠ୍ୟକ୍ରମକୁ ଏଥର ସାମ୍‌ସ ଇ-ନାମଲେଖା ପ୍ରକ୍ରିୟାରେ ସାମିଲ କରାଯାଇଛି। ରେଭେନ୍ସା ଓ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ବିଏସ୍‌ସି ଆଇଟିଏମ୍‌ ପାଠ୍ୟକ୍ରମ, ଅନୁଦାନପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଚାଲିଥିବା ୩ ବର୍ଷିଆ ବିବିଏ ଓ ବିସିଏ, ଉତ୍କଳ ବିଶ୍ବବିଦ୍ୟାଳୟର ୫ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ବିଏ(ଏଲ୍‌ଏଲ୍‌ବି) ପାଠ୍ୟକ୍ରମ ପାଇଁ ସାମ୍‌ସ ମାଧ୍ୟମରେ ନାମଲେଖା କରାଯିବ। ସମସ୍ତ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟର ପରୀକ୍ଷା ଫଳ ପ୍ରକାଶ ପରେ ୨୦୨୪-୧୫ ଶିକ୍ଷାବର୍ଷ ପାଇଁ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର ୩ ବର୍ଷିଆ ଏଲ୍‌ଏଲ୍‌ବି ପାଠ୍ୟକ୍ରମରେ ନାମଲେଖା ପାଇଁ ଅଲଗା ପ୍ରକ୍ରିୟା କରାଯିବ। ପ୍ରଥମ ପର୍ଯ୍ୟାୟ ନାମଲେଖା ୪ ରାଉଣ୍ଡରେ ଚୟନ ହେବ। ଆବେଦନ କରିବା ସମୟରେ ପ୍ରାର୍ଥୀମାନେ ସିଏଏଫ୍‌କୁ ଭଲ ଭାବେ ପଢ଼ିବା ସହ ନାମ, ପିତା/ମାତାଙ୍କ ନାମ, ଦଶମ ଶ୍ରେଣୀ ସାର୍ଟିଫିକେଟ୍‌ ଅନୁଯାୟୀ ଠିକ୍‌ ଜନ୍ମ ତାରିଖ ପକାଇବାକୁ ପରାମର୍ଶ ଦିଆଯାଇଛି।।