କରୋନାର ୩ୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହୋଇପାରନ୍ତି: ବିଶେଷଜ୍ଞ ଡାକ୍ତର

ଭୁବନେଶ୍ୱର: କରୋନାର ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହୋଇପାରନ୍ତି । ପ୍ରଥମ ଲହରରେ ମଧ୍ୟ ଶିଶୁମାନେ କରୋନାରେ ପୀଡିତ ଥିଲେ । ଦ୍ୱିତୀୟ ଲହରେ ଶିଶୁମାନେ କରୋନା ପଜିଟଭ ଚିହ୍ନଟ ହୋଇଛନ୍ତି । ଭବିଷ୍ୟତରେ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ବୟସ୍କମାନଙ୍କୁ ଟିକାକରଣ କରାଯାଉଛି । ରାଜ୍ୟ ସରକାରଙ୍କର ବିଶେଷଜ୍ଞ ଡାକ୍ତର ସେବାରଂଜନ ବିଶ୍ୱାଳ କରୋନା ସଂପର୍କିତ ପ୍ରଶ୍ନ ଓ ଉତ୍ତର କାର୍ଯ୍ୟକ୍ରମରେ ଏହା କହିଛନ୍ତି । ବୟସ୍କମାନେ ଘରେ ଶିଶୁମାନଙ୍କ ସହିତ ସମୟ ବିତାଇ ଥାନ୍ତି । ତେଣୁ ବୟସ୍କମାନଙ୍କୁ ଟିକା ଦିଆଯାଇଥିଲେ ଶିଶୁମାନେ ମଧ୍ୟ ପରୋକ୍ଷ ଭାବେ ସୁରକ୍ଷିତ ରହିପାରିବେ ।

ବିଶେଷଜ୍ଞ ଡାକ୍ତର କହିଛନ୍ତି ଯେ, ତୃତୀୟ ଲହରରେ ଶିଶୁମାନେ କରୋନାରେ ଅଧିକ ପ୍ରଭାବିତ ହୋଇପାରନ୍ତି । ଭୂତାଣୁ ରୂପ ବଦଳାଉଥିବା ଓ ଶିଶୁମାନଙ୍କ ପାଇଁ ଏଯାଏଁ ଟିକା ନଥିବା ମଧ୍ୟ ଏକ କାରଣ ହୋଇପାରେ । ପିଲାମାନେ ଘରୁ ବାହାରକୁ ଯାଉ ନଥିଲେ ମଧ୍ୟ ସଂକ୍ରମିତ ହେଉଛନ୍ତି । ଏଥି ପାଇଁ ବଡ଼ମାନେ ଦାୟୀ । ବଡ଼ମାନେ ଯେତେବେଳେ ବାହାରକୁ ଯାଉଛନ୍ତି, ଘରକୁ ଫେରିଲେ ଗୋଡ଼-ହାତ ଧୋଇବା ଦରକାର । ସାନିଟାଇଜର ବ୍ୟବହାର ଓ ସାବୁନରେ ହାତ ଧୋଇବା ଦରକାର । ସାମାଜିକ ଦୂରତା ରକ୍ଷା କରିବା ପାଇଁ ପରିବାର ଲୋକେ ଶିଶୁଙ୍କୁ ପରାମର୍ଶ ଦେବା ଉଚିତ। ଶିଶୁର ସଂପୂର୍ଣ୍ଣ ଯତ୍ନ ମା’ ନେଇଥାନ୍ତି । ତେଣୁ ଶିଶୁ କରୋନା ସଂକ୍ରମିତ ନ ହେବା ପାଇଁ ମା’ର ଭୂମିକା ଗୁରୁତ୍ୱପୂର୍ଣ୍ଣ ।

ଯଦି ଜଣେ ୬ ମାସର ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛି, ମା’ ସ୍ତନ୍ୟପାନ କରିପାରିବେ । କିନ୍ତୁ ମା’ଙ୍କୁ ଏଥି ପାଇଁ କିଛି ସତର୍କ ଅବଲମ୍ବନ କରିବାକୁ ହେବ । ମା’ ମାସ୍କ ପିନ୍ଧିବେ, ଛୁଆକୁ ଛୁଇଁଲା ପରେ ସାବୁନରେ ଭଲଭାବରେ ହାତ ଧୋଇବେ ଓ ସାନିଟାଇଜର ବ୍ୟବହାର କରିବେ । ଛୋଟ ପିଲାଙ୍କୁ ଜ୍ୱର ଓ କାଶ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ବୋଲି ଡ. ବିଶ୍ୱାଳ ପରାମର୍ଶ ଦେଇଛନ୍ତି ।

ବିଶେଷଜ୍ଞ ଡାକ୍ତର କହିଛନ୍ତି ଯେ, ଗର୍ଭବତୀ ମହିଳା କରୋନା ପଜିଟିଭ ଚିହ୍ନଟ ହେଲେ ପିଲା ସଂକ୍ରମିତ ହେବେ ବୋଲି ଚିନ୍ତା କରା ନଯିବା ଦରକାର । ମା’ ଓ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ମଧ୍ୟ ସ୍ତନ୍ୟପାନରେ କୌଣସି ଅସୁବିଧା ନାହିଁ । କିନ୍ତୁ ଉଭୟ ମା’ ଓ ଶିଶୁ ପଜିଟିଭ ଚିହ୍ନଟ ହୋଇଥିଲେ ବି ସୁସ୍ଥ ଥିବା ଦରକାର ।

ସମ୍ବନ୍ଧିତ ଖବର