ପୁରୀ: ମହାପ୍ରଭୁ ରଥଯାତ୍ରା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଯିବା ପରେ କ୍ଳାନ୍ତି ମେଣ୍ଟାଇବା ପାଇଁ ପଣା ପିଇବେ। ଅଶରୀରୀମାନଙ୍କୁ ନିଜ ଅଧର ସ୍ପର୍ଶ ହୋଇଥିବା ପଣା ରୂପକ ଅମୃତକୁ ପାନ କରାଇ ତୋଷ କରାଇବେ। ଏହି ମାନବୀୟ ଲୀଳା ସଂରଚନାରେ ବି ଥାଏ ଅନେକ ସେବକଙ୍କ ଶ୍ରମର ଫଳଶ୍ରୁତି। ରଥ ଓରାରୁ ମହାପ୍ରଭୁଙ୍କ ଓଠ ଛୁଇଁଲା ଭଳି ତୁମ୍ବାକାର ମାଟିହାଣ୍ଡି ପ୍ରସ୍ତୁତ କରି ସାଇତି ସାରିଲେଣି କୁମ୍ଭକାର ସେବକ। ବଡ଼ଓଡ଼ିଆ ମଠ, ରାଘବ ଦାସ ମଠ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ୩ଟି ଲେଖାଏଁ କରି ମୋଟ୍ ୯ଟି ହାଣ୍ଡି ତିନିରଥ ଲାଗି ପ୍ରସ୍ତୁତ କରାଯାଇଛି।
ରାଘବ ଦାସ ମଠ ଓ ବଡ଼ଓଡ଼ିଆ ମଠ ପକ୍ଷରୁ ବଂଶାନୁକ୍ରମିକ ଭାବେ ୬ଟି ଅଧରହାଣ୍ଡି ପ୍ରସ୍ତୁତ କରି ଆସୁଛନ୍ତି ଟିକରପଡ଼ା କୁମ୍ଭାରସାହିର ଅଜୟ କୁମାର ବିଶୋଇ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଉ ୩ଟି ଅଧରହାଣ୍ଡି ପ୍ରସ୍ତୁତ କରନ୍ତି ଲକ୍ଷ୍ମୀଧର ବିଶୋଇ। ଅଜୟ ବିଶୋଇଙ୍କ କହିବା ମୁତାବକ, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ପାଇଁ ସାଢ଼େ ୪ଫୁଟରୁ ୫ ଫୁଟ ଏବଂ ଦେବୀ ସୁଭଦ୍ରାଙ୍କ ପାଇଁ ପାଖାପାଖି ୪ ଫୁଟର ତୁମ୍ବକାର ମାଟି ହାଣ୍ଡି ପ୍ରସ୍ତୁତ କରିଥାଉ। ମଠ ପକ୍ଷରୁ ପ୍ରତି ବର୍ଷ ଭଳି ଏ ବର୍ଷ ୬ଟି ହାଣ୍ଡି ପାଇଁ ବରାଦ ପାଇଥିବା ବେଳେ ଏଥିପାଇଁ ତାଙ୍କୁ ବର୍ଷ ତମାମ ଶ୍ରୀମନ୍ଦିର ପକ୍ଷରୁ ଖେଇ ଅର୍ଥାତ ମହାପ୍ରସାଦ ମିଳୁଛି। ଅଧରହାଣ୍ଡି ତିଆରି ନିମନ୍ତେ ୭ଝୁଡ଼ି ମାଟି, ୨ ଝୁଡ଼ି ବାଲି ଲାଗୁଥିବା ବେଳେ ଗୋଟିଏ ଲେଖାଏଁ ହାଣ୍ଡି ୩୦ରୁ ୪୦ କେଜି ଓଜନ ବିଶିଷ୍ଟ। ଏହାକୁ ବହୁତ ନିଷ୍ଠା ଓ ଆନ୍ତରିକତାର ସହ ସେ ପ୍ରସ୍ତୁତ କରନ୍ତି। ହାଣ୍ଡି ପ୍ରସ୍ତୁତି ବେଳେ ଓ ଶେଷ ନହେବା ପର୍ଯ୍ୟନ୍ତ ଯେପରି ଏହା ଉପରେ ମହିଳା ଓ ଅନ୍ୟମାନଙ୍କ ଦୃଷ୍ଟି ନପଡ଼େ ସେ ପରଦା ଟାଣି ଏହାକୁ ପ୍ରସ୍ତୁତ କରନ୍ତି। ଏପରି କରିବା ପଛର ଉଦ୍ଦେଶ୍ୟ ସମ୍ପର୍କରେ ସେ କହିଛନ୍ତି ଯେ ଜେଜେବାପାଙ୍କ ଅମଳରୁ ଏକ ଧାରଣା ପ୍ରଚଳିତ ହୋଇଆସିଛି ଯେ ଏହାକୁ ପ୍ରସ୍ତୁତ କରିବା ବେଳେ କେହି ମହିଳା ଏହାକୁ ଦେଖିବେ ନାହିଁ।
ତେଣୁ ଏହାକୁ ତିଆରି କରିବା ବେଳେ ଅନ୍ୟମାନଙ୍କ ଦୃଷ୍ଟି ଆଢ଼ୁଆଳ ପାଇଁ ପରଦା ଟାଣି ପ୍ରସ୍ତୁତ କରନ୍ତି। ଏକ ଘଟଣା ପ୍ରବାହକୁ ମନେ ପକେଇ ସେ କୁହନ୍ତି, ୨୦୦୭ ମସିହାରେ ଜଣେ ବ୍ୟକ୍ତି ଅଧର ହାଣ୍ଡି ପ୍ରସ୍ତୁତି ଦେଖିବା ସହ ଭାବବିହ୍ବଳ ହୋଇ ଏହାକୁ ସ୍ପର୍ଶ କରିଦେଇଥିବାରୁ ତାହା ଭାଟିରେ ପୋଡ଼ାଯିବା ବେଳେ ନଷ୍ଟ ହୋଇଗଲା। ତେଣୁ ତୁରନ୍ତ ଆଉ ଥରେ ହାଣ୍ଡି ପ୍ରସ୍ତୁତ କରିବାକୁ ପଡ଼ିଥିଲା। ବର୍ଷଯାକ ସେ ଶ୍ରୀମନ୍ଦିରକୁ ମାଟି କୁଡ଼ୁଆ ଯୋଗାଇ ଆସୁଥିବା ବେଳେ ଏହି ଅଧର ହାଣ୍ଡି ପ୍ରସ୍ତୁତି ତାଙ୍କୁ ସବୁଠୁ ବେଶି ଆନନ୍ଦ ଦିଏ ବୋଲି କହିଛନ୍ତି। ସାଢ଼େ ୪ଫୁଟର ହାଣ୍ଡି ପ୍ରସ୍ତୁତ କରିବା ସହଜ କଥା ନୁହେଁ, ବରଂ ଭଗବାନ ନିଜେ ଆମ ହାତରେ ଏପରି କରାଇ ଦିଅନ୍ତି ବୋଲି ତାଙ୍କର ମତ। କୁହାଯାଏ, ବହୁ ଅତୀତରେ ୩ ଦିନ ଅଧରପଣା କରାଯାଉଥିଲା। କିନ୍ତୁ ଏବେ ଆଷାଢ଼ ଶୁକ୍ଳ ଦ୍ବାଦଶୀ ଦିନ ହିଁ ମହାପ୍ରଭୁଙ୍କ ପାଇଁ ୩ଦିନର ଏକାବେଳେ ଗୋଟିଏ ଥରରେ ଅଧରପଣା କରାଯାଉଛି। ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳରେ ପଣା ପ୍ରସ୍ତୁତ ପରେ ମହାପ୍ରଭୁଙ୍କ ଅଧରକୁ ଲାଗିଥିବା ଅଧରହାଣ୍ଡିରେ ଏହାକୁ ପରଷାଯାଏ। ପରେ ଏହାକୁ ରଥ ଉପରେ ଭଙ୍ଗାଯିବାର ପରମ୍ପରା ରହିଛି। ତେଣୁ ବର୍ଷକୁ ଥରେ ମହାପ୍ରଭୁଙ୍କ ଏହି ମାନବୀୟ ଲୀଳାରେ ଭାଗୀଦାର ହେବା ଆମ ବିଶୋଇ ସେବକମାନଙ୍କ ପାଇଁ ଗୌରବର କଥା ବୋଲି ଅଜୟ କହିଛନ୍ତି।