ସାଢ଼େ ଚାରି ଲକ୍ଷ ରାଜସ୍ବ ମାମଲା ବିଚାରାଧୀନ

ଭୁବନେଶ୍ବର : ତହସିଲ୍‌ଦାରଙ୍କ ଠାରୁ ଆରମ୍ଭ କରି ରାଜସ୍ବ ପର୍ଷଦର ସଭ୍ୟଙ୍କ ଅଦାଲତରେ ଏବେ ମୋଟ୍‌ ୪ ଲକ୍ଷ ୪୫ ହଜାର ୫୦୧ଟି ମାମଲା ବିଚାରାଧୀନ ଅଛି। ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କର ଏକ ଲିଖିତ ପ୍ରଶ୍ନର ଉତ୍ତରରେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟର ସମସ୍ତ ତହସିଲ୍‌ରେ ମୋଟ୍‌ ୨ ଲକ୍ଷ ୮୬ ହଜାର ୨୩ଟି ଦାଖଲ ଖାରଜ ମାମଲା ବିଚାରାଧୀନ ଅଛି। ସେହିପରି ଭାବେ ଭୂ-ସଂସ୍କାର ଆଇନର ଧାରା-କ ଅନୁସାରେ ମୋଟ୍‌ ୨୦,୯୯୮ଟି ମାମଲା ଏବଂ ଧାରା ୧୯(୧) (ଗ) ଅନୁସାରେ ୫,୫୯୦ଟି ମାମଲା ପଡ଼ି ରହିଛି। ବକେୟା ମାମଲାର ସ୍ବତନ୍ତ୍ର କ୍ୟାମ୍ପ କୋର୍ଟ ମାଧ୍ୟମରେ ଫଇସଲା ପାଇଁ ସମସ୍ତ ଡିଭିଜ୍‌ନାଲ୍‌ ରାଜସ୍ବ କମିସନର୍‌ ଏବଂ ସମସ୍ତ ଜିଲ୍ଲାପାଳଙ୍କୁ ୨୦୧୯ ଜୁଲାଇ ମାସରେ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରାଜସ୍ବ ପର୍ଷଦଙ୍କ ଅଦାଲତରେ ପଡ଼ି ରହିଥିବା ବକେୟା ମାମଲାର ଫଇସଲା ନିମନ୍ତେ ଭୁବନେଶ୍ବରରେ ୩୪ଟି ଅତିରିକ୍ତ ଆୟୁକ୍ତ ପୁନର୍ବିଚାର ଅଦାଲତ ସ୍ଥାପିତ ହୋଇଛି।

ରାଜସ୍ବ ମନ୍ତ୍ରୀ ଆହୁରି ଦର୍ଶାଇଛନ୍ତି ଯେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩୪,୨୮୮ଟି ଦାଖଲ ଖାରଜ ମାମଲା ପଡ଼ିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୨୯,୧୧୬ଟି ମାମଲା, ବରଗଡ଼ ଜିଲ୍ଲାରେ ୨୧,୪୬୦ଟି ମାମଲା ଏବଂ ପୁରୀ ଜିଲ୍ଲାରେ ୨୧,୪୦୬ଟି ମାମଲା ପଡ଼ି ରହିଛି। ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ ୨୧୦ଟି ମାମଲା ବିଚାରାଧୀନ ଅଛି। ଏହା ବାଦ୍ ରାଜସ୍ବ ପର୍ଷଦ ସଭ୍ୟଙ୍କ ଅଦାଲତରେ ୭,୩୨୦ ମାମଲା, କଟକସ୍ଥିତ ଲ୍ୟାଣ୍ଡ୍‌ ରେକର୍ଡସ୍‌ ଓ ସେଟେଲ୍‌ମେଣ୍ଟ୍‌ କମିସନର୍‌ଙ୍କ ଅଦାଲତରେ ୨୭,୧୮୧ଟି ମାମଲା, କଟକସ୍ଥିତ ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ କମିସନର୍‌ଙ୍କ ଅଦାଲତରେ ୧୫,୧୪୩ଟି ମାମଲା, ସମ୍ବଲପୁରସ୍ଥିତ ଚକବନ୍ଦୀ ଓ ବନ୍ଦୋବସ୍ତ ଅତିରିକ୍ତ କମିସନର୍‌ଙ୍କ ଅଦାଲତରେ ୧୪,୩୬୭ଟି ଏବଂ ବ୍ରହ୍ମପୁରସ୍ଥିତ ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ କମିସନର୍‌ଙ୍କ ଅଦାଲତରେ ୬,୬୬୮ଟି ମାମଲା ବିଚାରାଧୀନ ଅଛି।

ସମ୍ବନ୍ଧିତ ଖବର