ଭୁବନେଶ୍ବର : ଲକ୍ଡାଉନ୍ ଖୋଲିବା ପରେ ଓଡ଼ିଶା ଫେରିବାକୁ ଚାହୁଥିବା ଲୋକଙ୍କ ପାଇଁ ରାଜ୍ୟ ସରକାର ପଞ୍ଜୀକରଣ ବାଧ୍ୟତାମୂଳକ କରିଛନ୍ତି। ୨୪ ତାରିଖରୁ ପୋର୍ଟାଲ ଜରିଆରେ ପଞ୍ଜୀକରଣ ଆରମ୍ଭ ହୋଇଥିବା ବେଳେ ଗତ ୪୮ ଘଣ୍ଟା ଭିତରେ ୪.୮୬ ଲକ୍ଷ ପ୍ରବାସୀ ଓଡ଼ିଆ ପୋର୍ଟାଲରେ ପଞ୍ଜୀକରଣ କରିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ସାମ୍ବାଦିକ ସମ୍ମିଳନୀରେ କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଲେ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରବାସୀ ଓଡ଼ିଆମାନଙ୍କୁ ସଙ୍ଗରୋଧ ରଖିବା ଲାଗି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏ ପର୍ଯ୍ୟନ୍ତ ୭୧୦୨ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨ଲକ୍ଷ ୨୭ହଜାର ଶଯ୍ୟା ପ୍ରସ୍ତୁତ କରାଯାଇଛି। ପଞ୍ଜୀକରଣ ପାଇଁ ୬୭୯୮ ପଞ୍ଚାୟତ ନୋଡାଲ ଅଧିକାରୀ ଓ ସମସ୍ତ ବିଡିଓଙ୍କୁ ପଞ୍ଜୀକରଣ ପ୍ରକ୍ରିୟା ବାବଦରେ ତାଲିମ୍ ପ୍ରଦାନ କରାଯାଇଛି। ଓରମାସ୍ ଜରିଆରେ ସ୍ବୟଂସହାୟକ ଗୋଷ୍ଠୀଙ୍କୁ ନିୟୋଜିତ କରି ମାସ୍କ ପ୍ରସ୍ତୁତି ଓ ବିତରଣ କରାଯାଉଛି। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ବା ଏସ୍ଆଇଆର୍ଡିଠାରେ ଗୋଟିଏ ବିକ୍ରୟ କେନ୍ଦ୍ର ଖୋଲାଯାଇଛି। ଗତ ୧୯ ତାରିଖରୁ ଏ ପର୍ଯ୍ୟନ୍ତ ୧୨,୧୦୦ଟି ମାସ୍କ ବିକ୍ରି ହୋଇସାରିଛି। ତେବେ ୨୦୮ଟି ସ୍ବୟଂ ସହାୟକ ଗୋଷ୍ଠୀ ଏ ପର୍ଯ୍ୟନ୍ତ ୧୯ଲକ୍ଷ ୫୨ହଜାର ମାସ୍କ ପ୍ରସ୍ତୁତ କରି ଲୋକଙ୍କୁ ଯୋଗାଇ ଦେଇଛନ୍ତି। ସେହିପରି କରୋନା ଭଳି ଏକ କଠିନ ପରିସ୍ଥିତିରେ ଲୋକମାନଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବା ଲାଗି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ମନରେଗା ଯୋଜନାକୁ ତ୍ବରାନ୍ବିତ କରାଯାଇଛି। ଆଜି ସୁଦ୍ଧା ଦିନକୁ ୪ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇଥିବା ଶ୍ରୀ ବାଗ୍ଚୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/sundargarh-labours.jpg)