ସୋରଡ଼ା/ପାଟପୁର/ଆସିକା/ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲାରେ ଗତକାଲି ରାତିରୁ ଆଜି ସନ୍ଧ୍ୟା ସନ୍ଧ୍ୟାସୁଦ୍ଧା ୪ଟି ସଡ଼କ ଦୁର୍ଘଟଣା ୪ ଜଣଙ୍କ ଜୀବନ ନେଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ସୋରଡ଼ା ଥାନା ସୋରଡ଼ା-ବଡ଼ଗଡ଼ ରାସ୍ତା ଖାରିଗୁଡ଼ା ଛକରେ ଆଜି ମଧ୍ୟାହ୍ନରେ ୧୦୨ ଆମ୍ବୁଲାନ୍ସ୍ ଧକ୍କାରେ ବାଇକ୍ ଚାଳକ ତଥା ବୋରସିଙ୍ଗି ପଞ୍ଚାୟତ ଗୁଣ୍ଡିବିରା ଗ୍ରାମର ଜୟସେନ ମହାଙ୍କୁଡ଼ (୬୦) ପ୍ରାଣ ହରାଇଛନ୍ତି। ଏଥିରେ ତାଙ୍କ ପତ୍ନୀ ତଥା ଆଶାକର୍ମୀ ସୁବାସିନୀ (୫୩) ଗୁରୁତର ହୋଇଥିବାରୁ ସୋରଡ଼ା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆମ୍ବୁଲାନ୍ସ୍ଟି ବଡ଼ଗଡ଼ ଡାକ୍ତରଖାନାରେ ରୋଗୀଙ୍କୁ ଛାଡ଼ି ସୋରଡ଼ା ଫେରୁଥିଲା। ଏହି ସମୟରେ ଖାରିଗୁଡ଼ା ଛକରେ ବଡ଼ଗଡ଼ ଅଭିମୁଖେ ଯାଉଥିବା ଜୟସେନଙ୍କ ବାଇକ୍କୁ ଗାଡ଼ିଟି ସାମ୍ନାପଟୁ ଧକ୍କା ଦେଇଥିଲା। ସୋରଡ଼ା ଦମକଳବାହିନୀ ପହଞ୍ଚି ଜୟସେନ ଓ ସୁବାସିନୀଙ୍କୁ ସୋରଡ଼ା ଡାକ୍ତରଖାନାକୁ ଆଣିଥିଲା। ତେବେ ଜୟସେନଙ୍କୁ ମୃତ ଘୋଷଣା କରାଯାଇଥିଲା। ମୃତକ ଜୟସେନ ହେଉଛନ୍ତି ଜିଲ୍ଲାପରିଷଦ ସଭ୍ୟ ପ୍ରଫୁଲ୍ଲ ମହାଙ୍କୁଡ଼ଙ୍କ ବଡ଼ଭାଇ। ସୋରଡ଼ା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଚାଳକ ଶିବଶଙ୍କର ନାୟକ ଥାନାରେ ଆତ୍ମସମର୍ପଣ କରିଛନ୍ତି।
ଆମ୍ବୁଲାନ୍ସ୍ ଧକ୍କାରେ ପତି ମୃତ, ପତ୍ନୀ ଗୁରୁତର
କାର୍ ଧକ୍କାରେ ବାଇକ୍ ଚାଳକଙ୍କ ଜୀବନ ଗଲା
ବାଇକ୍ ଧକ୍କାରେ ପଥଚାରୀ ମୃତ, ଜଣେ ଗୁରୁତର
ସେହିପରି ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ଅଧୀନ ତପ୍ତପାଣି ଘାଟି ସଂଲଗ୍ନ ରାଜନାପଲ୍ଲୀ ନିକଟରେ କାର୍-ବାଇକ୍ ମୁହାଁମୁହିଁ ଧକ୍କା ଦେବାରୁ ବାଇକ୍ ଚାଳକ ତଥା ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଞ୍ଚଳର ଅବିନାଶ ଜୁଗୁ (୩୨) ପ୍ରାଣ ହରାଇଛନ୍ତି। ଅବିନାଶ ଅଡ଼ବା ଯାଉଥିବା ସମୟରେ ବିପରୀତ ଦିଗରୁ ଏକ କାର୍ ଆସି ତାଙ୍କୁ ଧକ୍କା ଦେଇଥିଲା। ବାଇକ୍ ଓ କାର୍ ଘାଟିର ୬ ଫୁଟ ତଳକୁ ଖସିପଡ଼ିଥିଲା। ପୋଡ଼ାମାରୀ ଫାଣ୍ଡି ପୁଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଅବିନାଶଙ୍କ ସମେତ କାର୍ ଚାଳକ ଓ ଅନ୍ୟମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଡାକ୍ତରଖାନାକୁ ଆଣିଥିଲା। ତେବେ ଅବିନାଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅବିନାଶ ଅଡ଼ବା ବିଦ୍ୟାଳୟରେ କମ୍ପ୍ୟୁଟର୍ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ।
ସେହିପରି ଆସିକା ଥାନା ଅଧୀନ ଚାରିମଇଲି ଛକ-ବଜ୍ରକୋଟ ରାସ୍ତାରେ ଆଜି ସନ୍ଧ୍ୟାରେ ବାଇକ୍ ଧକ୍କାରେ କ୍ଷେତ୍ରବାସୀ ସାହୁ (୫୦) ନାମକ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ବାଇକ୍ଚାଳକ ତଥା ଭେଟନଇ ପଲ୍ଲୀମାଳ ଅଞ୍ଚଳର କାଳୁଚରଣ ସ୍ବାଇଁ (୨୩) ଏଥିରେ ଗୁରୁତର ହୋଇଛନ୍ତି। ହିଞ୍ଜିଳିକାଟୁର ମୂଳବାସିନ୍ଦା କ୍ଷେତ୍ରବାସୀ ଏକ କ୍ରସର୍ରେ ରୋଷେୟା ଭାବେ କାମ କରୁଥିଲେ। ଆଜି ସେ ଚାଲି ଚାଲି ଯାଉଥିବା ସମୟରେ କାଳୁଚରଣ ବେପରୁଆ ଭାବେ ବାଇକ୍ ଚଳାଇ ତାଙ୍କୁ ଧକ୍କା ଦେଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆସିକା ଡାକ୍ତରଖାନାକୁ ଅଣାଯାଇଥିବା ବେଳେ କ୍ଷେତ୍ରବାସୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। କାଳୁଚରଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସେହିପରି ଖଲ୍ଲିକୋଟ ଥାନା ଲଙ୍ଗଳେଶ୍ବର-ନାରାୟଣୀ ଛକ ମଧ୍ୟରେ ଗୁଡ଼ିନାଳ ନିକଟରେ ଗତକାଲି ରାତି ୧୦ଟାରେ ଗାଡ଼ି ଧକ୍କାରେ ଭେଜିପୁଟ ଓଡ଼ିଆସାହିର ତ୍ରିନାଥ ନାଏକ (୫୫) ପ୍ରାଣ ହରାଇଛନ୍ତି। ତ୍ରିନାଥ ରାସ୍ତା ପାର୍ ହେଉଥିବା ବେଳେ କୌଣସି ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।