ବାପାଠୁ ଟଙ୍କା ଲୁଟ୍ ପାଇଁ ଅପହରଣ ନାଟକ : ପୁଅ ସମେତ ୪ ଅଭିଯୁକ୍ତ ଗିରଫ

ଅନୁଗୁଳ : ବାପାଠୁ ଟଙ୍କା ଲୁଟିବା ପାଇଁ ପୁଅ ରଚିଥିଲା ଷଡ଼୍‌ଯନ୍ତ୍ର। କେତେବେଳେ କରୁଥିଲା ଅପହରଣ ନାଟକ ତ ଆଉ କେତେବେଳେ ଅନ୍ୟ କିଛି ବାହାନା। ସାଙ୍ଗସାଥୀମାନଙ୍କ ସହିତ ମଉଜ ମସ୍ତିରେ ଟଙ୍କା ଉଡ଼ାଉଥିଲା। ଗତ ଏକ ବର୍ଷ ଧରି ଏଭଳି କରି ଆସୁଥିବା ପୁଅର କାରନାମା ପରିଶେଷରେ ଧରାପଡ଼ିଛି। ପଞ୍ଚାନନ ଘୋଷଙ୍କ ଅଭିଯୋଗ କ୍ରମେ ଅନୁଗୁଳ ଥାନା ପୁଲିସ ପୁଅ ଗୌରବ ଘୋଷ(୨୦) ଓ ତାଙ୍କ ଅନ୍ୟ ୩ ଜଣ ସାଙ୍ଗଙ୍କୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଛି।

ଦକ୍ଷିଣ କୋଲକାତାର ଗୋରଫା ଥାନା ତେଲିପଡ଼ା ଲେନ୍‌ ଧାକୁରିଆ ନିବାସୀ ପଞ୍ଚାନନ ଘୋଷ। ସେ ଏବେ ଅନୁଗୁଳ ଶିମିଳିପଡ଼ା ଘର ଭଡ଼ା ନେଇ ରହୁଛନ୍ତି। ସେ ସ୍ଥାନୀୟ ଏକ କଂପାନିରେ ଚାକିରି କରୁଛନ୍ତି। ଗତ ୬ ତାରିଖ ଦିନ ପଞ୍ଚାନନଙ୍କ ମୋବାଇଲ ଫୋନ୍‌କୁ ଏକ କଲ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ଜଣକ ନିଜକୁ ତାଳଚେରର ପପୁ ବୋଲି ପରିଚୟ ଦେଇଥିଲା। ‘ତୁମ ପୁଅ ଗୌରବକୁ ଅପହରଣ କରାଯାଇଛି। ୪୦ ହଜାର ଟଙ୍କା ଦେଇ ପୁଅକୁ ମୁକୁଳାଇ ନିଅ। ଟଙ୍କା ନଦେଲେ ପୁଅକୁ ଆଉ ଫେରି ପାଇବ ନାହିଁ’ ‌େବାଲି ସେ ଧମକ୍‌ ଦେଇଥିଲା। ପଞ୍ଚାନନ ଘଟଣା ସଂକ୍ରାନ୍ତରେ ଅନୁଗୁଳ ଥାନାରେ ଅଭିଯୋଗ କରିଥିଲେ। ସେହିଦିନ ସନ୍ଧ୍ୟାରେ ଶକ୍ତି ନାମକ ଆଉ ଜଣେ ବ୍ୟକ୍ତି ପୁଣି ଫୋନ୍‌ କରି ଅନ୍ୟୁନ ୨୫ ହଜାର ଟଙ୍କା ଆଣି ତୁରନ୍ତ ଅନୁଗୁଳ ପିଟିସି ହାଇସ୍କୁଲ ଛକକୁ ଆସିବାକୁ କହିଥିଲା। ନିଜ ପୁଅକୁ ବହୁତ ଭଲ ପାଉଥିବା ପଞ୍ଚାନନ ଏଥିରେ ଭୟଭୀତ ହୋଇଯାଇଥିଲେ। ରାତି ୮ଟାରେ ୨୫ ହଜାର ଟଙ୍କା ଯୋଗାଡ଼ କରି ପିଟିସି ଛକରେ ପହଂଚି ଥିଲେ। ଅଭିଯୁକ୍ତମାନେ ଅଚାନକ ସେଠାରେ ପହଂଚି ପଞ୍ଚାନନଙ୍କୁ ଚାପୁଡ଼ା ମାରି ୨୫ ହଜାର ଟଙ୍କା ଛଡ଼ାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ପଞ୍ଚାନନ ଅଭିଯୁକ୍ତମାନଙ୍କୁ ଦେଖିବା ପରେ ସେମାନେ ତାଙ୍କ ପୁଅ ସହିତ ବୁଲୁଥିବା କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲେ। କେବଳ ସେତିକି ନୁହେଁ, ଏହି ଅପହରଣ ନାଟକ ତାଙ୍କ ପୁଅ ଗୌରବ ବି ରଚିଥିବା ଜାଣିବା ପରେ ପୁଲିସ୍‌କୁ ସୂଚନା ଦେଇଥିଲେ। ଏହି ଘଟଣାରେ ଅନୁଗୁଳ ଥାନା ପୁଲିସ ଗୌରବ ସହିତ ତାଙ୍କ ୩ ସାଙ୍ଗ ଅନୁଗୁଳ ଅମଲାପଡ଼ା ୭ ନମ୍ବର ଲେନ୍‌ର ବିନୋଦ ବେହେରା(୨୬), ଲିଂଗରାଯୋଡ଼ିର (ଏବେ ମିଶ୍ରପଡ଼ା ନିବାସୀ) ଶକ୍ତି ପ୍ରସାଦ ମହାନ୍ତି(୨୩), ସମଲ ଥାନା ଗହମ ଗାଁ ନିବାସୀ (ଏବେ କଲିୟରି ଥାନା ଡେରା ଗାଁ ନିବାସୀ)ପପୁନ କୁମାର ସାହୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର