ଖାପ୍‌ ପଞ୍ଚାୟତରେ ଯୁବକକୁ ପିଟିପିଟି ହତ୍ୟା: ଗୁଣି ସନ୍ଦେହ, ୪ ଅଭିଯୁକ୍ତ ଗିରଫ

କାଲିମେଳା : ମାଲକାନଗିରି ଜିଲ୍ଲା ପୋଟେରୁ ଫାଣ୍ତି ଅନ୍ତର୍ଗତ ଇନ୍ତାଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଖାପ୍‌ ପଞ୍ଚାୟତରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଗୁଣି ସନ୍ଦେହରୁ ଏହି କାଣ୍ଡ ଘଟିଛି। ଆଦିବାସୀ ବହୁଳ ଅଞ୍ଚଳରେ ଏବେ ବି ଗୁଣିକୁ ନେଇ ଅନ୍ଧବିଶ୍ବାସ ରହିଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଗୁଣି ସନ୍ଦେହକୁ ନେଇ ଗତକାଲି ଗ୍ରାମରେ ଖାପ୍‌ ପଞ୍ଚାୟତ ବସିଥିଲା। ଗୁଣିଗାରେଡ଼ି କରି ଗ୍ରାମର ଇମାର୍ କାର୍ତାମୀ ଜଣଙ୍କୁ ମାରିଦେଇଥିବା ଅଭି‌ଯୋଗ ଉପରେ ବିଚାର କରାଯାଉଥିଲା। ସଭାରେ ଇମାର ମଧ୍ୟ ଉପସ୍ଥିତ ଥିଲେ। ଖାପ୍ ପଞ୍ଚାୟତରେ ଇମାର୍‌ଙ୍କୁ ଦୋଷୀ କରାଯିବା ସହ ଗ୍ରାମ ଠାରୁ କିଛି ଦୂରକୁ ନିଆଯାଇ ଠେଙ୍ଗାରେ ନିସ୍ତୁକ ମାଡ଼ ମରାଯାଇଥିଲା। ଠେଙ୍ଗାମାଡ଼ରେ ମୁଣ୍ଡ ଓ ଶରୀରର ବିଭିନ୍ନ ଅଂଶରେ ଶକ୍ତ ଆଘାତ ଯୋଗୁ ଇମାର୍‌ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଘଟଣା ପରେ ଅଭିଯୁକ୍ତମାନେ ଘରକୁ ଫେରି ଆସିଥିଲେ।

ଆଜି ମୃତ ଇମାରଙ୍କ ପତ୍ନୀ ଯୋଗୀ ପୋଟେରୁ ଫାଣ୍ତିରେ ୧୦ଜଣ ଅଭିଯୁକ୍ତଙ୍କ ନାମରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ଉକ୍ତ ଗ୍ରାମରେ ଚଢ଼ଉ କରି ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହେବା ସହ ହତ୍ୟାକାଣ୍ତରେ ବ୍ୟବହୃତ ଠେଙ୍ଗାକୁ ଜବତ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଇନ୍ତାଗୁଡ଼ା ଗ୍ରାମର ଇମାର୍ ମାଡ଼ି, ଜଗା କବାସୀ ଓ ଗୁମକାଗୁଡ଼ା ଗ୍ରାମର ସୋମା ମାଡ଼ି ଓ ପଦିଆ ବେଟୀ। ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଜଣାପଡ଼ିଛି। ଏ ସଂପର୍କରେ ପୁଲିସ ଅଧିକ ଅନୁସଂଧାନ ଜାରି ରଖିଥିବାବେଳେ ମୃତ ଇମାରଙ୍କ ଶବକୁ କାଲିମେଳା ମେଡ଼ିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏ ସଂପର୍କରେ କାଲିମେଳା ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର