ବେଆଇନ୍‌ କରତ କଳରେ ଚଢ଼ଉ: ୪ ଗିରଫ, ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଚୋରା କାଠ ଜବତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ବଡ଼ବଜାର ଅଞ୍ଚଳରେ ବେଆଇନ୍‌ କରତ କଳ ଚାଲୁଥିବା ସୂଚନା ପାଇ ବନ ବିଭାଗ ଚଢ଼ଉ କରିବା ପରେ ବିପୁଳ ପରିମାଣର ଚୋରା କାଠ ଜବତ କରାଯାଇଛି। ଏହି ଘଟଣାରେ ୨୨୦ ଘନଫୁଟ୍‌ର ଶାଳ, ଶାଗୁଆନ, କସି, ଲିମ୍ବ ଆଦି କାଠଗଣ୍ଡି ଓ ପଟା ଜବତ କରାଯାଇଛି। ଜବତ କାଠର ବଜାର ମୂଲ୍ୟ ଆନୁମାନିକ ଭାବେ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନ‌ା ପ୍ରଦାନ କରାଯାଇଛି। ଏହସହିତ ବେଆଇନ୍‌ ଭାବେ ଚାଲୁଥିବା ଏହି କରତ କଳର ସମସ୍ତ ମେସିନ୍‌କୁ ବନ ବିଭାଗ ଜବତ କରିଥିବା ସମୟରେ ଏହି କଳକୁ ମଧ୍ୟ ସିଲ୍‌ କରିଦେଇଛି। ଏହି ଘଟଣାରେ ବନ ବିଭାଗ ଚେରୁଆପଡ଼ାର ରିଣ୍ଟୁ ଭୋଇ(୩୦), ଆନନ୍ଦ କୁଅଁର(୩୭), ରାସବିହାରୀ ଡନ୍‌ସେନା(୭୪) ଓ ଚିପିଲିମା କନ୍‌ପାଲିର ସୁଦାମ ନାଗ(୩୦)କୁ ଗିରଫ କରିଛି। ଏସମ୍ପର୍କରେ ବନବିଭ‌ାଗ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବଲପୁର ସହର ଚେରୁଆପଡ଼ାରେ ବେଆଇନ୍‌ କରତ କଳ ଚାଲୁଥିବା ନେଇ ସୂଚନା ମିଳିବା ପରେ ସମ୍ବଲପୁର ଡିଏଫଓ ଡ.ସଞ୍ଜିତ କୁମାରଙ୍କ ନିର୍ଦେଶକ୍ରମେ ଏକ ଟିମ୍‌ ଗଠନ କରାଯାଇ ମଙ୍ଗଳବାର ସକାଳୁ ବଡ଼ବଜାର ଘସିଆପଡ଼ାସ୍ଥିତ କରତକଳରେ ଚଢ଼ଉ କରାଯାଇଥିଲା। ଚଢ଼ଉ ପରେ ଘଟଣାସ୍ଥଳରୁ ୨୨ ଖଣ୍ଡ ଶାଗୁଆନ୍‌ ଗଣ୍ଡି, ୨୦ ଖଣ୍ଡ କସି ଗଣ୍ଡି ସମେତ ପଟା ପ୍ରସ୍ତୁତ ହୋଇଥିବା ଶାଳ, ଶାଗୁଆନ, ଲିମ୍ବ କାଠ ମିଶି ମୋଟ ୨୨୦ ଘନ ଫୁଟ କାଠ ଜବତ କରାଯାଇଥିଲା। କାଠଚିରା ପାଇଁ ବ୍ୟବହୃତ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ମେସିନ୍‌କୁ ବନ ବିଭାଗ ଜବତ କରିଥିବା ସମୟରେ କରତ କଳକୁ ବିଦ୍ୟୁତ୍‌ ସଂଯୋଗ ମଧ୍ୟ ବିଚ୍ଛିନ୍ନ କରିଦିଆଯାଇଛି। ଏହି ଚଢ଼ଉରେ ଆଇଏଫ୍‌ଏସ୍‌ ଲଲିତ ପାତ୍ରଙ୍କ ନେତୃତ୍ବରେ ଏସିଏଫ ଗୋକୁଳ ଚନ୍ଦ୍ର ପାଇକ, ତେଜରାଜ ନାଏକ, ରେଞ୍ଜ ଅଫିସର ପ୍ରଭାକର ବେହେରା, ହରିହର ପାତ୍ର,ଫରେଷ୍ଟର ଭାରତୀ ମହାନନ୍ଦ, ହିମାଂଶୁ ସେଠ୍‌, ସୁରେନ୍ଦ୍ର ଡନ୍‌ସେନା, ବସନ୍ତ ପ୍ରଧାନ, ପ୍ରଶାନ୍ତ ଓରାମ, ଟଙ୍କଧର ରାଉତ, ଫରେଷ୍ଟ ଗାର୍ଡ ଧନଞ୍ଜୟ ମହୀଶାଳ, ଅଜିତ ସାହୁ, ବସନ୍ତ ବାରିକ, କ୍ରୀଷ୍ଣା ଖୁଣ୍ଟିଆ, ସଶ୍ମିତା ବେହେରା, ସୁନୀତା ମୁଣ୍ଡା, ପ୍ରଭାସିନୀ ପରିଡ଼ା, ଭାଗ୍ୟଶ୍ରୀ ଦୀପ୍‌ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର