ଜିଏସ୍‌ଟି ରଫାଦଫା ପାଇଁ ୧୦ ଲକ୍ଷ ଲାଞ୍ଚ : ମାଡ଼ିବସିଲା ସିବିଆଇ

ଜିଏସ୍‌ଟିର ୩ ଅଧିକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନର ଜଣେ ଗିରଫ

ଜାଲ୍ କାଗଜପତ୍ର ଜବତ, ଚାରି ଘଣ୍ଟା ଜେରା
୮ଟି ଜାଗାରେ ଚଢ଼ଉ

ଭୁବନେଶ୍ବର : ଗୋଟିଏ ପଟେ ଜାଲ୍‌ କମ୍ପାନି ତିଆରି କରି ଶହ ଶହ କୋଟି ଟଙ୍କାର ଜିଏସ୍‌ଟି ଫାଙ୍କୁଥିବା ସଂସ୍ଥା ଓ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ବେଳେ ଅନ୍ୟପଟରେ ବିଭାଗର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି। ଏକ ଘରୋଇ ଶିକ୍ଷାନୁଷ୍ଠାନ ଜିଏସ୍‌ଟି ଫାଙ୍କିବା ନେଇ ଆସିଥିବା ଅଭିଯୋଗର ରଫାଦଫା କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି ସିବିଆଇ। ଭୁବନେଶ୍ବରରେ ଏକ ଘରୋଇ ହୋଟେଲରେ ଏହି ଲାଞ୍ଚ କାରବାର ଚାଲୁଥିବା ବେଳେ ଆଜି ସନ୍ଧ୍ୟାରେ ସିବିଆଇର ୬ ଜଣିଆ ଟିମ୍ ଖବର ପାଇ ଚଢ଼ଉ କରିଥିଲା। ଏହି ସମୟରେ ଜିଏସ୍‌ଟି ଭୁବନେଶ୍ବର ସର୍କଲର ତିନି ସୁପରିନ୍‌ଟେଣ୍ଡେଣ୍ଟ ଆର୍ତ୍ତଭଞ୍ଜନ କର, ପ୍ରଦୀପ କୁମାର ଆଚାର୍ଯ୍ୟ, ଏନ୍.ଏନ୍ ସାହୁ ଏବଂ ଲାଞ୍ଚ ଦେଉଥିବା ଜଟଣୀସ୍ଥିତ ସେଞ୍ଚୁରିଅନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଆକାଉଣ୍ଟ୍‌ସ ଅଫିସର ଆଶୁତୋଷ ପାଢ଼ୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଲାଞ୍ଚ କାରବାର କରାଯାଉଥିବା ୧୦ ଲକ୍ଷ ଟଙ୍କା ଓ କିଛି ଜାଲ କାଗଜପତ୍ର ଜବତ କରିଛି ସିବିଆଇ। ଏହା ପରେ ଜିଏସ୍‌ଟିର ଗିରଫ ତିନି ଅଧିକାରୀ ଓ ଆଶୁତୋଷଙ୍କ ଘର, ଅଫିସ ସମେତ ୮ଟି ସ୍ଥାନରେ ଚଢ଼ଉ ଜାରି ରହିଛି। ଗିରଫ ଅଭିଯୁକ୍ତମାନଙ୍କୁ ସିବିଆଇ ଅଫିସକୁ ନିଆଯାଇ ଅଧିକ ପଚରାଉଚରା ଜାରି ରହିଛି। ଆସନ୍ତାକାଲି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାପଡ଼ିଛି।

ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସେଞ୍ଚୁରିଅନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବିରୋଧରେ ଜିଏସ୍‌ଟି ଫାଙ୍କିବା ନେଇ ଅଭିଯୋଗ ରହିଥିଲା। ଏହାକୁ ସମାଧାନ କରିବା ପାଇଁ ଜିଏସ୍‌ଟିର ତିନି ଅସାଧୁ ସୁପରିନ୍‌ଟେଣ୍ଡେଣ୍ଟ ଶିକ୍ଷାନୁଷ୍ଠାନ ସହ ଯୋଗାଯୋଗ କରିଥିଲେ।

ଏଥିପାଇଁ ୨୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା। କିନ୍ତୁ ଶିକ୍ଷାନୁଷ୍ଠାନ ପକ୍ଷରୁ ୧୦ ଲକ୍ଷ ଟଙ୍କା ଦିଆଯିବ ବୋଲି ଚୂଡ଼ାନ୍ତ ହୋଇଥିଲା। ଆଜି ସନ୍ଧ୍ୟାରେ ମାରିଅନ୍ ହୋଟେଲରେ ଏହି ଡିଲ୍ ଚାଲିଥିଲା। କିନ୍ତୁ ପୂର୍ବରୁ ଖବର ପାଇଥିବା ସିବିଆଇ ଅଚାନକ୍ ଚଢ଼ଉ କରି ସମସ୍ତଙ୍କୁ ମାଡ଼ି ବସିଥିଲା। ସେହି ସମୟରେ ଆଶୁତୋଷ ଲାଞ୍ଚ ଟଙ୍କା ଜିଏସ୍‌ଟି ସୁପରିନ୍‌ଟେଣ୍ଡେଣ୍ଟ ଆର୍ତ୍ତଭଞ୍ଜନ କରଙ୍କୁ ଦେଉଥିବା ବେଳେ ସିବିଆଇ ଟିମ୍ ପ୍ରଥମେ ଉଭୟଙ୍କୁ କାବୁ କରି ନେଇଥିଲେ। ଲାଞ୍ଚ ଟଙ୍କା ଜବତ କରି ପ୍ରାୟ ଚାରି ଘଣ୍ଟା କାଳ ପଚରାଉଚରା କରିବା ପରେ ଅନ୍ୟ ଦୁଇ ସୁପରିନ୍‌ଟେଣ୍ଡେଣ୍ଟ ପ୍ରଦୀପ କୁମାର ଆଚାର୍ଯ୍ୟ ଓ ଏନ୍.ଏନ୍ ସାହୁଙ୍କୁ ଗିରଫ କରା ଯାଇଥିଲା। ଏହି ଘଟଣାର ତଦନ୍ତ ଜାରି ରହିଥିବା ବେଳେ ସିବିଆଇ ଆଉ ଅଧିକ ତଥ୍ୟ ଦେଇ ନାହିଁ।

ଉଲ୍ଲେଖଯୋଗ୍ୟ, ନିକଟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଉରକେଲା ଜିଏସ୍‌ଟି ସର୍କଲ-୧ର ଅଧିକାରୀ ତଥା ସହକାରୀ ବାଣିଜ୍ୟକର ଅଧିକାରୀ ଅଲେଖ ମହାନନ୍ଦ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ଗତ ୨୨ ତାରିଖରେ ଶ୍ରୀ ମହାନନ୍ଦଙ୍କ ଘର, ଅଫିସ ସମେତ ୬ଟି ସ୍ଥାନରେ ଚଢ଼ଉ କରି କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ।

ସମ୍ବନ୍ଧିତ ଖବର