ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା: ମୁଖ୍ୟ ଅଭିଯୁକ୍ତ ସମେତ ତିନି ଭାଇ ଗିରଫ, ଅଭିଯୁକ୍ତ ପରିବାରର ୪ ଜଣଙ୍କ ନାଁରେ ମାମଲା ରୁଜୁ
ଅସୁରାଳି : ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ନାବାଳିକା ଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ତିନି ଭାଇଙ୍କୁ ପୁଲିସ ଗିରଫ କରିଥିବା ବେଳେ ଅଭିଯୁକ୍ତଙ୍କ ପରିବାରର ଅନ୍ୟ ୪ ଜଣଙ୍କ ନାମରେ ମାମଲା ରୁଜୁ କରିଛି। କୋର୍ଟଚାଲାଣ ହୋଇଥିବା ଅଭିଯୁକ୍ତମାନେ ହେଲେ ମୁଖ୍ୟ ଅଭିଯୁକ୍ତ ବିଚିତ୍ର ମାଝୀ (୩୨), ବଡ଼ଭାଇ ପବିତ୍ର ମାଝୀ ଏବଂ ସାନଭାଇ ମଧୂସୁଦନ ମାଝୀ। ଅନ୍ୟପକ୍ଷରେ ଡାକ୍ତରୀମାଇନା ପରେ ପୀଡ଼ିତାଙ୍କୁ ପରିବାର ଜିମା ଦେଇଛି ପୁଲିସ।
Sambad is now on WhatsApp
Join and get latest news updates delivered to you via WhatsApp
ଧୂଷୁରୀ ଥାନା ଅଧୀନ ଏକ ଗାଁରେ ଅଭିଯୁକ୍ତ ବିଚିତ୍ର (୩୨) ପଡୋଶୀ ଘରର ନାବାଳିକା ସୀତା (ଛଦ୍ମନାମ)ଙ୍କୁ ତିନି ମାସ ତଳେ ପ୍ରେମ ନିବେଦନ କରିଥିଲା। ନାବାଳିକା ଜଣକ ଏହାକୁ ପ୍ରତ୍ୟାଖ୍ୟାନ କରିବାରୁ ଅଭିଯୁକ୍ତ ବିଚିତ୍ର ତାଙ୍କୁ ବଳପୂର୍ବକ ନିଜ ଘରକୁ ଟେକି ନେଇ ହାତଗୋଡ଼ ବାନ୍ଧି ଦୁଷ୍କର୍ମ କରିଥିଲା। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡ଼ିଓ ରେକର୍ଡିଂ କରି ଏହାକୁ ଭାଇରାଲ୍ କରିବାକୁ ଧମକ ଦେଇ ନାବାଳିକାଙ୍କୁ ଏକାଧିକବାର ଦୁଷ୍କର୍ମ କରିଥିଲା ଅଭିଯୁକ୍ତ। ଗତ ରବିବାର ଦିନ ଏହି ଅମାନବୀୟ ଘଟଣା ସବୁ ସୀମା ଡେଇଁ ଯାଇଥିଲା। ଅଭିଯୁକ୍ତ ସୀତାଙ୍କୁ ଜୋରଜବରଦସ୍ତ ତା ଘରକୁ ନେଇ ପରିବାର ଲୋକଙ୍କ ଉପସ୍ଥିତିରେ ଏକ କୋଠରୀରେ ଦୁଷ୍କର୍ମ କରିଥିଲା। ଘଟଣା ସଂପର୍କରେ ଜାଣିବା ପରେ ପୀଡ଼ିତାଙ୍କ ପରିବାର ଲୋକ ବିଚିତ୍ର ଘରେ ପହଞ୍ଚି ପ୍ରତିବାଦ କରିଥିଲେ। ତେବେ ବିଚିତ୍ରଙ୍କ ବାପା, ମାଆ ଏବଂ ଦୁଇ ଭାଇ ପୀଡ଼ିତାଙ୍କ ପରିବାରଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ ବି କରିଥିଲେ। ଝିଅକୁ ଆଣି ସଂପର୍କୀୟଙ୍କ ଘରେ ରଖାଯାଇଥିବା ବେଳେ ଅଭିଯୁକ୍ତ ବିଚିତ୍ର କିଛି ଯୁବକଙ୍କୁ ଧରି ସେଠାରେ ପହଞ୍ଚି ଗଣ୍ତଗୋଳ ଭିଆଇବା ସହ ପୀଡ଼ିତାଙ୍କ ପରିବାରକୁ ମାରି ଦେବାକୁ ଧମକ ଦେଇଥିଲା। ଉପାୟଶୂନ୍ୟ ହୋଇ ପୀଡ଼ିତାଙ୍କ ପରିବାର ମଙ୍ଗଳବାର ରାତିରେ ପୁଲିସର ସହାୟତା ଲୋଡ଼ିଥିଲେ। ପୀଡ଼ିତାଙ୍କ ମାଆଙ୍କ ଏତଲାକୁ ଗ୍ରହଣ କରି ଧୂଷୁରୀ ପୁଲିସ ମୁଖ୍ୟ ଅଭିଯୁକ୍ତ ବିଚିତ୍ରର ଦୁଇ ଭାଇଙ୍କୁ ଗତକାଲି ଥାନାରେ ଅଟକ ରଖିବା ସହ ରାତିରେ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲା। ଧାମନଗର ଏସ୍ଡିପିଓ ମନୋରଂଜନ ସାମଲ, ଧୂଷୁରୀ ଥାନା ଅଧିକାରୀ ପ୍ରଫୁଲ୍ଳ କୁମାର ସିଂହ ଗତକାଲି ରାତିରେ ପୀଡ଼ିତାଙ୍କ ବୟାନ ରେକର୍ଡ଼ କରିଥିଲେ। ଏହି ଘଟଣାରେ ପୁଲିସ ପକ୍ଷରୁ କେସ୍ ନଂ ୨୩୭/୧୯ରେ ଏକ ମାମଲା ରୁଜୁ ହୋଇଛି। ମୁଖ୍ୟ ଅଭିଯୁକ୍ତ ବିଚିତ୍ର ସହିତ ତାର ବଡ଼ଭାଇ ପବିତ୍ର ଓ ସାନଭାଇ ମଧୂସୁଦନକୁ ଆଜି କୋର୍ଟଚାଲାଣ କରାଯାଇଛି। ଅନ୍ୟ ଦୁଇ ଅଭିଯୁକ୍ତ ବାପା ଦୁର୍ଯ୍ୟୋଧନ ଏବଂ ମାଆ ସୁକାନ୍ତି ଫେରାର ହୋଇ ଯାଇଥିବା ପୁଲିସ ସୂଚନା ଦେଇଛି।