କାଶୀନଗର : ନିର୍ବାଚନକୁ ନେଇ ଗଜପତି ଜିଲ୍ଲା କାଶୀନଗରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏନେଇ ଉଭୟ ପକ୍ଷରୁ ଦିଆଯାଇଥିବା ଏତଲାକୁ ଆଧାର କରି ମାମଲା ରୁଜୁ ପରେ ଉଭୟ ଗୋଷ୍ଠୀରୁ ୪ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୪ଜଣ ଫେରାର୍ ଅଛନ୍ତି।

Advertisment

ଗତ ୧୧ ତାରିଖରେ ଅନୁଷ୍ଠିତ ନିର୍ବାଚନରେ ୨୫ ନମ୍ବର ବୁଥରେ ବିଜେପି ଓ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ କୌଣସି କାରଣରୁ ବାକବିତଣ୍ଡା ହେବାରୁ ଉତ୍ତେଜନା ଦେଖା ଦେଇଥିଲା। ପରେ ସ୍ଥାନୀୟ ପୁଲିସ ପହଞ୍ଚି ଏହାକୁ ରୋକିବାରେ ସକ୍ଷମ ହୋଇଥିଲା। ତେବେ ଗତକାଲି ପୁଣି ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ ପରସ୍ପରକୁ ଆକ୍ରମଣ କରିଥିଲେ। ଏନେଇ ଉଭୟ ଗୋଷ୍ଠୀ ତରଫରୁ କାଶୀନଗର ଥାନାରେ ଏତଲା ଦିଆଯିବା ପରେ କେସ ନମ୍ବର ୪୫ ଓ ୪୬ ଅନୁସାରେ ଦୁଇଟି ମାମଲା ରୁଜୁ ହୋଇଥିଲା। ଉଭୟ ଗୋଷ୍ଠୀର କେ.ରାଜେଶ, କେ.କାନେୟା, କେ.ଗୋପୀ ଓ କେ.ଆପଲ ନାଇଡୁଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ଚାରିଜଣ ଅଭିଯୁକ୍ତ କେ.ତେଜା, ଏସ୍‌. ବାଲକ୍ରିଷ୍ଣା, କେ.ଦାସୁ ଓ ଏଲ୍. ଚନ୍ଦ୍ର ରାଓ ଫେରାର ଥିବା କାଶୀନଗର ଥାନା ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଏସଆଇ ଟି. ରଙ୍ଗାବାବୁ ଏହାର ତଦନ୍ତ ଭାର ନେଇଛନ୍ତି।