ପ୍ରଧାନମନ୍ତ୍ରୀଙ୍କ ନାଁରେ କରୋନା ଗୁଜବ : ୨ ସାମ୍ବାଦିକଙ୍କ ସମେତ ୪ ଗିରଫ

ଗୁଜବ କରି ଚାକିରି ହରାଇଲେ ଶିକ୍ଷକ

କେନ୍ଦ୍ରାପଡ଼ା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କରୋନା ହୋଇଥିବାର ଗୁଜବ ହ୍ବାଟ୍‌ସ ଆପ୍‌ରେ ପ୍ରଚାର କରିବା ମହଙ୍ଗା ପଡ଼ିଛି। ଏଥିପାଇଁ ଟାଉନ ଥାନା ପୁଲିସ ଆଜି ୨ ଜଣ ସାମ୍ବାଦିକଙ୍କ ସମେତ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଚାରି ଅଭିଯୁକ୍ତ ହେଉଛନ୍ତି, ସଦର ଥାନା କଂସାରର ନିରଂଜନ ପରିଡ଼ା‌, ଚାନ୍ଦୋଳର ଶିବାଶିଷ ମହାନ୍ତି, ମର୍ଡର୍‌ପୁରର ପ୍ରଫୁଲ୍ଲ ଦାସ ଏବଂ ମାଧପୁର ଅଂଚଳର ଧ୍ରୁତିରଂଜନ ବାରିକ। ସେମାନଙ୍କ ମଧ୍ୟରୁ ଅଭିଯୁକ୍ତ ଶିବାଶିଷ ଏବଂ ଧ୍ରୁତିରଂଜନ ଦୁଇଟି ହ୍ବାଟ୍‌ସ ଆପ୍‌ ଗ୍ରୁପ୍‌ର ଆଡମିନ୍‌ ଥିଲେ ବୋଲି ଥାନା ଅଧିକାରୀ ଜ୍ୟୋତିରଂଜନ ସାମନ୍ତରାୟ ସୂଚନା ଦେଇଛନ୍ତି।

କରୋନାକୁ ନେଇ ଗୁଜବ ସୃଷ୍ଟି କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସରକାର ଚେତାବନୀ ଦେଇଥିଲେ। ଏଭଳି ସ୍ଥିତିରେ ଆଜି କେନ୍ଦ୍ରାପଡ଼ା ନିୟୁଜ୍ ସର୍ଭିସ୍‌(କେଏନ୍‌ଏସ୍‌) ଏବଂ କେନ୍ଦ୍ରାପଡ଼ା ସମାଚାର ନାମକ ଦୁଇଟି ହ୍ବାଟ୍‌ସ ଆପ୍‌ ଗ୍ରୁପ୍‌ରେ ‌ପ୍ରଧାନମନ୍ତ୍ରୀଙ୍କୁ କରୋନା ହୋଇଥିବା ଗୁଜବ ପ୍ରଚାର କରାଯାଇଥିଲା। ଟାଉନ ଥାନା ପୁଲିସ ଏ ସଂକ୍ରାନ୍ତରେ ଖବର ପାଇବା ପରେ ନିଜଆଡୁ ମାମଲା(୪୩/୨୦) ରୁଜୁ କରି ଚାରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଚାରିଟି ମୋବାଇଲ୍‌ ଫୋନ ଜବତ୍ କରିଛି। ଗିରଫ ଚାରି ଅଭିଯୁକ୍ତଙ୍କ ମଧ୍ୟରୁ ଶିବାଶିଷ ଏବଂ ପ୍ରଫୁଲ୍ଲ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟ କରୁଛନ୍ତି। ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ଦଫା ୧୮୮, ୫୦୦, ୫୦୧, ୩୪ଆଇପିସି ଏବଂ ୬୬ଏଫ୍‌୧(ଏ)୩ ଆଇଟି ଆକ୍ଟ୍‌ରେ ମାମଲା ରୁଜୁ କରିଛି।

ଥାନାଧିକାରୀ ଶ୍ରୀ ସାମନ୍ତରାୟଙ୍କ କହିବାନୁଯାୟୀ, ଅଭିଯୁକ୍ତ ଶିବାଶିଷ କେଏନ୍‌ଏସ୍‌ ଏବଂ ଧ୍ରୁତିରଂଜନ କେନ୍ଦ୍ରାପଡ଼ା ସମାଚାର ହ୍ବାଟ୍‌ସ ଆପ୍‌ ଗ୍ରୁପ୍‌ର ଆଡମିନ୍‌ ଥିବା ବେଳେ ନିରଂଜନ ଏବଂ ପ୍ରଫୁଲ୍ଲ କରୋନା ଗୁଜବକୁ ନେଇ ମେସେଜ୍ କରିଥିଲେ। ଏହାଦ୍ବାରା ଆଇନର ଉଲ୍ଲଂଘନ ହୋଇଥିବାରୁ ସେମାନଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ, ସାମ୍ବାଦିକ ଶିବାଶିଷ ମହାନ୍ତି କହିଛନ୍ତି ଯେ ପୁଲିସ ଷଡ଼୍‌ଯନ୍ତ୍ର କରି ସେମାନଙ୍କୁ ଗିରଫ କରିଛି। ଚାରି ଦିନ ତଳେ ପୁଲିସ ବିରୋଧରେ ଖବର ପ୍ରସାର ହୋଇଥିଲା। ପୁଲିସ ରାଗ ଶୁଝାଇବା ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଶ୍ରୀ ମହାନ୍ତି କହିଛନ୍ତି।

ଗୁଜବ କରି ଚାକିରି ହରାଇଲେ ଶିକ୍ଷକ
ଭବାନୀପାଟଣା : କଳାହାଣ୍ଡି କରୋନା ବ୍ୟାପିବା ନେଇ ଗୁଜବ କରିଥିବା ଜଣେ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି କଳାହାଣ୍ଡି ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ। ଗିରଫ ହୋଇ ଚାକିରି ହରାଇଥିବା ଏହି ଶିକ୍ଷକଙ୍କ ନାଁ ବିନ୍ଦୁ ମହାନନ୍ଦ। ଗତ ୧୫ ତାରିଖରେ କଳାହାଣ୍ଡି ଡଉଡେଲ ପ୍ରାଥମିକ ବିଦ୍ୟାଳୟର ଅସ୍ଥାୟୀ ଶିକ୍ଷକ ବିନ୍ଦୁ ମହାନନ୍ଦ ସୋସିଆଲ ମିଡିଆରେ ଖଳିଆକାନି ଗାଁରେ ଜଣକୁ କରୋନା ହୋଇଛି ଏବଂ ସେ କବାଟ ବନ୍ଦ କରି ଘରେ ରହିଥିବା ଅପପ୍ରଚାର କରିଥିଲେ। ଏହା ନଜରକୁ ଆସିବା ପରେ କଲହାଣ୍ଡି ଏସ୍‌ପି ବତୁଲା ଗଙ୍ଗାଧର ଏହାର ତଦନ୍ତ କରିଥିଲେ ଏବଂ ଖବର ମିଥ୍ୟା ବୋଲି ଜାଣିବା ପରେ ଶିକ୍ଷକଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶିକ୍ଷକ ଜଣକ ଗିରଫ ହେବା ପରେ କଳାହାଣ୍ଡି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଚାକିରିରୁ ମଧ୍ୟ ବହିଷ୍କାର କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ବିନ୍ଦୁଙ୍କ ନାଁରେ ପୂର୍ବରୁ ମଧ୍ୟ ସରକାରୀ ବିରୋଧୀ  ଓ ଅସାମାଜିକ ମନ୍ତବ୍ୟ ଦେବାର ଅଭିଯୋଗ ଥିଲା।

ସମ୍ବନ୍ଧିତ ଖବର