ପୁରୀ : ‘କରୋନା’ ଭୂତାଣୁ ସଂକ୍ରମଣକୁ ପ୍ରତିହତ ପାଇଁ ପଞ୍ଚାୟତସ୍ତରରେ ଖୋଲାଯାଇଥିବା ଆଇସୋଲେସନ୍ ୱାର୍ଡର ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଚିଲିକା ନୂଆପଡ଼ାରେ ଖୋଲଯାଇଥିବା ଆଇସୋଲେସନ୍ ୱାର୍ଡର ଖୋଲାଖୋଲି ଅପବ୍ୟବହାର କରାଯାଇଛି। ଯେଉଁଠି ସଂକ୍ରମିତ ତଥା ନିଜକୁ ଆଇସୋଲେସନ୍ରେ ରଖିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ରଖାଯିବା କଥା, ସେଠି ସ୍ଥାନୀୟ ଜଣେ ଲୋକ ପ୍ରତିନିଧି କିଛି ସହଯୋଗୀଙ୍କ ସହ ବସି ଭିଡ଼ ଜମାଇବା ସହ ପାଖରେ ମଦ୍ୟପାନ କରିବାକୁ ସାହସ କରିଛନ୍ତି। ଏ ସଂପର୍କରେ କୃଷ୍ଣପ୍ରସାଦ ତହସିଲଦାର ଜିତେନ୍ଦ୍ର କୁମାର ନାୟକଙ୍କ ଏତଲାକ୍ରମେ କୃଷ୍ଣପ୍ରସାଦ ପୁଲିସ ସଂପୃକ୍ତ ୪ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ସମିତି ସଭ୍ୟ ଉତ୍ତମ ତରେଇ, ଧୀର ଓରଫ ଉମାକାନ୍ତ ତରେଇ, କାଳୁ ଓରଫ ଅସିତ କୁମାର ଜେନା ଓ ଦୀପୁ ଓରଫ ସରୋଜ କୁମାର ଜେନା। ସେପଟେ ଏଭଳି ସାଂଘାତିକ ଅବହେଳା ପଦାକୁ ଆସିବା ପରେ ଚିଲିକା ନୂଆପଡ଼ାର ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ସୌମ୍ୟରଞ୍ଜନ ବେହେରାଙ୍କୁ ନିଲମ୍ବନ କରାଯାଇଛି। ଜିଆର୍ଏସ ମୁକେଶ କୁମାର ଜେନାଙ୍କୁ ବହିଷ୍କାର ସହ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଛି।
ଅଭିଯୋଗ ମୁତାବକ, ପ୍ରତି ପଞ୍ଚାୟତ ଭଳି କୃଷ୍ଣପ୍ରସାଦ ବ୍ଲକ୍ ଚିଲିକା ନୂଆପଡ଼ା ପଞ୍ଚାୟତ ବାତ୍ୟା ଆଶ୍ରୟସ୍ଥଳୀରେ ‘କରୋନା’ ଆଇସୋଲେସନ୍ ୱାର୍ଡ ଖୋଲାଯାଇଛି। ‘କରୋନା’ ସନ୍ଦିଗ୍ଧଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ଚିକିତ୍ସା ସେବା ଯୋଗାଇଦେବାର ବ୍ୟବସ୍ଥା କରାଯାଇଥିବା ଏହି ୱାର୍ଡରେ ସମିତି ସଭ୍ୟ ଶ୍ରୀ ତରେଇ ନିଜର କିଛି ସହଯୋଗୀଙ୍କ ସହ ବିନା କାରଣରେ ଶଯ୍ୟାରେ ଶୋଇବା ସହ ଗହଳି କରି ସଂକ୍ରମଣର ଭୟ ସୃଷ୍ଟି କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ଏମାନେ ଏହି ୱାର୍ଡ଼ ପାଖରେ ମଦ୍ୟପାନ କରିବାକୁ ବି ପଛାଇ ନାହାଁନ୍ତି। ଯାହାର ଭିଡିଓ ଓ ଫଟୋଚିତ୍ର ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଖୋଦ୍ ତହସିଲଦାର ଶ୍ରୀ ନାୟକ ଏ ସଂପର୍କରେ କୃଷ୍ଣପ୍ରସାଦ ଥାନାରେ ଏତଲା ଦେଇଥିଲେ। ଦଫା ୨୬୯, ୨୭୦, ୨୭୧, ୧୮୮, ୩୪ ଧାରାରେ କୃଷ୍ଣପ୍ରସାଦ ଥାନାରେ ୪୮/୨୦୨୦ ନମ୍ବରରେ ୫ଜଣଙ୍କ ନାଁ ମାମଲା ରୁଜୁ କରାଯାଇଥିବା ବେଳେ ପୁଲିସ ୪ଜଣଙ୍କୁ ଗିରଫ କରିଛି।
ଅନ୍ୟପଟେ ପ୍ରାଶାସନିକ ଅଧିକାରୀଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହୋଇଛି। ଏ ସଂପର୍କରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ବିଶାଲ ସିଂ କହିଛନ୍ତି, ଆଇସୋଲେସନ୍ ୱାର୍ଡର ଅପବ୍ୟବହାର ସଂପର୍କିତ ଖବର ଜଣାପଡ଼ିବା ପରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଏ ଉପରେ ଅଧିକ ତଦନ୍ତ ଜାରି ରହିଥିବା ସେ କହିଛନ୍ତି।