ବାଲିଅନ୍ତା: ବାଳକାଟି ଫାଣ୍ଡି ପୁଲିସ ଗତକାଲି ସ୍ଥାନୀୟ ସାତକାଣିଆ ଛକ ନିକଟରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ମାମଲାରେ ଆଜି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାୟାଁପଦା ଗ୍ରାମର ଲୋକନାଥ ଭୋଇ ଓରଫ ଗାଣ୍ଡୁ(୩୩), ଇଶ୍ବର ଭୋଇ(୪୧) ଓ ମଧୁସୁଦନ ବେହେରା ଓରଫ ମିଣ୍ଟୁ ଓ ଦିଲ୍ଲୀପ ଦାସ(୩୪)। ତେବେ କୋର୍ଟରେ ସମସ୍ତଙ୍କ ଜାମିନ ଖାରଜ ହୋଇଯିବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସେମାନଙ୍କ ବିରୋଧରେ ସ୍ଥାନୀୟ ସାତକାଣିଆ ଗ୍ରାମର ଟିମକ ଖାନ ନାମକ ଜଣେ ବ୍ୟବସାୟୀ ଲିଖିତ ଅଭିଯୋଗ କରିଥିଲେ। ସୂଚନା ଅନୁସାରେ ସାତକାଣିଆ ଛକରେ ଟିକମଙ୍କର ଗୋଟିଏ ଚିକେନ ସେଣ୍ଟର ଓ ଅଣ୍ଡା ଦୋକାନ ଥିଲା। ଟିକମଙ୍କ ଦୋକାନ ନିକଟରେ ଅଭିଯୁକ୍ତ ଦିଲ୍ଲୀପ ଅଣ୍ଡା ଓ ଚାଖଣ ଦୋକାନ ଖୋଲିବାକୁ ନେଇ ଉଭୟ ଦୋକାନୀଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଗତକାଲି ଦିଲ୍ଲୀପଙ୍କ ଇସାରାରେ ସହଯୋଗୀ ଅଭିଯୁକ୍ତମାନେ ଟିକମ ଓ ତାଙ୍କ ଦୁଇ ପୁଅଙ୍କୁ ମାଡ଼ମାରି ଆହତ କରିବା ସହ ଦୋକାନ ଭଙ୍ଗାରୁଜା କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଛକରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ଖବର ପାଇ ଡିସିପି ପ୍ରତୀକ ସିଂହ ୧ ପ୍ଳାଟୁନ ପୁଲିସ ସହ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।