ବେଗୁନିଆପଡ଼ା : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅଧ୍ୟକ୍ଷାଙ୍କ ଭଣଜା ତଥା ତାଳସର ପଞ୍ଚାୟତ ଭାବିନିପୁର ଗ୍ରାମର ପଙ୍କଜ ଗୌଡ଼ଙ୍କୁ ଗତକାଲି ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଗଲା। ଏହା ପଛରେ ଗାଁ କମିଟି କ୍ଷମତା ଅକ୍ତିଆର ଓ ସଭାପତି ପଦ ପାଇଁ ଛକାପଞ୍ଝା ମୂଳ କାରଣ ବୋଲି କୁହାଯାଉଛି। ରାଗପୁରସ୍ଥିତ ଆଦର୍ଶ ବିଦ୍ୟାଳୟ ନିକଟ ସାହିର ରାସ୍ତାରେ ନିର୍ମମ ଭାବେ ହତ୍ୟା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ମୃତକଙ୍କ ପତ୍ନୀ ଝିଲିଙ୍କ ଏତଲା କ୍ରମେ ବେଗୁନିଆପଡ଼ା ଥାନାରେ କେସ୍ ନମ୍ବର ୧୭/୨୦୨୩ ଅନୁସାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଏତଲାରେ ଝିଲି ୧୫ ଜଣଙ୍କ ନାମ ଉଲ୍ଲେଖ କରିଥିବା ବେଳେ ତନ୍ମଧ୍ୟରୁ ୪ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ସେମାନେ ହେଲେ, ଭରତ ଗୌଡ଼, ପ୍ରଭାକର ଗୌଡ଼, ବିନାୟକ ସାହୁ ଓ ଗୌରାଙ୍ଗ ଗୌଡ଼। ଅନ୍ୟ ଅଭିଯୁକ୍ତମାନେ ଫେରାର୍ ଥିବାରୁ ସେମାନଙ୍କୁ ଧରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ସେହିପରି ପୁରୁଷୋତ୍ତମପୁର ଏସ୍ଡିପିଓ ରଜନୀକାନ୍ତ ସାମଲ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଥିଲେ। ସାଇଣ୍ଟିଫିକ୍ ଟିମ୍ ହତ୍ୟାକାଣ୍ଡରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି।
ତେବେ ପଙ୍କଜଙ୍କୁ ହତ୍ୟା ପଛରେ ଗ୍ରାମ୍ୟ କମିଟି ଭିତରେ ଉପୁଜିଥିବା ବିବାଦ ହିଁ ମୁଖ୍ୟ କାରଣ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଗୁନିଆପଡ଼ା ଥାନାଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହିଛନ୍ତି। ଭାବିନିପୁର ଗ୍ରାମରେ ଗ୍ରାମ୍ୟ କମିଟି ଗଠନ ଓ ସଭାପତି ଚୟନକୁ ନେଇ ୨ ଗୋଷ୍ଠୀ ଭିତରେ ଛକାପଞ୍ଝା ଲାଗି ରହିଥିଲା। ପଙ୍କଜ ନିଜେ କମିଟିର ସଭାପତି ହେବାକୁ ଇଚ୍ଛା ପ୍ରକାଶ କରୁଥିବା ବେଳେ ପ୍ରତିପକ୍ଷ ଗୋଷ୍ଠୀ ଏଥିରେ ରାଜି ହେଉ ନଥିଲେ। ଫଳରେ ଧୀରେ ଧୀରେ ଏହି ବିବାଦ ଉଗ୍ରରୂପ ନେଇଥିଲା। ଏହାସହ ଦୁଇ ଗୋଷ୍ଠୀ ଭିତରେ ଛୋଟମୋଟ ଗଣ୍ଡଗୋଳ ହୋଇଥିଲା। ଏପରିକି ଗତ କିଛିଦିନ ତଳେ ପ୍ରତିପକ୍ଷ ଗୋଷ୍ଠୀର କିଛି ଲୋକ ପଙ୍କଜଙ୍କ ଘରକୁ ଆସି ତାଙ୍କୁ ହତ୍ୟା ଧମକ ଦେଇଥିଲେ।
ଫଳରେ ପତ୍ନୀ ଝିଲି ଏନେଇ ବେଗୁନିଆପଡ଼ା ଫାଣ୍ଡିରେ ସେତେବେଳେ ଅଭିଯୋଗ କରିଥିଲେ। ପ୍ରତିପକ୍ଷ ଗୋଷ୍ଠୀ ବି ପଙ୍କଜଙ୍କ ନାମରେ ଏତଲା ଦେଇଥିଲେ। ଉଭୟପକ୍ଷର ଏତଲା କ୍ରମେ ମାମଲା ରୁଜୁ ହୋଇଥିଲା। ସେମାନଙ୍କୁ ୪୧ ସିଆରପିସି ଅନୁସାରେ ନୋଟିସ୍ ଜାରି ହୋଇଥିଲା। ତେବେ ଶାନ୍ତି ପ୍ରତିଷ୍ଠା ପାଇଁ ଆସନ୍ତା ୨୨ ତାରିଖରେ ବେଗୁନିଆପଡ଼ା ସିଦ୍ଧେଶ୍ବର ମନ୍ଦିରରେ ଉଭୟ ପକ୍ଷକୁ ନେଇ ବୈଠକ ଡକାଯାଇଥିଲା।
ଗତକାଲି ଅପରାହ୍ଣ ୫ଟାରେ ରାଗପୁର ଛକରେ ପ୍ରତିପକ୍ଷ ଗୋଷ୍ଠୀର ୭ ଜଣ ସମର୍ଥକ ଛିଡ଼ା ହୋଇ କଥା ହେଉଥିଲେ। ଏହି ସମୟରେ ପଙ୍କଜ ଏକୁଠିଆ ନିଜ ଗାଁରୁ ରାଗପୁର ଯାଉଥିବା ବେଳେ ସେମାନଙ୍କ ସହ ବଚସା ଆରମ୍ଭ ହୋଇଥିଲା।
ପଙ୍କଜଙ୍କୁ ପ୍ରତିପକ୍ଷ ଗୋଷ୍ଠୀ ଆକ୍ରମଣ କରିବାକୁ ଚେଷ୍ଟା କରିବାରୁ ସେ ଦୌଡ଼ିଥିଲେ। ଶେଷରେ ଆଦର୍ଶ ବିଦ୍ୟାଳୟ ନିକଟ ସାହିଭିତରେ ପଶି ସେମାନେ ପଙ୍କଜଙ୍କ ମୁଣ୍ଡକୁ ମାରଣାସ୍ତ୍ରରେ ହାଣିବା ସହ ଇଟା ଓ ପଥରରେ ତାଙ୍କୁ ଆଘାତ ଦେଇଥିଲେ। ସାହିଲୋକ ସେଠାରେ ପହଞ୍ଚିବାରୁ ଆକ୍ରମଣକାରୀ ସେଠାରୁ ଫେରାର୍ ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ପଙ୍କଜଙ୍କୁ ଖଲ୍ଲିକୋଟ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଆକ୍ରମଣକାରୀମାନେ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ପଙ୍କଜଙ୍କ ଶବକୁ ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଛି।